ଓଡ଼ିଆ ନ୍ୟୁଜ, ଭୁବନେଶ୍ୱର: ନଭେମ୍ବର ୧ରୁ ରାଜ୍ୟରେ ଆରମ୍ଭ ହେବ ବାଘ ଗଣନା । କେନ୍ଦ୍ରର ତଥ୍ୟ ସହ ମେଳ ଖାଉନଥିବାରୁ ପ୍ରଥମ ଥର ପାଇଁ ନିଜସ୍ୱ ଉଦ୍ୟମରେ ବାଘ ଗଣିବେ ରାଜ୍ୟ ସରକାର । ରାଜ୍ୟରେ କେତେ ବାଘ ଅଛନ୍ତି ଜାନୁଆରୀ ୩୧ ତାରିଖ ସୁଦ୍ଧା ଆସିବ ତଥ୍ୟ । ରାଜ୍ୟ ସରକାର ଦାବି କରୁଛନ୍ତି କେନ୍ଦ୍ର ତଥ୍ୟ ତୁଳନାରେ ରାଜ୍ୟରେ ଅଧିକ ବାଘ ରହିଛି ।
କେନ୍ଦ୍ର ଗଣନା ଅନୁସାରେ ରାଜ୍ୟରେ ୨୦ଟି ବାଘ ରହିଛି । କିନ୍ତୁ ୨୫ରୁ ଅଧିକ ବାଘ ଥିବା କହିଛି ବିଭାଗ । ଏହାକୁ ପ୍ରମାଣ କରିବାକୁ ନିଜସ୍ୱ ଉଦ୍ୟମରେ ହେବ ବାଘ ଗଣନା । ତେବେ ଜାନୁଆରୀ ୩୧ ତାରିଖ ସୁଦ୍ଧା ଆସିବ ରିପୋର୍ଟ । ରାଜ୍ୟରେ ୨୦ଟି ବାଘ ଥିବା କେନ୍ଦ୍ର କହୁଥିବା ବେଳେ ୨୫ଟି ବାଘ ଥିବା ରାଜ୍ୟ ଦାବି କରୁଛି । ଆସନ୍ତା ଏପ୍ରିଲରୁ ହାତୀ ଗଣନା ମଧ୍ୟ ହେବ କହିଛନ୍ତି ପିସିସିଏଫ୍ ।ରାଜ୍ୟର ଶିମିଳିପାଳ ଜାତୀୟ ଉଦ୍ୟାନ, ସାତକୋଶିଆ, ଡେବ୍ରିଗଡ଼, କେନ୍ଦୁଝର, ସୁନାବେଡ଼ା ସହ ଅନ୍ୟ କିଛି ଜଙ୍ଗଲରେ ଏହି ଗଣନା କାର୍ଯ୍ୟ ଆରମ୍ଭ କରିବାକୁ ବନ ବିଭାଗ ଲକ୍ଷ୍ୟ ରଖିଥିଲା । ପ୍ରଥମେ ଟ୍ରାଞ୍ଜାକ୍ଟ ଆନାଲିସିସ ଜରିଆରେ ବାଘର ସନ୍ଧାନ କରାଯିବ । ତା’ପରେ ଯେଉଁଠାରେ ବାଘ ସମ୍ପର୍କରେ ସୂଚନା ମିଳିବ ସେଠାରେ କ୍ୟାମେରା ଟ୍ରାପ ଲଗାଯିବ ବୋଲି କୁହାଯାଇଥିଲା ।
କିଛି ମାସ ତଳେ ବେଙ୍ଗାଲୁରୁ ସ୍ଥିତ ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନର ୩ ଜଣ ବିଶେଷଜ୍ଞ ଓଡ଼ିଶା ଆସିବା ସହ ସେମାନେ ପ୍ରଥମେ ୨୦ ଜଣ ମାଷ୍ଟର ଟ୍ରେନରଙ୍କୁ ତାଲିମ୍ ଦେଇଥିଲେ । ନିକଟରେ ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା । ସେଥିରେ ୮ଟି ସର୍କଲର ଡିଏଫଓ, ଏସିଏଫ, ବନ ବିଭାଗ ଅଧିକାରୀ, ବନ କର୍ମଚାରୀଙ୍କୁ ସାମିଲ କରାଯାଇଥିଲା । ମାଷ୍ଟର ଟ୍ରେନରମାନେ ଟ୍ରେନିଂ ନେବା ପରେ ସେମାନେ ଗଣନାରେ ସାମିଲ ହେବାକୁ ଥିବା କର୍ମଚାରୀଙ୍କୁ ଟ୍ରେନିଂ ଦେବେ ବୋଲି କୁହାଯାଇଥିଲା ।