ନିଶ ଓ ଦାଢି ଥିଲେ ବାହାହେଇପାରିବେନି ଯୁବକ, ଜାଣନ୍ତୁ କାହିଁ କି…

0

ରାଜସ୍ଥାନ(ଓଡ଼ିଆ ନ୍ୟୁଜ୍‌): ଆଜିକାଲି ନିଶ ଓ ଦାଢି ରଖିବା ଏକ ଟ୍ରେଣ୍ଡ୍ ହୋଇଯାଇଛି। ଯୁବପିଢି ଏହାକୁ ବେଶ୍ ଆପଣେଇବାରେ ଲାଗିଛନ୍ତି। କିନ୍ତୁ ବେଳେ ବେଳେ ଏହି ନିଶ ଓ ଦାଢି ପାଇଁ ଆପଣ ସାମାନ୍ୟ ଅଡ଼ୁଆ ପରିସ୍ଥିତିରେ ପଡ଼ିଥିବେ ନିଶ୍ଚୟ । କେବେ ନା କେବେ ଘରର ବୟସ୍କମାନେ ଏହି ନିଶ ଓ ଦାଢି ପାଇଁ ନାନା କଟୁ ତ କଥା କହିଥିବେ । ହେଲେ କେବେ ଶୁଣିଛନ୍ତି କି ନିଶ ଓ ଦାଢି ପାଇଁ ବାହାଘରକୁ ବାରଣ ହେବାର । ହଁ ଆଜ୍ଞା କଥାଟି ସତ । ରାଜସ୍ଥାନର ଏକ ସମୁଦାୟର ବିବାହ ପାଇଁ ଏଭଳି ଅଜବ ନିୟମ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଦାଢ଼ି ରଖିଥିବା ଯୁବକଙ୍କୁ ବିବାହ ଅନୁମତି ନାହିଁ ବୋଲି ଏହି ସମୁଦାୟର ପଞ୍ଚାୟତ ନିଷ୍ପତ୍ତି ନେଇଛି । ରାଜସ୍ଥାନର ପାଲି ଜିଲ୍ଲାର ୧୯ଟି ଗାଁରେ ଏହି ନିୟମ ଲାଗୁ କରାଯାଇଛି । କୁମାୱତ୍ ସମୁଦାୟ ଦ୍ୱାରା ଏହି ଅଜବ ନିୟମ ଲାଗୁ କରାଯାଇଛି । ନିୟମ ଅନୁସାରେ, କେବଳ ଦାଢ଼ି-ନିଶ ନଥିବା ଯୁବକଙ୍କୁ ହିଁ ବିବାହ ଅନୁମତି ପ୍ରଦାନ କରାଯିବ । ଫ୍ୟାଶନ୍ ନାଁରେ ବିବାହରେ ବରକୁ ଦାଢ଼ି ରଖିବାକୁ ଅନୁମତି ଦିଆଯିବ ନାହିଁ । କାରଣ ବିବାହ ଏକ ସଂସ୍କାର ଏବଂ ବର ଏଥିରେ ରାଜା ଭଳି ଦେଖାଯାଏ । ତେଣୁ ସେ ଦାଢ଼ି-ନିଶମୁକ୍ତ ହେବା ଉଚିତ ।

କେବଳ ସେତିକି ନୁହେଁ ଏହି ସମୁଦାୟ ବିବାହ ଖର୍ଚ୍ଚ କାଟ କରିବାକୁ ଓ ବିବାହକୁ ସାଧାସିଧା କରିବାକୁ ନିଷ୍ପତ୍ତି ନେଇଛି । ଡିଜେ ବାଜା ଓ ବରଯାତ୍ରୀଙ୍କ ନାଚକୁ ମଧ୍ୟ ଏହି ସମ୍ପ୍ରଦାୟ ପୂବରୁ ବିରୋଧ କରିଆସୁଥିଲେ । ପରେ ଏହା ଉପରେ କଡା କଟକଣା ଲଗାଇଛନ୍ତି । ଏହାପରେ ବିବାହ ଉତ୍ସବରେ କୌଣସି ପ୍ରକାର ନିଶା ତଥା ମାଦକ ଦ୍ରବ୍ୟ ସେବନ କରିବା ଉପରେ କଠୋର ନିୟମ ମଧ୍ୟ ପାରିତ ହୋଇଛି । ଆଜିକାଲି ବିବାହ ଉତ୍ସବ ଖର୍ଚ୍ଚ ବହୁଳ ହୋଇଗଲାଣି । ଅନ୍ୟକୁ ଦେଖି ଉପର ଦେଖାଣିଆ ଉତ୍ସବ ପାଳନ କରି ଲୋକେ ଅଯଥା ଖର୍ଚ୍ଚ କରୁଥିବା ଦେଖାଯାଉଛି । ନିଜକୁ ସମକକ୍ଷ କରିବାକୁ ଚେଷ୍ଟା କରି ବଳି ପଡୁଛନ୍ତି ମଧ୍ୟବିତ୍ତ ଓ ଗରିବ ପରିବାର । ଏପରି କଟକଣା ଦ୍ୱାରା ସମାଜରେ ଏକ ସକାରାତ୍ମକ ପରିବର୍ତ୍ତନ ଆସିପାରିବ ବୋଲି ସେଠାକାର ମୁଖିଆମାନେ ମତ ଦେଇଛନ୍ତି । ଏକ ସରଳ ଜୀବନର ଆରମ୍ଭ ପାଇଁ ଏହା ହେଉଛି ଏକ ଭଲ ପଦକ୍ଷେପ କହି ଅନେକ ଏହାକୁ ସମର୍ଥନ କରିଛନ୍ତି ।

Leave A Reply

Your email address will not be published.