ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସମୂହ ଛୁଟିରେ ଗଲେ ଏୟାର ଇଣ୍ଡିଆର ୩ଶହ କର୍ମଚାରୀ। ଅସୁସ୍ଥତା ଦର୍ଶାଇ ଏକ ସଙ୍ଗେ ସମସ୍ତ କର୍ମଚାରୀ ସମୂହ ଛୁଟିରେ ଚାଲି ଯାଇଛନ୍ତି। ଫଳରେ ଗତ ରାତିରୁ ଆଜି ସକାଳ ପର୍ଯ୍ୟନ୍ତ ଏୟାର ଇଣ୍ଡିଆ ୭୮ରୁ ଅଧିକ ଘରୋଇ ଓ ଅନ୍ତର୍ଜାତୀୟ ଉଡ଼ାଣକୁ ବାତିଲ୍ କରି ସାରିଲାଣି।ସୂଚନା ଅନୁସାରେ ବିମାନ ଚାଳକ ଟିମର ଅନେକ ସଦସ୍ୟ ମଙ୍ଗଳବାର ହଠାତ ଅସୁସ୍ଥତା ଦର୍ଶାଇ ଛୁଟି ପାଇଁ ଆବେଦନ କରିଥିଲେ।
ଏହାପରେ ସମସ୍ତ ସଦସ୍ୟଙ୍କ ମୋବାଇଲ୍ ସୁଇଚ୍ ଅଫ୍ ରହିଛି। ସେମାନଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ବି ସମ୍ଭବ ହୋଇ ନ ଥିବା ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି। ଏନେଇ ଏୟାର ଇଣ୍ଡିଆ ପ୍ରବକ୍ତା କହିଛନ୍ତି, ଆମର ଶତାଧିକ କ୍ୟାବିନ କ୍ର୍ୟୁ ମେମ୍ବର ଏକସଙ୍ଗେ ଅସୁସ୍ଥ ହୋଇ ଯାଇଛନ୍ତି। ଫଳରେ ଅନିଚ୍ଛା ସତ୍ତ୍ୱେ ଆମକୁ ବହୁ ଫ୍ଲାଇଟକୁ ବାତିଲ କରିବା ସହ ବହୁ ଫ୍ଲାଇଟ୍କୁ ବିଳମ୍ବରେ ଛାଡ଼ିବାକୁ ପଡ଼ୁଛି। ଏଥିଯୋଗୁ ଆମ ଯାତ୍ରୀମାନେ ବହୁ ହଇରାଣର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଆମ ଟିମ୍ ନିରନ୍ତର ରୂପେ କାମ ଚାଲୁ ରଖିଛି। ଏହାସତ୍ତ୍ୱେ ଯାତ୍ରୀଙ୍କ ଅସୁବିଧାକୁ ଦୂର କରିବାକୁ ଯଥାସମ୍ଭବ ଆମେ ଚେଷ୍ଟାରତ ଥିବା ବେଳେ ଏଥିନିମନ୍ତେ ସେମାନଙ୍କ ନିକଟରେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରୁଛୁ।
ଏଥିସହ ଉଡ଼ାଣ ବାତିଲ ହୋଇଥିବା ଫ୍ଲାଇଟର ଯାତ୍ରୀମାନଙ୍କୁ ସେମାନଙ୍କ ଟଙ୍କା ସମ୍ପୂର୍ଣ୍ଣ ରୂପେ ଫେରାଯିବ । ନଚେତ ସେମାନେ ଚାହିଁଲେ ତାହାକୁ ଅନ୍ୟ ତାରିଖକୁ ଘୁଞ୍ଚାଇ ଦିଆଯିବ ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି।ସୂଚନା ଅନୁସାରେ ଟାଟା ଗ୍ରୁପ୍ ମାଲିକାନା ଅଧୀନରେ ଥିବା ଏୟାର ଇଣ୍ଡିଆର କିଛି କ୍ରୁ ମେମ୍ବର ମ୍ୟାନେଜମେଣ୍ଟ ଠିକ୍ ଭାବରେ କାମ କରୁ ନ ଥିବା ନେଇ ଗତମାସରେ ଅଭିଯୋଗ କରିଥିଲେ। କର୍ମୀଚାରୀଙ୍କ ସହ ସମାନ ବ୍ୟବହାର କରାଯାଉନି। ପରିଚାଳନାଗତ ତ୍ରୁଟି ରହୁଥିବା ନେଇ କର୍ମଚାରୀମାନେ ଦର୍ଶାଇଥିଲେ।