ବାହାନଗା ମର୍ମନ୍ତୁଦ ରେଳ ଦୁର୍ଘଟଣାର ତଦନ୍ତ ସୁପ୍ରିମକୋର୍ଟର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏସ୍ ଆଇ ଟି ଦ୍ଵାରା କରାଯାଉ, ୧୨ଟି ବିରୋଧୀ ରାଜନୈତିକ ଦଳ ତରଫରୁ ପୂର୍ବତଟ ରେଳବାଇ ମୁଖ୍ୟ ଦପ୍ତର ସମ୍ମୁଖରେ ଗଣ ଧାରଣା

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ବାଲେଶ୍ଵର ଜିଲ୍ଲାର ବାହାନଗା ଠାରେ ଗତ ଜୁନ ୦୨ ତାରିଖ ସଂଧ୍ୟା ରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ରେ ସରକାରୀ ତଥ୍ୟ ଅନୁଯାୟୀ ୨୮୮ ଜଣ ଯାତ୍ରୀ ମୃତ୍ୟୁବରଣ କରିଥିବା ବେଳେ ୧୧୯୯ ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି l ମାତ୍ର ବାସ୍ତବ କ୍ଷେତ୍ରରେ ପ୍ରତ୍ୟକ୍ଷ ତଥ୍ୟ ଅନୁସନ୍ଧାନ ରୁ ଜଣାପଡିଛି ଯେ ଏହି ମୃତ୍ୟୁ ସଂଖ୍ୟା ଓ ଆହାତ ସଂଖ୍ୟା ବହୁ ଅଧିକ। ବର୍ତ୍ତମାନ ବିହାର ଏବଂ ପଶ୍ଚିମବଙ୍ଗ ର 119ଜଣ ରେଳଯାତ୍ରୀ ନିଖୋଜ ହେବା ଘଟଣା ପରିସ୍ଥିତି କୁ ଆହୁରି ଗମ୍ଭୀର କରିଛି l ଏଠାରେ ପ୍ରକୃତ ତଥ୍ୟ ଏବଂ ସତ୍ୟ କୁ ଚାପି ଦେବା ପାଇଁ ଉଦ୍ୟମ କରିବା ଅତ୍ୟନ୍ତ ଉଦବେଗର ବିଷୟ l ଏହି ଦୁର୍ଘଟଣା ପୁଣି ପ୍ରମାଣ କରିଛି ଯେ ଆମ ରେଳଯାତ୍ରୀ କେତେ ଅସୁରକ୍ଷିତ ଓ ଅସହାୟ ଏବଂ ଆମ ରେଳ ବ୍ୟବସ୍ଥା କେତେ ଦୁର୍ବଳ ଏବଂ ବିପନ୍ନ ଅବସ୍ଥାରେ ରହିଛି l

କେନ୍ଦ୍ର ବିଜେପି ସରକାର ର ହାତବାରିସି ହୋଇ କାମ କରିବା ଯୋଗୁଁ ଲୋକଙ୍କ ବିଶ୍ୱାସ ହରାଇଥିବା ସିବିଆଇ ଦ୍ଵାରା ଏହିଭଳି ଏକ ଭୟଙ୍କର ରେଳ ଦୁର୍ଘଟଣାର ତଦନ୍ତ ଘୋଷଣା କୁ 12 ଟି ରାଜନୈତିକ ଦଳ ତରଫରୁ ଗଭୀର ଉଦବେଗତା ର ସହିତ ପ୍ରତ୍ୟାଖ୍ୟାନ କରୁଛୁ । କୌଣସି ପରିସ୍ଥିତି ରେ ସିବିଆଇ ର ତଦନ୍ତ ନିରପେକ୍ଷ ହେବ ନାହିଁ ଏବଂ ଲୋକେ ନ୍ୟାୟ ପାଇବେ ନାହିଁ। ସମଗ୍ର ଘଟଣା ର ନିରପେକ୍ଷ ତଦନ୍ତ, ପୀଡିତ ଏବଂ ଆକ୍ରାନ୍ତ ପରିବାର ମାନଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ ପାଇଁ ସୁପ୍ରିମ କୋର୍ଟ ର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ବିଶେଷଜ୍ଞ ଦଳ (ଏସ୍ ଆଇ ଟି)ଦ୍ବାରା ତଦନ୍ତ କରିବା ପାଇଁ ଦାବି କରାଯାଇଛି।

