ଶୀତର କାଳ ସରିନି; ମାଡ଼ି ଆସିଲାଣି ଟାଏଁ ଟାଏଁ ଖରା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଫେବୃଆରୀ ନା ମାର୍ଚ୍ଚ ମାସ! ଏବେଠାରୁ ପାରଦ ଉପର ମୁହାଁ । ଆଗକୁ ତା’ହେଲେ ବର୍ଷିବ ନିଆଁ । ଶୀତର ବେଳ କାଳ ସରିନି। ମାଡ଼ି ଆସିଲାଣି ଟାଏଁ ଟାଏଁ ଖରା । ଫେବ୍ରୁଆରୀ ପ୍ରଥମ ସପ୍ତାହର ଖରାକୁ ଦେଖିଲେ ମୁଣ୍ଡ ବୁଲାଇ ଦେଉଛି। ଉପକୂଳରୁ ଆଭ୍ୟନ୍ତର, ସବୁଠି ଗରମରେ କଲବଲ ହେଉଛନ୍ତି ରାଜ୍ୟବାସୀ। ଉପକୂଳ ଓଡ଼ିଶାରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୨ ରୁ ୫ ଡିଗ୍ରୀ ବଢ଼ିଥିବା ବେଳେ, ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୭  ଡିଗ୍ରୀ ଅଧିକ ରେକର୍ଡ ହୋଇଛି | ଭୁବନେଶ୍ୱର ତାପମାତ୍ରା ବି ପ୍ରାୟ ସେତିକି (୩୪.୪ ଡିଗ୍ରୀ) ।

ସ୍ୱାଭାବିକଠାରୁ ୪ ଡିଗ୍ରୀ ଅଧିକ । ରାଜ୍ୟର ୧୩ ସହରରେ ମଙ୍ଗଳବାର ଦିନ ତାପମାତ୍ରା ୩୩ ଡିଗ୍ରୀ ସେଲିସିୟସ୍‌ ଡେଇଁଛି । କେବଳ ଦିନ ନୁହେଁ, ରାତିରେ ବି ଅସ୍ୱାଭାବିକ ତାପମାତ୍ରା । ଶୀତ କୁଆଡ଼େ ହଜିଯାଇଛି ।ଉପକୂଳରେ ରାତି ତାପମାତ୍ରା ଯେତିକି ରହିବା କଥା, ତା’ଠାରୁ ୨ରୁ ୫ ଡିଗ୍ରୀ ଅଧିକ ଅଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୭ ଡିଗ୍ରୀ ଯାଏଁ ଅଧିକ ଅଛି । ସ୍ଥିତି ଏମିତି ଯେ ଫେବ୍ରୁଆରୀ ଆରମ୍ଭରୁ ହିଁ ଏସି, ପଙ୍ଖା ବିନା ରହି ହେଉନି । ବାହାରେ ଖରା ବାଧିଲାଣି, ଲାଗୁଛି ଯେମିତି ମାର୍ଚ୍ଚ ମାସ ଆସିଗଲା । ସାଧାରଣତଃ ଫେବ୍ରୁଆରୀ ତୃତୀୟ ସପ୍ତାହରୁ ହିଁ ଗରମ ଧୀରେ ଧୀରେ ବଢ଼ିଥାଏ । ମାତ୍ର ଏଥର ପ୍ରଥମ ସପ୍ତାହରୁ ଅସ୍ୱାଭାବିକ ତାପମାତ୍ରା ବୃଦ୍ଧି ନାକେଦମ୍‌ କଲାଣି । ପାଣିପାଗ ପୂର୍ବାନୁମାନ ହେଲା, ଆସନ୍ତା ୧୦ ତାରିଖବେଳକୁ ପାଗ ବଦଳିବ। ପଶ୍ଚିମା ବାୟୁ ପ୍ରଭାବରେ ବର୍ଷା ହୋଇପାରେ । ଏଥିରେ ଦିନ ତାପମାତ୍ରା କମିବ । ପାଗ କୋହଲା ବା କୁହୁଡ଼ିଆ ରହିପାରେ । ଏହାସହ ଆସନ୍ତା ଦୁଇଦିନ ପରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ କମିପାରେ ।

ସେହିପରି ଆସନ୍ତା ୨୪ ଘଣ୍ଟାରେ ଓଡିଶାର ଦକ୍ଷିଣ ଉପକୂଳ ସମେତ ପାଶ୍ୱବର୍ତ୍ତୀ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘନ କୁହୁଡିର ସମ୍ଭାବନା ରହିଥିବା ବେଳେ ଘନ କୁହୁଡ଼ିକୁ ନେଇ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ତେବେ ଜିଲ୍ଲା ଗୁଡ଼ିକ ହେଲା କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, ଗଞ୍ଜାମ, ଗଜପତି, କନ୍ଧମାଳ ଓ ନୟାଗଡ । ଏହାସହ ଆଗାମୀ ୩ ଦିନ ଯାଏଁ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାକୁ ନଥିବା ବେଳେ ପରବର୍ତ୍ତୀ ଦୁଇଦିନ ପରେ ପୁଣି ୨ରୁ ତିନି ଡିଗ୍ରୀ ତାପମାତ୍ରା କମିବାର ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ ।

Leave A Reply

Your email address will not be published.