ଟାଟା ପାୱାର ପାଖରେ ମୁଣ୍ଡ ବିକିଛନ୍ତି ରାଜ୍ୟ ସରକାର: ବିଜେପି

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଅଘୋଷିତ ବିଦ୍ୟୁତ୍ କାଟ ନେଇ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଶକ୍ତିମନ୍ତ୍ରୀଙ୍କ ଅତି ଚାଲୁ ମନ୍ତବ୍ୟ ଦେଇଛନ୍ତି ଯାହାକୁ ଅତି ଦୁର୍ଭାଗ୍ୟଜନକ ବୋଲି କହିଛି ବିଜେପି । ବାରମ୍ବାର ବିଦ୍ୟୁତ ବିଭ୍ରାଟକୁ ନେଇ ଆଜିଠାରୁ ଭୁବନେଶ୍ୱରରେ ଆନ୍ଦୋଳନ ଆରମ୍ଭ କରିଛି ବିଜେପି । ସାଂଘାତିକ ଅଭିଯୋଗ ଆଣିବା ସହ ବିଜେପି କହିଛି, ଆଜି ତାରିଖରେ ବିଦ୍ୟୁତ ବିତରଣ ବ୍ୟବସ୍ଥା ରାଜ୍ୟ ସରକାରଙ୍କ ନିୟନ୍ତ୍ରଣ ବାହାରେ । ଟାଟା ପାୱାର ପାଖରେ ରାଜ୍ୟ ସରକାର ମୁଣ୍ଡ ବିକିଲା ଭଳି ସ୍ଥିତି ତିଆରି ହୋଇଛି ।ଗ୍ରାମାଞ୍ଚଳରେ ଲୋକଙ୍କ ଦୁର୍ଦ୍ଦଶା କହିଲେ ନସରେ । ଅତୀତରେ ପାୱାର କଟ ହେଲା ବେଳେ ଲୋକଙ୍କ ପାଇଁ କିଛି ରିଲିଫ ଥିଲା । ଲୋକ ଜାଣୁଥିଲେ, ଏହି ନିର୍ଦ୍ଦିଷ୍ଟ ସମୟରେ ପାୱାର କଟ ହେବ । ଯେହେତୁ ଆମେ ନିଅଣ୍ଟିଆ ବିଜୁଳି ଉତ୍ପାଦିତ ରାଜ୍ୟ ବୋଲି ଭାବୁଥିଲେ । ତେଣୁ ଲୋକ ନିଜକୁ ମାନସିକ ସ୍ତରରେ ପ୍ରସ୍ତୁତ ରଖୁଥିଲେ । କିନ୍ତୁ ଏବେ ଗୋଟିଏ ପଟେ ବଳକା ବିଦ୍ୟୁତ ଉତ୍ପାଦିତ ରାଜ୍ୟ ବୋଲି କହୁଛନ୍ତି, ଆଉ ପୁଣି ଅଲିଖିତ ଭାବରେ ମନ ଇଚ୍ଛା ବିଜୁଳି କାଟ କରୁଛନ୍ତି । ବର୍ଷା ଝଡ ହେଲେ ତ ଅଲଗା କଥା । କିନ୍ତୁ କିଛି ନଥାଇ ବି ଯେତେବେଳେ ପାରୁଛନ୍ତି, ବିଜୁଳି କାଟ କରୁଛନ୍ତି ।

କେହି କହିଲା ବେଳକୁ ଅତ୍ୟନ୍ତ ଉଦଭ୍ରାନ୍ତ ଭାବେ ମନ୍ତବ୍ୟ ରଖୁଛନ୍ତି ମନ୍ତ୍ରୀ । ଯେଉଁ ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ କଥା । ରାଜ୍ୟରେ ଗାଁ ଠାରୁ ଭୁବନେଶ୍ଵର ସହର ପର୍ୟ୍ୟନ୍ତ ସମସ୍ତେ ଟାଟା ପାୱାରର ବିଦ୍ୟୁତ ବିତରଣ ବ୍ୟବସ୍ଥାକୁ ନେଇ ଅସହନୀୟ ସ୍ଥିତିରେ ପହଂଚିଛନ୍ତି । ଯେହେତୁ ରାଜ୍ୟ ସରକାର ମୁଣ୍ଡ ବିକି ଦେଇଛନ୍ତି, ସେଥିପାଇଁ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଶକ୍ତି ବିଭାଗ ଟାଟା କମ୍ପାନୀ ଉପରେ ୟୁନିଲାଟେରାଲି ସମର୍ଥନ ଓଜାଡୁଛନ୍ତି । କିନ୍ତୁ ବିଜେପି ଚୁପ୍ ବସିବ ନାହିଁ । ଆଜି ଭୁବନେଶ୍ୱରରୁ ଆନ୍ଦୋଳନ ଆରମ୍ଭ କରୁଛି ବିଜେପି । ଆଗକୁ ଗାଁ ଗହଳି ପର୍ୟ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଦଳ କହିଛି  ।

Leave A Reply

Your email address will not be published.