ଖୋଲା ବଜାରରେ ମିଳୁଛି ପାରାକୁଏଟ, କିଛି ମାସ ହେବ ଆତ୍ମହତ୍ୟା କରୁଥିବା ଅଧିକାଂଶ ଏହି ରାସାୟନିକ ପଦାର୍ଥ ସାହାଯ୍ୟ ନେଇଥିବା ଜଣାପଡିଛି

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଖୋଲା ବଜାରରେ ମିଳୁଛି ପାରାକୁଏଟ। ଚାଷ ଜମିରେ ଘାସକୁ ମାରିବା ପାଇଁ ବ୍ୟବହାର କରାଯାଉଥିବା ପାରାକୁଏଟ ବିଷ ବା ଘାସମରା ବିଷ ଲୋକଙ୍କ ଆତ୍ମହତ୍ୟା ରାସ୍ତାକୁ ସହଜ କରି ପାରିଛି। ଗତ କିଛି ମାସ ହେବ ଆତ୍ମହତ୍ୟା କରୁଥିବା ଅଧିକାଂଶ ଏହି ରାସାୟନିକ ପଦାର୍ଥ ଘାସମରାର ସାହାଯ୍ୟ ନେଇଥିବା ଜଣାପଡିଛି। ପୂର୍ବରୁ ଏହି ପାରାକୁଏଟ ପିଇ ଆତ୍ମହତ୍ୟା ଅଭିଯୋଗ ବାବଦରେ ବୁର୍ଲା ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ସଂସ୍ଥାନ(ଭିମସାର)କୁ ରାଜ୍ୟ ସରକାର ରିପୋର୍ଟ ତଲବ କରିଥିଲେ।

ପାରାକୁଏଟ ସେବନ କରି ହୋଇଥିବା ମୃତ୍ୟୁ ଏବଂ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ବାବଦରେ ରିପୋର୍ଟ ମଗାଯାଇଥିଲା। ଏ ନେଇ ଭିମସାର ପକ୍ଷରୁ ରାଜ୍ୟ ସରକାରଙ୍କୁ ଏକ ରିପୋର୍ଟ ପ୍ରଦାନ କରାଯାଇଥିଲା। ୨ ବର୍ଷ ମଧ୍ୟରେ ୧୪୯ ଜଣ ପାରାକୁଏଟ ସେବନ କରି ବୁର୍ଲା ମେଡ଼ିକାଲକୁ ଚିକିତ୍ସା ପାଇଁ ଆସିଥିବା ବେଳେ ସେଥିମଧ୍ୟରୁ ୧୪୦ ଜଣଙ୍କର ଜୀବନ ଯାଇଛି ବୋଲି ରିପୋର୍ଟରୁ ଜଣାପଡ଼ିଛି। ଉକ୍ତ ରିପୋର୍ଟକୁ ସ୍ୱାସ୍ଥ୍ୟବିଭାଗକୁ ମେଡ଼ିକାଲ ତରଫରୁ ପ୍ରେରିତ କରିଦିଆଯାଇଥିଲା।

ପୂର୍ବରୁ ଭିମସାରର ସିନିୟର ରେସିଡ଼େଣ୍ଟ ଡ଼ାକ୍ତର ଶଙ୍କର ରାମଚନ୍ଦାନିଙ୍କ ନେତୃତ୍ୱରେ ପାଞ୍ଚଜଣିଆଁ ଡ଼ାକ୍ତର ପାରାକୁଏଟ ବିକ୍ରି ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିବା ଦାବି ନେଇ ୨୪ ଘଣ୍ଟିଆ ଅନଶନ ମଧ୍ୟ କରିଥିଲେ। ପାରାକୁଏଟ ଏକ ହାନିକାରକ ଏବଂ ମଣିଷଙ୍କ ପକ୍ଷେ ଅତ୍ୟନ୍ତ ବିପଜ୍ଜନକ ପଦାର୍ଥ ଅଟେ। କୌଣସି ପ୍ରକାର ପାରିବାରିକ କଳହ ଯୋଗୁଁ ଏହା ଖାଇଦେବା ପରେ ଲୋକେ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ଏପରିକି ଗୋଟିଏ ଠିପି ବା ୧୦ ଏମଏଲ ଖାଇ ଦେଲେ ମଣିଷ ର ମୃତ୍ୟୁ ହୋଇଯିବ। ଆମେରିକା, ଚୀନ ଠାରୁ ଆରମ୍ଭ କରି ପୃଥିବୀର ୪୫ଟି ଦେଶ ସହିତ ଆମ ଦେଶର କେରଳ ଓ ତାମିଲନାଡ଼ୁ ରାଜ୍ୟ ସରକାର ପାରାକୁଏଟକୁ ନିଷେଧ ଘୋଷଣା କରିସାରିଛନ୍ତି।

ଏହି ବିଷ ଘାସମରା ସେବନ ପରେ ଏହା ପ୍ରଭାବରେ କିଡ଼ନୀ ଏବଂ ଯକୃତ ଭଳି ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ଅକାମୀ କରିଦେଇଥାଏ। ଏହାର ଉପଚାର ତଥା ନିଦାନ ପାଇଁ ମଧ୍ୟ ନିର୍ଦ୍ଦିଷ୍ଟ ଔଷଧ ଉଦ୍ଭାବନ ହୋଇ ପାରି ନାହିଁ। ଏଣୁ ଏହାର ପ୍ରଭାବରେ ଜୀବନ ରହିବା ଆଶା କ୍ଷୀଣ ରହିଥାଏ। ଏହି ପାରାକୁଏଟକୁ ବନ୍ଦ କରିବା ପାଇଁ ଡାକ୍ତରମାନେ ପୂର୍ବରୁ ଦସ୍ତଖତ ଅଭିଯାନ ‍କରିଥିଲେ। ଏହି ପାରାକୁଏଟକୁ ନିଷିଦ୍ଧ କରିବା ପାଇଁ କରାଯାଇଥିବା ଦାବିକୁ ଆର୍ନ୍ତଜାତୀୟ ସ୍ତରରେ ପାନ ଏସିଆ ପେସିଫିକ ତରଫରୁ ଉଚ୍ଚପ୍ରଶଂସା କରାଯାଇଥିବା ଦେଖିବାକୁ ମିଳିଛି। କିନ୍ତୁ ଏବେ ବି ଆମ ରାଜ୍ୟ ଓ ଦେଶରେ ବନ୍ଦ ହୋଇ ପାରି ନାହିଁ ପାରାକୁଏଟ ବିଷ।

 

Leave A Reply

Your email address will not be published.