ଓଡ଼ିଆ ନ୍ୟୁଜ୍: ଆସନ୍ତା ୫ଦିନରେ ତାତି ୪ ଡିଗ୍ରୀ ଯାଏ ବଢ଼ିପାରେ। ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗରମ ଓ ଗୁଳୁଗୁଳି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ମଙ୍ଗଳବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରେ ଭୀଷଣ ଗରମ ଓ ଗୁଳୁଗୁଳି ହୋଇପାରେ। ରାଜ୍ୟରେ ଦିନକୁ ଦିନ ତାତି ବଢୁଥିବାରୁ ଏଥିପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ବଢୁଛି । ଏହି ପ୍ରଚଣ୍ଡ ରୌଦ୍ରତାପ ଓ ଗୁଳୁଗୁଳି ସମୟରେ ସାମାନ୍ୟ ଅସାବଧାନତା ବଡ଼ ବିପଦର କାରଣ ହୋଇପାରେ । ସଚେତନ ରହିବା ଓ ପରିସ୍ଥିତିର ମୁକାବିଲା କରିବା ଆମ ସମସ୍ତଙ୍କ ଦାୟିତ୍ୱ । ଶୋଷ ନ ଲାଗିଲେ ବି ପ୍ରତି ଅଧଘଣ୍ଟାରେ ପାଣି ପିଇବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଅତି ଜରୁରୀ କାମ ନଥିଲେ ଖରା ସମୟରେ ବାହାରକୁ ନ ଯିବାକୁ ଅପିଲ୍ କରିଛନ୍ତି । ବାହାରକୁ ଯାଉଥିଲେ ସାଙ୍ଗରେ ପାଣି ବୋତଲ, ଓଦା ଗାମୁଛା, ଟୋପି ବା ଛତା ନିଅନ୍ତୁ । ଶିଶୁ, ଗର୍ଭବତୀ ମହିଳା ଓ ବରିଷ୍ଠ ନାଗରିକ ଏହି ସମୟରେ ସୁରକ୍ଷିତ ଭାବେ ଘରେ ରୁହନ୍ତୁ । ଅତ୍ୟଧିକ ଦେହ ଦରଜ ହେବା, ଚମଡ଼ା ଶୁଖିଯିବା, ପରିସ୍ରା କମିବା, ମୁଣ୍ଡ ଝିମଝିମ ହେବା ଭଳିଲକ୍ଷଣ ଦେଖା ଦେଲେ ଅପେକ୍ଷା ନକରି ତୁରନ୍ତ ପାଖ ସ୍ୱାସ୍ଥ୍ୟ କେନ୍ଦ୍ର ବା ଆମ୍ବୁଲାନ୍ସର ସହାୟତା ନେବାକୁ ପରାମର୍ଶ ଦେଇଛନ୍ତି ।