ଟିମ୍‌ ନବୀନରେ କିଏ ହେବେ ନୂଆ ମୁହଁ ? କାହାକୁ ମିଳିବ କେଉଁ ବିଭାଗ?

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ୨୦୨୪ ପୂର୍ବରୁ ମନ୍ତ୍ରିମଣ୍ଡଳ ନାଁରେ ନବୀନଙ୍କ ମାଷ୍ଟର ଷ୍ଟ୍ରୋକ୍‌କୁ ଅପେକ୍ଷା। ଜାପାନରୁ କ୍ୟାବିନେଟ୍‌, ଦିଲ୍ଲୀରେ ଥାଇ ମନ୍ତ୍ରୀଙ୍କ ଇସ୍ତଫା। ନବୀନଙ୍କ ହାଇବ୍ରିଡ଼ ମୋଡ୍‌ର କାମକୁ ନେଇ ଚର୍ଚ୍ଚା। ଟିମ୍‌ ନବୀନରେ କିଏ ହେବେ ନୂଆ ମୁହଁ ? କାହାକୁ ମିଳିବ କେଉଁ ବିଭାଗ? ଗଞ୍ଜାମ ଓ ପଶ୍ଚିମ ଓଡ଼ିଶାରୁ ଜଣକୁ ମନ୍ତ୍ରୀ ପଦ ମିଳିବା ଏକ ପ୍ରକାର ନିଶ୍ଚିତ। ବିଧାନସଭାର ନୂଆ ବାଚସ୍ପତି କିଏ ହେବେ ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଚର୍ଚ୍ଚାରେ ଅଛନ୍ତି ଅନେକ ବରିଷ୍ଠ ବିଧାୟକ। କିନ୍ତୁ ସମସ୍ତଙ୍କୁ ଚକିତ କଲାଭଳି ନିଷ୍ପତି ନେଇପାରନ୍ତି ବିଜେଡି ସୁପ୍ରିମୋ। ଜଣେ ମହିଳାଙ୍କୁ ବାଚସ୍ପତି କରିବାର ସମ୍ଭାବନା ବଢିଛି।

ମହିଳାଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ କାର୍ଯ୍ୟ କରିଆସୁଛନ୍ତି। ତେଣୁ ଜଣେ ମହିଳା ବାଚସ୍ପତି କରି ବଡ଼ ବାର୍ତ୍ତା ଦେଇପାରନ୍ତି ସାଧାରଣ ନିର୍ବାଚନ ପୂର୍ବରୁ। ଚର୍ଚ୍ଚାରେ ସବୁଠୁ ଆଗରେ ରହିଛନ୍ତି ଉଷା ଦେବୀ। ଗଞ୍ଜାମ ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଛନ୍ତି। ତେଣୁ ତାଙ୍କ ନାଁକୁ ନେଇ ଚର୍ଚ୍ଚା ଜାରି ରହିଛି। ଅନ୍ୟପଟେ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର ମଧ୍ୟ ବାଚସ୍ପତି ରେସ୍‌ରେ। କିନ୍ତୁ ବିଜେଡିର ଫ୍ରଣ୍ଟଲାଇନ ଲିଡ଼ର ଭାବେ ସେ ଜଣାଶୁଣା। ତେଣୁ ୨୦୨୪ ପୂର୍ବରୁ ତାଙ୍କର ସାଂଗଠନିକ ଦାୟିତ୍ୱ ଅଧିକ। ତେଣୁ ତାଙ୍କୁ ବାଚସ୍ପତି ପଦରେ ବସାଇ ରିସ୍କ ନ ନେଇ ପାରନ୍ତି ମୁଖ୍ୟମନ୍ତ୍ରୀ। ମନ୍ତ୍ରୀ ନିରଞ୍ଜନ ପୂଜାରୀ, ବରିଷ୍ଠ ବିଜେଡି ନେତା ବଦ୍ରି ନାରାୟଣ ପାତ୍ର,ପ୍ରଫୁଲ୍ଲ ସାମଲ ମଧ୍ୟ ରେସରେ ଅଛନ୍ତି। ତେଣୁ ସେମାନଙ୍କ ନାଁକୁ ନେଇ ବିଚାରବିମର୍ଶ ଚାଲିଛି।