ଏହା ସହିତ ପ୍ରତ୍ୟେକ ମୃତକ ପରିବାର କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ସହିତ ସମସ୍ତ ଆହାତ ମାନଙ୍କୁ ଉନ୍ନତ ମାନର ଅତ୍ୟାଧୁନିକ ମାଗଣା ଚିକିତ୍ସା ଦେଇ କାର୍ଯ୍ୟକ୍ଷମ ହେଲା ପର୍ଯ୍ୟନ୍ତ ବଂଚିବା ପାଇଁ ପର୍ଯ୍ୟାପ୍ତ ଆର୍ଥିକ ସାହାଯ୍ୟ ପ୍ରଦାନ କରିବା ନିମନ୍ତେ ଦାବି କରାଯାଇଛି। ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଥିବା ପରିବାର ଏବଂ ଆହାତ ହୋଇ ସମ୍ପୁର୍ଣ୍ଣ ଭିନ୍ନକ୍ଷମ/ଅକ୍ଷମ ହୋଇଯାଇଥିବା ପ୍ରତ୍ୟେକ ପରିବାରର ଜଣକୁ ନିଯୁକ୍ତି ପ୍ରଦାନ କରାଯାଉ। ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ନିଜ ପଦବୀ ରୁ ଇସ୍ତଫା ଦେଲେ ହିଁ ରେଳ ଦୁର୍ଘଟଣାର ନିରପେକ୍ଷ ତଦନ୍ତ ହୋଇପାରିବ ବୋଲି 12 ଦଳ ପକ୍ଷରୁ କୁହାଯାଇଛି l ଏଥିପାଇଁ ରେଳ ମନ୍ତ୍ରୀ ତୁରନ୍ତ ଇସ୍ତଫା ପ୍ରଦାନ କରିବା ପାଇଁ ଦାବି କରାଯାଇଛି। ସମସ୍ତ ମୃତକ ବ୍ୟକ୍ତି ମାନଙ୍କୁ ଚିହ୍ନଟ କରିବାର ପ୍ରକ୍ରିୟା କୁ ସମ୍ପୁର୍ଣ୍ଣ ସରଳୀ କରଣ କରିବା ସହିତ ମୃତକ ବ୍ୟକ୍ତି ମାନଙ୍କ ର ନାମ ତାଲିକା ଫୋଟୋ ସହିତ ସର୍ବ ସାଧାରଣ ରେ ଏବଂ ସବୁ ଭାଷାର ଖବରକାଗଜ ରେ ପ୍ରକାଶ କରିବା ପାଇଁ ଦାବି କରାଯାଇଛି।

