ଜିଲ୍ଲାପାଳଙ୍କୁ ଭେଟିଲେ ଓଡିଶା ଦୁର୍ନୀତି ସଂଘର୍ଷ ମଞ୍ଚର କର୍ମକର୍ତ୍ତା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଓଡିଶା ଦୁର୍ନୀତି ସଂଘର୍ଷ ମଞ୍ଚର ମୟୂରଭଞ୍ଜ ଜିଲ୍ଲା ଶାଖା ପକ୍ଷରୁ କର୍ମକର୍ତ୍ତା ମାନେ ଜିଲ୍ଲାରେ ହେଉଥିବା ବେଆଇନ ଖଣିଜ ସମ୍ପଦ ଲୁଟ ରୋକିବା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସଭାପତି ବିଭୁତି ଭୂଷଣ ସଦୁଆଳଙ୍କ ନେତୃତ୍ୱରେ ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ମଙ୍ଗଳବାର ବାରିପଦା ସ୍ଥିତ କାର୍ଯ୍ୟାଳୟରେ ମୟୂରଭଞ୍ଜ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେଙ୍କୁ ଭେଟି ଜିଲ୍ଲାର ଜନସାଧାରଣଙ୍କ ପ୍ରମୁଖ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।

ଜିଲ୍ଲାର ବିଭିନ୍ନ ସ୍ଥାନରେ ହେଉଥିବା ବେଆଇନ ପଥର ବ୍ଲାଷ୍ଟିଙ୍ଗ୍, ଖଣି ସମ୍ପଦ ଲୁଟ ସମ୍ପର୍କରେ ଲିଖିତ ଭାବେ ଅଭିଯୋଗ ଜଣାଇଛନ୍ତି। ବିଶେଷ କରି ଜିଲ୍ଲାର ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ କଳାବାଡିଆ ପଞ୍ଚାୟତର କଳାପାହାଡିରେ ହେଉଥିବା ବ୍ୟାପକ ଭାବେ ବେଆଇନ ବ୍ଲାଷ୍ଟିଙ୍ଗ୍ ଏବଂ ପଥର ପରିବହନ ହେଉଛି। ପ୍ରତିଦିନ ୪୦ରୁ ୫୦ଟ୍ରକ ଲଘୁ ଖଣିଜ ଚାଲାଣ ସହ ସ୍ଥାନୀୟ ଅଞ୍ଚଳରେ ପରିବେଶ ପ୍ରଦୂଷଣ ହେଉଛି। ବ୍ଲାଷ୍ଟିଙ୍ଗ୍ ଦ୍ବାରା ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଘରର କାନ୍ଥ ଫାଟି ଯିବା ସହ ଚାଷଜମିରେ ପଥର ଗୁଣ୍ଡ ପଡି ବ୍ୟାପକ ଫସଲ ହାନି ହେଉଛି। ଠିକ୍ ସେହିପରି ଜଳାଶୟରେ ମଧ୍ୟ ପଥର ଗୁଣ୍ଡ ପଡି ଜଳାଶୟର ଜଳ ପ୍ରଦୂଷିତ ହେଉଛି। କିଛି ପ୍ରଭାବଶାଳୀ ଖଣି ମାଫିଆ ମାନେ ଏକ ବୃହତ ଜଳାଶୟକୁ କବଜା କରି ଅଧାରୁ ଅଧିକ ପୋତି ପକାଇଲେଣି। ଏଥି ସହିତ ଉକ୍ତ ଜଳାଶୟ ଗୁଡିକ ବ୍ୟବହାର ଉପଯୋଗୀ ହୋଇ ପାରୁନାହିଁ। ସ୍ଥାନୀୟ ଜନସାଧାରଣ ବିଭିନ୍ନ ସମୟରେ ସ୍ଥାନୀୟ ଅଧିକାରୀ, ବ୍ଲକ ଅଧିକାରୀ ମାନଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳି ପାରିନାହିଁ।

ଅଧିକାରୀ ମାନେ ସବୁ ଜାଣି ସୁଦ୍ଧା ନିଦାବିଷ୍ଣୁ ସାଜି ସବୁ ଦେଖୁଛନ୍ତି। କିନ୍ତୁ ସ୍ଥାନୀୟ ଲୋକମାନେ ଖଣି ମାଫିଆ ମାନଙ୍କ ଭୟରେ କିଛି ପ୍ରତିବାଦ ନକରି ଚୁପ ହୋଇ ରହୁଛନ୍ତି। ଖଣି ମାଫିଆ ମାନେ ବେଆଇନ ଭାବେ ଖଣି କାରବାର ଜାରି ରଖିଥିବା ବେଳେ ଲୋକେ ସମସ୍ୟାରେ ପଡୁଛନ୍ତି। ତେଣୁକରି ଓଡିଶା ଦୁର୍ନୀତି ସଂଘର୍ଷ ମଞ୍ଚ ପକ୍ଷରୁ ସ୍ଥାନୀୟ ଲୋକମାନଙ୍କ ଉକ୍ତ ସମସ୍ୟାର ସମାଧାନ କରିବା ପାଇଁ ଦାବି ଉପସ୍ଥାପନ କରିଛନ୍ତି। ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ମିଳିତ ଭାବେ ଦୃଷ୍ଟି ଦେଇ ଖୁବଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ସମ୍ପାଦକ ଆଲୋକ କୁମାର ରଣା , ଉପସଭାପତି ମୁକ୍ତିକାନ୍ତ ଜିଉ , କୋଷାଧ୍ୟକ୍ଷ ହରନାରାୟଣ ମିଶ୍ର , ସୁନିଲ କୁମାର ହୋତା, ରାଧାଗୋବିନ୍ଦ ବେହେରା ,ଉଦୟନାଥ ଜେନା ଓ ସଞ୍ଜୟ କୁମାର ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.