ଅତିଥି ହେଇକି ଆସି ଲୁଟିନେଲେ 10 ଲକ୍ଷ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଚାଲିଥିଲା ରିସେନସନ୍‌ ପାର୍ଟି। ଆଉ ଆସିଥିଲେ ଅତିଥି ସାଜି କିନ୍ତୁ ଚାଲିଗଲେ ଚୋରି କରି | ବଡ଼ ଧୁମଧାମରେ ଚାଲିଥିବା ରିସେନସନ୍‌ ପାର୍ଟି। ଷ୍ଟେଜରେ ଥିଲେ ବର କନିଆ। ସେମାନଙ୍କ ଉପରେ ସମସ୍ତଙ୍କ ନଜର ଥିବା ବେଳେ ପରିବାର ଲୋକେ ଓ ବନ୍ଧୁବାନ୍ଧବ କାମରେ ବ୍ୟସ୍ତ ଥିଲେ। ଏହି ବ୍ୟସ୍ତତାର ସୁଯୋଗ ନେଇ ରିସେନସନ୍‌ ପାର୍ଟିରେ କଳାକନା ବୁଲାଇ ଦେଲେ ଦୁଇ ଲୁଟେରା। ବିବାହ ମଣ୍ଡପରୁ ୧୦ ଲକ୍ଷ ଟଙ୍କାର ଉପହାର‌ ନେଇ ଜଣେ ଯୁବକ ଚମ୍ପଟ ମାରିଲା । ପୁରୀ ବଳିଆପଣ୍ଡା ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିବା ବେଳେ ଏ ନେଇ ଟାଉନ ଥାନା ଅନ୍ତର୍ଗତ ସୁଆର ସାହିର ପ୍ରମୋଦ କୁମାର ମିଶ୍ର ଥାନାରେ ଅଭିଯୋଗ କରିଛନ୍ତି । ସମସ୍ତ ଘଟଣା ସିସିଟିଭି ରେ କଏଦ ହୋଇଥିବା ବେଳେ ସହରରେ ବର୍ତମାନ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁସାରେ, ସୋମବାର ତାଙ୍କ ଭଣଜା ସନ୍ଦୀପ ମିଶ୍ରଙ୍କର‌ ବିବାହ ଉତ୍ସବ ବଳିଆପଣ୍ଡା ଥାନା ଅନ୍ତର୍ଗତ ଲକି ଇଣ୍ଡିଆ ହୋଟେଲରେ ଆୟୋଜନ କରାଯାଇଥିଲା । ବିବାହ ଉତ୍ସବରେ ଅତିଥି ମାନେ ଯୋଗ ଦେଇ ନବ ଦମ୍ପତିଙ୍କୁ ସୁନା ଅଳଙ୍କାର ଠାରୁ ଆରମ୍ଭ କରି ଦାମୀ ଉପହାର ପ୍ରଦାନ କରିଥିଲେ। ରାତି ପ୍ରାୟ ସାଢେ଼ ନଅଟା ସମୟରେ ଜଣେ ଯୁବକ ଅତିଥି ଭାବେ ଆସି ଏହି ବିବାହ ଉତ୍ସବରେ ପ୍ରବେଶ କରିଥିଲା ।

ହୋଟେଲରେ ରହି ସମସ୍ତଙ୍କୁ ନଜର କରିବା ପରେ ଲୁଟେରା ଯୁବକ ଜଣକ ଷ୍ଟେଜ ପଛପଟେ ଥିବା ମୂଲ୍ୟବାନ ଉପହାର ବ୍ୟାଗ କୁ ଧରି ଚମ୍ପଟ ମାରିଥିଲା। ତେବେ ଏହି ବ୍ୟାଗ୍ ରେ ଲକ୍ଷାଧିକ ଟଙ୍କା ଥିବା ଲଫାଫା, ସୁନା ଅଳଙ୍କାର ଓ ଦାମି ଉପହାର ଥିବା ଅଭିଯୋଗ ହୋଇଛି। ରାତି ପ୍ରାୟ ୧୧ଟା ୩୭ ସମୟରେ ଲୁଟେରା ଜଣକ ବ୍ୟାଗ୍ ନେଇ ଗେଟ୍ ରୁ ବାହାରି ଯାଉଥିବାର ସିସିଟିଭି କ୍ୟାମେରାରେ ଦେଖିବାକୁ ମିଳିଛି। ପୋଲିସ ସିସିଟିଭି ଆଧାରରେ ତଦନ୍ତ କରୁଛି ।

Leave A Reply

Your email address will not be published.