୧୬୦୭ କୋଟିର ବରଗଡ ଇଥାନଲ ପ୍ଲାଣ୍ଟ ଓଡ଼ିଶାର କୃଷି ଆଧାରିତ ଶିଳ୍ପକୁ ତ୍ୱରାନ୍ୱିତ କରିବ, ପ୍ଲାଣ୍ଟର ଅଗ୍ରଗତି କାର୍ଯ୍ୟର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୯ ବର୍ଷର ସୁଶାସନ ଓ ସେବାର ପୂର୍ତ୍ତି ଅବସରରେ ‘ବିକାଶ ତୀର୍ଥ ଯାତ୍ରା’ ଅନ୍ତର୍ଗତ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ବରଗଡ ସ୍ଥିତ ବିପିସିଏଲର ନିର୍ମାଣଧୀନ ୧ଜି ଜୈବ ଇଥାନଲ ପ୍ଲାଣ୍ଟ ଓ ୨ଜି ଜୈବ ଇଥାନଲ ପ୍ଲାଣ୍ଟ ପରିଦର୍ଶନ କରିବା ସହ ଜିଲ୍ଲା ପ୍ରଶାସନ ଓ ପ୍ରକଳ୍ପ ଅଧିକାରୀଙ୍କ ସହ ଅଗ୍ରଗତି କାର୍ଯ୍ୟର ସମୀକ୍ଷା କରିଛନ୍ତି ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବୋଦୟ କଳ୍ପନାରେ ପ୍ରାୟ ୧୬୦୭ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠା ହେଉଥିବା ଏହି ଇଥାନଲ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେଲେ ଓଡ଼ିଶାର କୃଷି ଆଧାରିତ ଶିଳ୍ପକୁ ତ୍ୱରାନ୍ୱିତ କରିବ । ମୋଟ ପ୍ରାୟ ୭୦ ଏକର ପରିମିତ ଜମିରେ ପ୍ରତିଷ୍ଠା ହେଉଥିବା ଏହି ପ୍ଲାଣ୍ଟ ଦୈନିକ ୨୦୦ କିଲୋ ଲିଟର ଇଥାନଲ ଉତ୍ପାଦନ କରିବ । ଓ୍ୱେଷ୍ଟ ଟୁ ଓ୍ୱେଲଥକୁ ପ୍ରୋତ୍ସାହନ ଦେବ ତଥା ଏହି ପ୍ଲାଣ୍ଟ୍ ନଡା, ବଳକା ଓ ଖରାପ ହୋଇଯାଇଥିବା ଚାଉଳରୁ ଇଥାନଲ ପ୍ରସ୍ତୁତ କରିବ । ବରଗଡ଼, ସମ୍ବଲପୁର, ସୋନପୁର ଓ ବଲାଙ୍ଗୀର ସମେତ ଆଖପାଖ ଅଞ୍ଚଳର ଚାଷୀଙ୍କ ଆୟକୁ ବୃଦ୍ଧି କରିବାରେ ସହାୟକ ହେବ । ସ୍ଥାନୀୟ ଅଞ୍ଚଳରେ ରୋଜଗାର ଏବଂ ସ୍ୱରୋଜଗାରର ସୁଯୋଗ ସୃଷ୍ଟି ହେବ । ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଏହି ପ୍ଲାଣ୍ଟ୍ ସବୁଜ ଇନ୍ଧନକୁ ପ୍ରୋତ୍ସାହନ ଦେବ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ନୂଆ ତଥା ବିକଳ୍ପ ଉର୍ଜା ଆଣିବା ପାଇଁ ଆହ୍ୱାନ କରିଛନ୍ତି । ଇଥାନଲ, ଅକ୍ଷୟ ଉର୍ଜା କିମ୍ବା ହାଇଡ୍ରୋଜେନ ; ସବୁ ପ୍ରକାର ସ୍ଥାୟୀ ଉର୍ଜା ଭାରତର ଉପଲବ୍ଧ ପ୍ରାକୃତିକ ସମ୍ପଦରୁ ଆସୁ, ଏହା ଉପରେ ଭାରତ ସରକାର ପ୍ରାଥମିକତା ଦେଉଛନ୍ତି । ପାଳ ବା ନଡା ଓ ବଳକା ଚାଉଳରୁ ଇଥାନଲ ପ୍ରସ୍ତୁତ କରିବା ପାଇଁ ଦେଶର ପ୍ରଥମ ୨ଜି ଓ ୧ଜି ଇଥାନଲ ପ୍ଲାଣ୍ଟ୍ ବରଗଡରେ ହୋଇଛି । ଏହି ପ୍ଲାଣ୍ଟର ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ସମାଜ ପାଇଁ ସବୁଠୁ ବଡ଼ ଯୋଗଦାନ ଏହି ଅଞ୍ଚଳ ପାଇଁ ମୋଦି ସରକାରଙ୍କର ଅଛି । ଖୁବ ଶୀଘ୍ର ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବାର ଆଶା କରାଯାଉଛି ।

