ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କଲକାତାରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା। ଏହାର ପ୍ରତିବାଦରେ ଆଜି ଭୁବନେଶ୍ୱର ଏମ୍ସର ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସିନିୟର୍ ରେସିଡେଣ୍ଟ, ଜୁନିୟର ରେସିଡେଣ୍ଟ ଓ ଡାକ୍ତରୀ ଛାତ୍ରଛାତ୍ରୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଭୁବନେଶ୍ୱର ଏମ୍ସରେ ସିନିୟର୍ ରେଶିଡେଣ୍ଟ, ଜୁନିୟର ରେସିଡେଣ୍ଟ ଓ ଡାକ୍ତରୀ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି।
ପୀଡ଼ିତାଙ୍କୁ ନ୍ୟାୟ, ସଠିକ୍ ତଦନ୍ତ ଓ ଡାକ୍ତରଙ୍କୁ ସୁରକ୍ଷା ଦାବି ନେଇ ଏହି ଆନ୍ଦୋଳନ କରାଯାଇଛି। ମୁଣ୍ଡରେ ଧଳା ପଟି, ହାତରେ କଳା ବ୍ୟାଚ୍ ପିନ୍ଧି ଆନ୍ଦୋଳନ କରୁଛନ୍ତି ଡାକ୍ତର। ଜରୁରୀକାଳୀନ ସେବାକୁ ଛାଡ଼ି ଓପିଡି, ଆଇପିଡି, ଓଟି କାର୍ଯ୍ୟରୁ ନିବୃତ୍ତ ରହିଛନ୍ତି ଡାକ୍ତର। ଯାହାକୁ ନେଇ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି। କେବଳ ପ୍ରଫେସର ଏବଂ ଆସିଷ୍ଟାଣ୍ଟ ପ୍ରଫେସର ରୋଗୀ ସେବାରେ ନିୟୋଜିତ ଅଛନ୍ତି।
ଭୁବନେଶ୍ୱର ଏମସ୍ ଆଡିସିନାଲ୍ ସୁପରିଟେଣ୍ଡେଣ୍ଟ ଡାକ୍ତର ପ୍ରଭାସ ତ୍ରିପାଠୀ କହିଛନ୍ତି, ସିନିୟର୍ ରେଶିଡେଣ୍ଟ, ଜୁନିୟର ରେସିଡେଣ୍ଟ, ଡାକ୍ତରୀ ଛାତ୍ରଛାତ୍ରୀ ଆନ୍ଦୋଳନ କରୁଛନ୍ତି। ପ୍ରଫେସର ଏବଂ ଆସିଷ୍ଟାଣ୍ଟ ପ୍ରଫେସର ମାନେ ରୋଗୀ ଦେଖୁଛନ୍ତି। ଯେପରି ରୋଗୀ ସେବା ବ୍ୟାହତ ନ ହେବ ସେନେଇ ଚେଷ୍ଟା କରାଯାଉଛି। ଅନ୍ୟପଟେ ଏହି ଘଟଣାର ସିବିଆଇ ତଦନ୍ତ ନିର୍ଦେଶ ଦେଇଛନ୍ତି କଲକାତା ହାଇକୋର୍ଟ। ମଙ୍ଗଳବାର ହାଇକୋର୍ଟ ଘଟଣା ତଦନ୍ତ ଭାର ତୁରନ୍ତ ସିବିଆଇକୁ ହସ୍ତାନ୍ତର କରିବା ଲାଗି ରାଜ୍ୟ ପୁଲିସକୁ ନିର୍ଦେଶ ଦେଇଛନ୍ତି।