ରେଳବାଇର ବେପରୁଆ ଟ୍ରାଫିକ ପରିଚାଳନା, ରେଳ ଧାରଣା ଗୁଡିକ କ୍ରମାଗତ ଭାବେ ରକ୍ଷଣାବେକ୍ଷଣ ଓ ମରାମତି ନ ହେବା, ଦୁର୍ଘଟଣା କୁ ରୋକିବା ପାଇଁ ଆଧୁନିକ ଜ୍ଞାନକୌଶଳ ‘କବଚ’ ର ପ୍ରଚାର କରି ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରୀ କରିବାର ବିଫଳତା ଯୋଗୁଁ ହିଁ ଏହି ଦୁର୍ଘଟଣା ଘଟିଛି। ରେଳ ଚଳାଚଳ ର ଭିତ୍ତିଭୂମି ସଂପର୍କୀୟ ଦୁର୍ବଳତା ଉପରେ ସିଏଜି ରିପୋର୍ଟ ରେ ଦିଆଯାଇଥିବା ଚେତାବନୀ କୁ ମଧ୍ୟ ଅଣଦେଖା କରାଯାଇଛି। ରେଳ ଚଳାଉଥିବା ଲୋକୋ ରନିଙ୍ଗ ଷ୍ଟାଫ୍ ଏବଂ ସହଯୋଗୀ ଷ୍ଟାଫ୍ ମାନଙ୍କ ଉପରେ ଆବଶ୍ୟକତା ଠାରୁ ବହୁ ଅଧିକ ସମୟ ଏକ ଅସ୍ଵାଭାବିକ ପରିବେଶ ମଧ୍ୟ ରେ କାର୍ଯ୍ୟ କରିବା କୁ ପଡୁଛି। ରେଳ ବିଭାଗ ରେ ୩୧୨୦୦୦ ପଦବୀ ଖାଲି ପଡ଼ିଛି। ସେଥି ରୁ ୧୪୨୦୦୦ ପଦବୀ କେବଳ ସୁରକ୍ଷା ଓ ଯାତ୍ରୀ ନିରାପତ୍ତା ବିଭାଗ ପାଇଁ ଉଦ୍ଦିଷ୍ଟ। ଏଥିରେ ବହୁ ଡ଼୍ରାଇଭର, ଇଞ୍ଜିନିୟର, ଗାର୍ଡ ଏବଂ ଅନ୍ୟାନ୍ୟ ପଦବୀ ଖାଲି ପଡ଼ିଛି। ଭାରତ ସରକାର ଏବଂ ରେଳ ମନ୍ତ୍ରଣାଳୟ ସମଗ୍ର ରେଳ ବ୍ୟବସ୍ଥା ରେ ମୌଳିକ ଭିତ୍ତିଭୂମି ର ବିକାଶ ପାଇଁ ଅର୍ଥ ବିନିଯୋଗ ନକରି ପ୍ରଚାରଧର୍ମୀ ବ୍ୟୟବହୁଳ ନୂତନ ରେଳ ଚଳାଚଳ ଘୋଷଣା ସମସ୍ୟା କୁ ସମାଧାନ କରିବା ପରିବର୍ତ୍ତେ ଆହୁରି ଘନୀଭୂତ କରିବ। ରେଳ ଦୁର୍ଘଟଣା ସମ୍ପର୍କୀୟ ଉପରୋକ୍ତ ସାମଗ୍ରିକ ସମସ୍ୟା ସହିତ ରେଳଯାତ୍ରୀ ମାନଙ୍କର ନିରାପତ୍ତା ଏବଂ ରେଳ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଅବିଳମ୍ବେ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବୀ କରାଯାଇଛି l ୨୦୧୪ ମସିହାରେ କେନ୍ଦ୍ର ରେ ଏନ ଡ଼ି ଏ ସରକାର କ୍ଷମତା କୁ ଆସିଲା ପରେ ରେଳବାଇ ର ଘରୋଇ କରଣ କରିବା ପାଇଁ ବିବେକ ଦେବରାୟ କମିଟି ର ସୁପାରିଶ ରେଳ ଭିତ୍ତିଭୂମି କୁ ବିପର୍ଯ୍ୟୟ ରେ ପରିଣତ କରିଛି l ରେଳବାଇ ର ଘରୋଇ କରଣ ରୋକିବା ପାଇଁ ତୁରନ୍ତ ଦେବରାୟ କମିଟି ସୁପାରିଶ କୁ ପ୍ରତ୍ୟାହାର କରିବା ପାଇଁ ଦାବୀ କରାଯାଇଛି l

ଭୁବନେଶ୍ୱର ପୂର୍ବତଟ ରେଳବାଇ ମୁଖ୍ୟ ଦପ୍ତର ସମ୍ମୁଖରେ ଏକ ବିଶାଳ ଗଣ ଧାରଣା ଅନୁଷ୍ଠିତ ହୋଇଥିଲା l ଏକ ୧୫ ଜଣିଆ ପ୍ରତିନିଧି ଦଳ ଇଷ୍ଟ କୋଷ୍ଟ ରେଳବାଇ ର ଉପମୁଖ୍ୟ ମହାପ୍ରବନ୍ଧକ ଙ୍କୁ ଭେଟି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ୧୧ ଦଫା ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରିବା ସହିତ ପୂର୍ବତଟ ରେଳବାଇ ର ମହାପ୍ରବନ୍ଧକଙ୍କୁ ମଧ୍ୟ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ l

ଏହି ଦାବୀ ନେଇ ଆଜି ବାଲେଶ୍ୱର ବ୍ରହ୍ମପୁର, ଏବଂ ରାଉରକେଲା ଠାରେ ଅନୁରୂପ ଭାବେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ସ୍ମାରକ ପତ୍ର ପ୍ରଦାନ କରାଯାଇଛି l ଏହି ପ୍ରତିବାଦ ଆନ୍ଦୋଳନ ରେ ଭାରତୀୟ ଜାତୀୟ କଂଗ୍ରେସ,ସି ପି ଆଇ,ସି ପି ଆଇ(ଏମ), ସି ପି ଆଇ-ଏମ ଏଲ (ଲିବେରେସନ), ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ,ଆମ ଆଦମୀ ପାର୍ଟି, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି, ସମାଜବାଦୀ ପାର୍ଟି, ରାଷ୍ଟ୍ରୀୟ ଜନତା ଦଳ,ସମତା କ୍ରାନ୍ତି ଦଳ, ଆର ପି ଆଇ ଏବଂ ସି ପି ଆଇ-ଏମ ଏଲ (ରେଡ ଷ୍ଟାର) ପ୍ରମୁଖ ୧୨ ଟି ରାଜନୈତିକ ଦଳ ର ନେତୃବୃନ୍ଦ ସାମିଲ ହୋଇଥିଲେ l

