ନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷର କାରାଦଣ୍ଡାଦେଶ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତଥା ସ୍ଵତନ୍ତ୍ର ଫାଷ୍ଟଟ୍ରାକ କୋର୍ଟ ବିଚାରପତି ସନ୍ତୋଷ କୁମାର ନାୟକ ବୁଧବାର ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ ପୂର୍ବକ ୨୦ବର୍ଷର ସଶ୍ରମ କାରାଦଣ୍ଡାଦେଶ ଶୁଣାଣି କରିଛନ୍ତି। ଏହା ସହିତ ୧୦ହଜାର ଟଙ୍କା ଜରିମାନା ଅନାଦେୟ ଅଧିକ ୬ମାସର ଅତିରିକ୍ତ ଜେଲଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି।

ଆସାମୀ ଜଣକ ହେଲା ବାରିପଦା ସଦର ଥାନା ଅନ୍ତର୍ଗତ କୁଣ୍ଡଲବଣି ଗ୍ରାମର ମହାଦେବ ସିଂ ଓରଫ ଦେବ(୪୦)। ଘଟଣାରୁ ପ୍ରକାଶ ଯେ, ଜୈନିକା ମାନସିକ ଦିବ୍ୟାଙ୍ଗ ନାବାଳିକା ଜଣକ ଗତ ୨୬/୦୯/୨୦୧୯ରେ ଦିନ ପ୍ରାୟ ୧୨ଟା ସମୟରେ ମହାଦେବ ସିଂ ଘର ନିକଟରେ ବୁଲାବୁଲି କରୁଥିଲେ। ଉକ୍ତ ସମୟରେ ମହାଦେବ ଉକ୍ତ ନାବାଳିକାକୁ ଜୋର ଜବରଦସ୍ତ ଘର ଭିତରକୁ ନେଇ ଆସି ବଳପୂର୍ବକ ଦୁଷ୍କର୍ମ କରିଥିଲେ। ନାବାଳିକା ଜଣକ ଜୋରରେ ପାଟି କରିବାରୁ ମହିଳା ଜଣକ ପାଟି ଶୁଣି ଘର ନିକଟକୁ ଆସି ପହଞ୍ଚିଥିଲେ। ନାବାଳିକାକୁ ଛାଡି ଦେବାକୁ ମହାଦେବଙ୍କୁ ମହିଳା ଜଣକ କହିବା ସହ ପାଟିତୁଣ୍ଡ କରିଥିଲେ। ତେବେ ମହାଦେବ ନାବାଳିକାକୁ ନଛାଡିବାରୁ ମହିଳା ଜଣକ ଉକ୍ତ ସମୟରେ ମହାଦେବ ଉପରକୁ ପଥର ଫୋଫାଡ଼ିଥିଲେ।

ଉକ୍ତ ସମୟରେ ମହାଦେବ ଘଟଣାସ୍ଥଳ ଛାଡି ଚାଲିଯିବା ପରେ ପିଡିତା ନାବାଳିକାକୁ ମହିଳା ଜଣକ ଉଦ୍ଧାର କରି ପରିବାର ଲୋକଙ୍କୁ ଜଣାଇଥିଲେ। ଏଥିପରେ ଗାଁରେ ବୈଠକ ହୋଇ ନିଷ୍ପତ୍ତି ଅନୁଯାୟୀ ୨୮/୦୯/୨୦୧୯ରେ ଘଟଣା ବାବଦରେ ସ୍ଥାନୀୟ ବାରିପଦା ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ପିଡିତାର ବୟାନ ରେକର୍ଡ କରିବା ପରେ କେଶ ନମ୍ବର ୬୧/୨୦୧୯ରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସମସ୍ତ ୨୧ଜଣ ସାକ୍ଷୀଙ୍କ ବୟାନ, ୧୬ଗୋଟି ନଥିପତ୍ର ଓ ତଦନ୍ତ ରିପୋର୍ଟକୁ ଭିତ୍ତିକରି ଜର୍ଜ ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ଏଥି ସହିତ ପିଡିତା ନାବାଳିକାକୁ ୫ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ମାମଲାକୁ ଆଇନଜୀବୀ ମନୋରଞ୍ଜନ ପଟ୍ଟନାୟକ ପରିଚାଳନା କରୁଥିଲେ।

Leave A Reply

Your email address will not be published.