ମନ୍ତ୍ରୀ ଭାବେ ସାମିଲ ହେବା ପାଇଁ କାହାର ପଲ୍ଲା ଭାରୀ। ଝାରସୁଗୁଡ଼ା ଓ ଆଖପାଖ ଜିଲ୍ଲାରେ ରହିଥିଲା ନବ ଦାସଙ୍କ ଦବଦବା। ତେଣୁ ଦୀପାଳିଙ୍କୁ ମନ୍ତ୍ରୀପଦ ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ । ଗୋଟିଏ ପଟେ ମହିଳାଙ୍କ ପ୍ରତିନିଧିତ୍ୱ, ଅନ୍ୟପଟେ ପଶ୍ଚିମ ଓଡ଼ିଶା ସମୀକରଣ। ସେ ଦୃଷ୍ଟିରୁ ତାଙ୍କୁ ସାମିଲ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଅନୁଗୋଳକୁ ଫୋକସରେ ରଖିପାରନ୍ତି ମୁଖ୍ୟମନ୍ତ୍ରୀ। ରଜନୀକାନ୍ତ ସିଂ ଉପ ବାଚସ୍ପତି ଭାବେ ଦାୟିତ୍ୱ ତୁଲାଉଛନ୍ତି। ତାଙ୍କୁ ପ୍ରମୋସନ ଦେଇପାରନ୍ତି ବିଜେଡି ସୁପ୍ରିମୋ। ଏହା ସହ ରାଉରକେଲା ବିଧାୟକ ସାରଦା ନାୟକଙ୍କୁ ମଧ୍ୟ ସରପ୍ରାଇଜ ମିଳିପାରେ। ସଙ୍ଗଠନରେ ତାଙ୍କ ଦବଦବା ରହିଛି। ଏହା ସହ ସୁନ୍ଦରଗଡ଼ ଜିଲ୍ଲାରେ ସ୍ଥିତି ଆହୁରି ମଜଭୁତ କରିବା ଲକ୍ଷ୍ୟରେ ତାଙ୍କୁ ମନ୍ତ୍ରୀ କରାଯାଇପାରେ। ଗଞ୍ଜାମ ଜିଲ୍ଲାରୁ ବାଚସ୍ପତି ଥିବା ବିକ୍ରମ କେଶରୀ ଆରୁଖ ଓ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମନ୍ତ୍ରୀ ପଦ ଛାଡି ଥିବାରୁ ଗଞ୍ଜାମ ଜିଲ୍ଲାରୁ ଜଣଙ୍କୁ ମନ୍ତ୍ରୀ ପଦ ମିଳିବା ବି ନିଶ୍ଚିତ । ବିକ୍ରମ କେଶରୀ ଆରୁଖଙ୍କୁ ନବୀନ ନିଜ ଟିମ୍‌ରେ ସାମିଲ କରି ପାରନ୍ତି ବୋଲି ଚର୍ଚ୍ଚା ବି ଚାଲିଛି । ସେହିପରି ରେସରେ ଅଛନ୍ତି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଓ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା। ଏହା ବାଦ୍‌ ପୁରୀ ଜିଲ୍ଲାର ସମୀର ଦାସ ବାଦ୍‌ ପଡ଼ିଛନ୍ତି। ୨୦୧୯ରେ ପୁରୀ ଜିଲ୍ଲାରେ ଭଲ ପ୍ରଦର୍ଶନ କରିଥିଲା ବିଜେପି। ଏହାକୁ ଦୃଷ୍ଟିରେ ରଖି ଆଉ ଜଣେ ମନ୍ତ୍ରୀପଦ ପୁରୀ ଜିଲ୍ଲାରୁ ମିଳିପାରେ। ପୁରୀ ଜିଲ୍ଲାରୁ ଉମା ସାମନ୍ତରାୟଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି।

କେବେ ହେବ ରାଜ୍ୟ ମନ୍ତ୍ରିମଣ୍ଡଳ ଅଦଳବଦଳ ? ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଏଯାଏ ଓଡ଼ିଶା ଫେରି ନାହାନ୍ତି । ବର୍ତ୍ତମାନ ସେ ହରିୟାଣାରେ ଅଛନ୍ତି। ମେ ୨୨ ତାରିଖରେ ରାଜ୍ୟପାଳ ଓଡ଼ିଶା ଫେରିବେ। ସେହି ଦିନଠାରୁ ହିଁ ମନ୍ତ୍ରୀମାନଙ୍କ ରିପୋର୍ଟ କାର୍ଡର ସମୀକ୍ଷା ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ରାଜ୍ୟପାଳ ଫେରୁଫେରୁ ମନ୍ତ୍ରିମଣ୍ଡଳ ଅଦଳବଦଳ ହେବ ନା ମନ୍ତ୍ରୀମାନଙ୍କ ରିପୋର୍ଟ କାର୍ଡ ସମୀକ୍ଷା ପରେ ନୂଆ ମନ୍ତ୍ରୀଙ୍କୁ ସାମିଲ କରିବେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସମ୍ଭବତଃ ପଞ୍ଚମପାଳିର ଚତୁର୍ଥ ବର୍ଷ ପୂର୍ତ୍ତି ପୂର୍ବରୁ ମନ୍ତ୍ରିମଣ୍ଡଳ ଅଦଳବଦଳ ହୋଇପାରେ।.

Leave A Reply

Your email address will not be published.