ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଗଞ୍ଜେଇ ମାଫିଆଙ୍କୁ ଛାଡ଼ି ଗଞ୍ଜେଇ ଗାଡ଼ି ଜବତ କରିବା ଘଟଣାରେ ମାଛକୁଣ୍ଡ ଥାନା ଓ ଲମତାପୁଟ ଥାନାର ୩ ପୁଲିସ ଅଧିକାରୀଙ୍କ ସମେତ ୧୧ଜଣ ପୁଲିସ କର୍ମଚାରୀଙ୍କୁ କୋରାପୁଟ ଏସପି ନିଲମ୍ବିତ କରିଥିବା ସୂଚନା ରହିଛି। ଏମାନଙ୍କ ମଧ୍ୟରେ ୩ ଜଣ ସବଇନସପେକ୍ଟର, ଜଣେ ହେଡ କନଷ୍ଟେବଳ, ୨ ଯବାନ ,୨ ଜଣ ତାଲିମ ନେଉଥୁବା ସବଇନସପେକ୍ଟର ସମେତ ୨ଜଣ ହୋମ ଗାର୍ଡ ରହିଛନ୍ତି। ସେମାନଙ୍କୁ ଗିରଫ କରାଯିବାର ସମ୍ଭାବନା ରହିଛି।
ତେବେ ଏ ସମ୍ପର୍କରେ ତଦନ୍ତ ଚାଲିଛି ବୋଲି କୋରାପୁଟ ଆରକ୍ଷୀ ଅଧୀକ୍ଷକ ଅଭିନବ ସୋନକର କହିଛନ୍ତି। ତେବେ ସୂଚନା ମୁତାବକ, ସୋମବାର ବିଳମ୍ବିତ ରାତିରେ ମାଛକୁଣ୍ଡ ଓ ଲମତାପୁଟ ପୁଲିସ ଓଡ଼ିଶା-ଆନ୍ଧ୍ର ସୀମାରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଆନ୍ଧ୍ରରୁ ଏକ ଗଞ୍ଜେଇ ଟ୍ରକ୍ ଓଡ଼ିଶା ସୀମା ଦେଇ ବାହାର ରାଜ୍ୟକୁ ଯାଉଥିଲା। ମାଛକୁଣ୍ଡ ଓ ଲମତାପୁଟ ପୁଲିସ ଏହି ଗାଡ଼ିଟିକୁ ଅଟକାଇବା ସହ ଗଞ୍ଜେଇ ମାଫିଆଙ୍କୁ ଅଟକ ରଖିଥିଲେ। ପରେ ଗଞ୍ଜେଇ ମାଫିଆମାନେ ପୁଲିସ ସହ ଏକ ଡିଲ୍ କରିଥିଲେ। ମାଫିଆମାନେ ଗାଡ଼ିକୁ ଛାଡ଼ିବା ପାଇଁ ପୁଲିସ ସହ ୧୦ ଲକ୍ଷ ଟଙ୍କା ଡିଲ୍ କରିଥିବା ସୂଚନା ରହିଛି। ପରେ ଗଞ୍ଜେଇ ମାଫିଆମାନେ ପୁଲିସକୁ ୫ ଲକ୍ଷ ଟଙ୍କା ଦେଇଥିବା ବେଳେ ଅବଶିଷ୍ଟ ଟଙ୍କା ଦେଇନଥିବା ଜଣାଯାଇଛି।ଯାହାକୁ ନେଇ ପୁଲିସ ଓ ଗଞ୍ଜେଇ ମାଫିଆଙ୍କ ମଧ୍ୟରେ ବଚସା ହୋଇଥିଲା।
ପରେ ପୁଲିସ ଗାଡ଼ି ଛାଡ଼ି ନଥିବା ବେଳେ ମାଫିଆମାନେ ଗାଡ଼ି ଛାଡ଼ି ପଳାଇଥିଲେ। ଏସଡିପିଓ ରିପୋର୍ଟ ଦେବା ପରେ ମାଛକୁଣ୍ଡ ଓ ଲମତାପୁଟ ଥାନାର ୭ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ରହିଛି। ଏଥିସହ ଜଣ ହୋମଗାର୍ଡଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଥିବା ବେଳେ ୨ ଜଣ ତାଲିମ ନେଉଥିବା ଏସଆଇଙ୍କ ବିରୋଧରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏସପି। ଗଞ୍ଜେଇ ମାଫିଆଙ୍କୁ ଧରିବା ପାଇଁ କୋରାପୁଟ ଏସପିଙ୍କ ନେତୃତ୍ୱରେ ସ୍ପେଶାଲ ଟିମ୍ ଗଠନ କରାଯାଇ ତଦନ୍ତ କରାଯାଉଛି।