ଭୋଟ ଦେଲେ ଦୀପାଳି, କହିଲେ ବାପାଙ୍କ ଆଶୀର୍ବାଦ ସବୁବେଳେ ଆମ ସହ ରହିଛି

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଆଜି ଭୋଟ ଦେଉଛି ଝାରସୁଗୁଡା । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି । ଏହା ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ଦିନ ୯ଟା ସୁଦ୍ଧା ୯.୭୫% ମତଦାନ ହୋଇଛି । ବିଜେଡି ପ୍ରାର୍ଥୀ ଦୀପାଳି ଦାସ ତାଙ୍କ ମାଆ ଓ ଭାଇଙ୍କ ସହ ଆସି ଭୋଟ ଦେଇଛନ୍ତି । ଝାରସୁଗୁଡା ପୌରପାଳିକା ଅନ୍ତର୍ଗତ ସରବାହାଲର ଏକ ମତଦାନ କେନ୍ଦ୍ରରେ ସେ ମତଦାନ କରିଥଛନ୍ତି । ଏହାପୂର୍ବରୁ ସେ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ । ମତଦାନ କରିବା ପରେ ସେ ଝାରସୁଗୁଡାର ଜନସାଧାରଣଙ୍କୁ ସେମାନଙ୍କର ଭୋଟ ଦାନ ମୌଳିକ ଅଧିକାର ସାବ୍ୟସ୍ତ କରିବାକୁ ନିବେଦନ କରିଛନ୍ତି । ଭୋଟ ଦେଇ ସେ ଅନ୍ୟନ୍ତ ଖୁସି ଥିବା କହିଛନ୍ତି । ଏବଂ ଏହା ସହିତ ସେ ପ୍ରତିକ୍ରିୟାରେ କହିଛନ୍ତି, ସବୁବେଳେ ତାଙ୍କୁ ବାପା ମା’ ଆଶୀର୍ବାଦ ଦେଇଥାନ୍ତି । ଆଜି କେବଳ ମା’ଙ୍କଠୁ ସେ ଆଶୀର୍ବାଦ ନେଇଛନ୍ତି । ତାଙ୍କ ବାପା ସ୍ୱର୍ଗତଃ ନବ ଦାସଙ୍କୁ ସେ ମନେ ପକାଇଛନ୍ତି । ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କ ମାଆ ଓ ଭାଇ ଇମୋସନାଲ ଥିଲେ । ତାଙ୍କ ବାପାଙ୍କ ଆଶୀର୍ବାଦ ତାଙ୍କ ସହ ସବୁବେଳେ ଅଛି ବୋଲି ଦୀପାଳି କହିଛନ୍ତି । ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସହ ମୋଟ ୯ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଥିବାବେଳେ ୨୫୩ଟି ବୁଥରେ ଏମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୨୧ ହଜାର ୭୧୯ ଜଣ ଭୋଟର ।

ଝାରସୁଗୁଡା ବାଜି ଜିତିବା ପାଇଁ ତିନି ପ୍ରମୁଖ ଦଳର ନେତା ଓ କର୍ମୀ କଳ ବଳ କୌଶଳ ସବୁ ଲଗାଇ ଦେଇଛନ୍ତି । ୧୦୬ଟି ବୁଥକୁ ସମ୍ବେଦନଶୀଳ ଘୋଷଣା କରାଯାଇଛି । କିପରି ଭୋଟ ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା କରାଯାଇ ପାରିବ , ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ବିଜେଡିରୁ ଦୀପାଳି ଦାସ, ବିଜେପିରୁ ଟଙ୍କଧର ତ୍ରିପାଠୀ ଓ କଂଗ୍ରେସରୁ ତରୁଣ ପାଣ୍ଡେଙ୍କ ମଧ୍ୟରେ ମୁଖ୍ୟତଃ ଲଢେଇ ହେବ ବୋଲି ଭୋଟରମାନେ ପ୍ରକାଶ କରିଛନ୍ତି । ପ୍ରତ୍ୟେକ ବୁଥରେ ଶୃଙ୍ଖଳାର ସହିତ ଭୋଟରମାନେ ମତଦାନ କରିବାରେ ଲାଗିଛନ୍ତି । ବଭିନ୍ନ ବୁଥରେ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବାବେଳେ ମହିଳାମାନଙ୍କ ପାଇଁ ପିଙ୍କ ବୁଥ ବ୍ୟବସ୍ଥା କରାଯାଇଛି ।

ଆଦର୍ଶ ଓ ପିଙ୍କ ବୁଥଗୁଡିକରେ ଭୋଟରଙ୍କ ପାଇଁ ସ୍କ୍ୱାସ୍‌ ପାଣି, ସରବତ, ତରଭୁଜର ବି ବ୍ୟବସ୍ଥା କରାଯାଇଛି । କିଛି ସ୍ଥାନରେ ଭୋଟରଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରାଯିବା ନେଇ ମଧ୍ୟ ପ୍ରସ୍ତୁତି ଜାରି ରହିଛି । ବୁଥ୍‌କୁ ଆସିବାକୁ ସକ୍ଷମ ନଥିବା ୩୨୧ ଜଣ ବରିଷ୍ଠ ନାଗରିକଙ୍କ ଘରୁ ପୋଷ୍ଟାଲ ବ୍ୟାଲଟ୍‌ ଯୋଗେ ଭୋଟ୍‌ ଗ୍ରହଣ ହୋଇଛି । ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ବୁଥରେ ହ୍ୱିଲ ଚେୟାରର ବ୍ୟବସ୍ଥା କରାଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶହେରୁ ଅଧିକ ଅଟୋ ମଧ୍ୟ ପ୍ରଦାନ କରାଯାଇଛି । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପୁଲିଂ ବୁଥ ପରିସରରେ ସେଲ୍‌ଫି ପଏଣ୍ଟ ମଧ୍ୟ କରାଯାଇଛି ।

Leave A Reply

Your email address will not be published.