ଆଜି ସୁରେଶ ପାଣିଗ୍ରାହୀଙ୍କ ସଂଯୋଜନା ରେ ପୂର୍ବତଟ ରେଳବାଇ ମୁଖ୍ୟ ଦପ୍ତର ସମ୍ମୁଖରେ ଅନୁଷ୍ଠିତ ଏହି ଆନ୍ଦୋଳନ ରେ ସର୍ବଶ୍ରୀ ନିରଞ୍ଜନ ପଟ୍ଟନାୟକ, ଜନାର୍ଦ୍ଦନ ପତି,ଅଭୟ ସାହୁ,ଯୁଧିଷ୍ଠିର ମହାପାତ୍ର, ଜ୍ୟୋତି ରଞ୍ଜନ ମହାପାତ୍ର, ରବି ବେହେରା, ହରିଶ ମହାପାତ୍ର, ବିକ୍ରମ ସ୍ୱାଇଁ, ପ୍ରମିଳା ଏବଂ ପ୍ରଭାସ ସାମନ୍ତରାୟ ପ୍ରମୁଖଙ୍କ ନେତୃତ୍ୱ ରେ ହୋଇଥିବା ଏହି ଗଣ ଧାରଣା ରେ ଅନ୍ୟ ମାନଙ୍କ ମଧ୍ୟ ରେ ଶିବାନନ୍ଦ ରାୟ,ବିଧାୟକ ସୁରେଶ ରାଉତରାୟ, ମହମ୍ମଦ ମୋକିମ, ଗଣେଶ୍ୱର ବେହେରା, ବିଶ୍ୱଜିତ ଦାସ, ତାପସୀ ପ୍ରହରାଜ, ଶରତ ବେହେରା, ଅନନ୍ତ ମଙ୍ଗରାଜ, ଜଗନ୍ନାଥ ଦେଓ,ସରୋଜ ନାୟକ,ପ୍ରଦୀପ୍ତ ନାୟକ,ଆଶୀଷ କାନୁନଗୋ,ଜୟନ୍ତ ଦାସ, ସୁର ଜେନା, ନୃସିଂହ ବେହେରା,ରାଧାକାନ୍ତ ସେଠୀ,ମହେନ୍ଦ୍ର ପରିଡା,ବଂଶୀଧର ପରିଡା,ରୁପେନ, ପୂର୍ଣଚନ୍ଦ୍ର ପାଢ଼ୀ, ନାରାୟଣ ଡ଼ାଳୁଅ,ସୁଦର୍ଶନ ପ୍ରଧାନ,ସଞ୍ଜୟ ନାୟକ, ବିଜୟ ବେହେରା,ହେମନ୍ତ କୁମାର, ଶଙ୍କର, ଅମୀୟ ପାଣ୍ଡଵ, ରଜନୀ ମହାନ୍ତି,ସୁଦର୍ଶନ ଦାସ, ବିସ୍ମୟ ମହାପାତ୍ର, ୟାସିର ନୱାଜ,ବିଶ୍ୱନାଥ ମହାପାତ୍ର,ପ୍ରଭାତ ପାଣିଗ୍ରାହୀ, ମିନତୀ ପାଣିଗ୍ରାହୀ, ରମେଶ ଜେନା, ପୂର୍ଣଚନ୍ଦ୍ର ପାଢ଼ୀ,ଚାମ୍ବୁରୁ ସୋରେନ, ଜଗଦୀଶ ଜେନା, ପବିତ୍ର ଇନ୍ଦ୍ରଜିତ ବିଷ୍ଣୁ ଚରଣ ବେହେରା ,ବସନ୍ତ ସାହୁ, ରଶ୍ମୀ ରଞ୍ଜନ ତ୍ରିପାଠୀ ଏବଂ ଶୁଭ୍ରାଂଶୁ ଉଦଗାତା ପ୍ରମୁଖ ବହୁ ନେତୃବୃନ୍ଦ ଅଂଶ ଗ୍ରହଣ କରିଥିଲେ l

Leave A Reply

Your email address will not be published.