କେବଳ ବଗରଡ ନୁହେଁ ପଡ଼ୋଶୀ ଛତିଶଗଡ଼ ଓ ପଶ୍ଚିମବଙ୍ଗ ସହ ସୋନପୁରରେ ନୂଆ ଇଥାନଲ ପ୍ଲାଣ୍ଟ ସ୍ଥାପନ କରାଯିବ । ଏଥିପାଇଁ ଇଥାନଲ ଇଞ୍ଜିନିୟରିଂ, ଅର୍ଥନୀତି ଏବଂ ପ୍ରଯୁକ୍ତିବିଦ୍ୟାକୁ ଧ୍ୟାନରେ ରଖି ନୂତନ ଦକ୍ଷତା ଥିବା ମାନବ ସମ୍ବଳ ସୃଷ୍ଟି କରିବାକୁ ଜିଲ୍ଲା ପ୍ରଶାସନ ଏବଂ ପ୍ରକଳ୍ପ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି କନ୍ଦ୍ରମନ୍ତ୍ରୀ । ଏହା ଦ୍ୱାରା ଏହି ଅଞ୍ଚଳର ଯୁବକଯୁବତୀଙ୍କୁ ନୂଆ ନିଯୁକ୍ତି ସୁଯୋଗ ମିଳିବ ବୋଲି ସେ କହିଛନ୍ତି ।

ସେହିପରି ଶ୍ରୀ ପ୍ରଧାନ ଏହି ପ୍ରକଳ୍ପ ପାଇଁ ଦକ୍ଷ ମାନବ ସମ୍ବଳ ପ୍ରସ୍ତୁତ କରିବା ନିମନ୍ତେ ଆଞ୍ଚଳିକ ସରକାରୀ ଆଇଟିଆଇ ଅନୁଷ୍ଠାନରେ ଟେକ୍ନୋଲୋଜି ଆଧାରାତି ନୂଆ ଦକ୍ଷତା ପାଠ୍ୟକ୍ରମ ଓ ମଡ୍ୟୁଲ୍ ପ୍ରସ୍ତୁତ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ଆଉ ଏକ ପରାମର୍ଶ ଦେଇଥିଲେ ।

କେନ୍ଦ୍ରମନ୍ତ୍ରୀ ଆହୁରି କହିଥିଲେ ଯେ ବରଗଡ଼ ଜିଲ୍ଲା ଏକ କୃଷିଭିତ୍ତିକ ଅଞ୍ଚଳ । ଧାନ ଓ ଚାଉଳ ଏ ଜିଲ୍ଲାର ଅର୍ଥନୀତି ମୂଳ ଆଧାର । ଏହାକୁ ଧ୍ୟାନରେ ରଖି ମୋଦି ସରକାର ଏକ ଐତିହାସିକ ନିଷ୍ପତି ନେଇଛନ୍ତି । ବଳକା ଓ ଖରାପ ଚାଉଳରୁ ଇଥାନଲ ପ୍ରସ୍ତୁତ ହୋଇ ପେଟ୍ରୋଲ ଓ ଡିଜେଲରେ ମିଶାଇଲେ ପରିବେଶ ପ୍ରଦୂଷଣ କମିବ ଏବଂ ଚାଷୀ ମାନଙ୍କ ପାଇଁ ଅର୍ଥନୀତିଙ୍କ ସବଳ କରିବ । ଏହାକୁ ଧ୍ୟାନରେ ରଖି ଗତ ୯ ବର୍ଷରେ ଚିନି ଶିଳ୍ପର ପୁନଉଦ୍ଧାର ପାଇଁ ଆଖୁଛେଦାରୁ ଇଥାନଲ ବାହାର କରି ପେଟ୍ରୋଲିୟମ ପ୍ରଡକ୍ଟର ୧୦ ପ୍ରତିଶତର ଲକ୍ଷ୍ୟ ବହୁତ ପୂର୍ବରୁ ପୂରଣ ହୋଇଛି । ଏବେ ଏହାକୁ ୨୦ ପ୍ରତିଶତ କରିବା ପାଇଁ ଭାରତ ସରକାରଙ୍କ ଲକ୍ଷ୍ୟ ରହିଛି । ଏହି ପ୍ଲାଣ୍ଟ ପଶ୍ଚିମ ଓଡ଼ିଶାର ନୂଆ ଅଧ୍ୟାୟ ସହ ଯୋଡି ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଉଲ୍ଲେଖନୀୟ ଯେ ୧୦ ଅକ୍ଟୋବର ୨୦୧୮ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପେଟ୍ରୋଲିମ ମନ୍ତ୍ରୀ ଥିବା ସମୟରେ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ତାଙ୍କର ଦାୟିତ୍ୱରେ ଏହି ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ମହାମହିମ ରାଜ୍ୟପାଳଙ୍କ କରକମଳରେ ଏହି କାରଖାନାର ଶିଳାନ୍ୟାସ ହୋଇଥିଲା।

Leave A Reply

Your email address will not be published.