ଓଡ଼ିଆ ନ୍ୟୁଜ୍: ଓଡ଼ିଶାବାସୀଙ୍କ ପାଇଁ ଆଶ୍ୱସ୍ତିର ଖବର ଆସିଛି। ଲଗାତାର ଦୁଇ ସପ୍ତାହ ଧରି ଜାରି ରହିଥିବା ଗ୍ରୀଷ୍ମ ପ୍ରବାହ ପରେ ଆସନ୍ତାକାଲି ଅର୍ଥାତ୍ ଏପ୍ରିଲ ୨୮ ତାରିଖରୁ ରାଜ୍ୟର ପାଣିପାଗରେ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ବଙ୍ଗୋପସାଗରରୁ ଆସୁଥିବା ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରଭାବରେ ଆଗାମୀ ପ୍ରାୟ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା ଲାଗିରହିବ।
ଏପ୍ରିଲ ୨୮ରୁ ମେ ୨ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବଡ଼ ବର୍ଷା ହେବାର ଆଶଙ୍କା ରହିଛି।ଏପ୍ରିଲ ୨୯ ତାରିଖରେ ଏକ ଟ୍ରାପ ଲାଇନ ଓଡ଼ିଶା ଦେଇ ଗତି କରିବ, ଯାହା ପ୍ରଭାବରେ ବର୍ଷାର ପରିମାଣ ବଢ଼ିବ।ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ପବନର ବେଗ ଘଣ୍ଟାପ୍ରତି ସର୍ବାଧିକ ୭୦ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ। ଆସନ୍ତା ୩୦ ଏପ୍ରିଲରୁ ମେ ୨ ମଧ୍ୟରେ ରାଜ୍ୟର ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ।
ବାୟୁମଣ୍ଡଳରେ ଜଳୀୟବାଷ୍ପପୂର୍ଣ୍ଣ ଉତ୍ତପ୍ତ ବାୟୁ ପ୍ରବେଶ କରି ପ୍ରତିକ୍ରିୟାଶୀଳ ହେଉଥିବାରୁ କାଳବୈଶାଖୀ ସୃଷ୍ଟି ହେଉଛି। ବିଶେଷ କରି ୨୯ ତାରିଖରେ ଓଡ଼ିଶା ଦେଇ ଅତିକ୍ରମ କରିବାକୁ ଥିବା ଟ୍ରାପ ଲାଇନ ଯୋଗୁଁ କାଳବୈଶାଖୀର ପ୍ରଭାବ ଅଧିକ ରହିବ।