ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମହିଳାଙ୍କ ଠାରୁ ଲୁଟ ଘଟଣାରେ ୨ଗିରଫ। ବାଲେଶ୍ୱର ଜିଲ୍ଲା ସୋର ଥାନା କେଶପୁର ଗ୍ରାମ ରାସ୍ତାରେ ଜଣେ ମହିଳାଙ୍କ ନିକଟରୁ ଲୁଟ ଘଟଣାରେ ସୋର ପୁଲିସ ଦୁଇ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
କେଶପୁର ଗ୍ରାମର ସାଇରେନ୍ଦ୍ରି ପୋଇ ସାଇକେଲ ଯୋଗେ ବଜାର ଆସୁଥିବା ବେଳେ ଦୁଇ ଜଣ ଯୁବକ କଳା ଅପାଚି ବାଇକରେ ଆସି ତାଙ୍କ ସାଇକେଲ ବାସ୍କେଟରେ ଥିବା ମନିପର୍ସ ଲୁଟ କରି ଫେରାର ହୋଇ ଯାଇଥିଲେ। ମନିପର୍ସରେ ତାଙ୍କର ମୋବାଇଲ ଓ ଦୁଇହଜାର ଟଙ୍କା ଥିବା ଥାନାରେ ଅଭିଯୋଗ କରିଥିଲେ ସାଇରେନ୍ଦ୍ରୀ।ଏ ବାବଦରେ ସାଇରେନ୍ଦ୍ରି ସୋର ଥାନାରେ ଅଭିଯୋଗ କରିବା ପରେ ପୁଲିସ ୫୧୯/୨୩ ରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ଦ୍ବୟ ଫେରାର ହୋଇଯାଇଥିଲେ।
ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗତକାଲି ବିଳମ୍ବିତ ରାତିରେ ପୁଲିସ ଏହି ଘଟଣାରେ ସମ୍ପୃକ୍ତ ଥିବା ବାଳଙ୍ଗ ଗ୍ରାମର ଗୋପାଳ ମହାରଣା (୨୪) ଏବଂ ସିମୁଳିଆ ଗ୍ରାମର ପ୍ରକାଶ ବାରିକ (୨୩) କୁ ଗିରଫ କରିଥିଲେ। ଆଜି ଅଭିଯୁକ୍ତ ମାନଙ୍କୁ ସୋର ଡାକ୍ତରଖାନାରେ ଡାକ୍ତରୀ ମାଇନା ପରେ ଉଭୟଙ୍କୁ ପୁଲିସ କୋର୍ଟ ଚାଲାଣ କରିଥିବା ଜଣାଯାଇଛି।