ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟରେ ଆଗାମୀ ୪ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଆଜି ଘଡଘଡି ବିଜୁଳି ସହ ବର୍ଷା ନେଇ ୯ଟି ଜିଲାକୁ ସତର୍କତା ଜାରି ହୋଇଛି। ଏସବୁ ଜିଲାଗୁଡ଼ିକ ହେଲା ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଯାଜପୁର, କେନ୍ଦ୍ରାପଡା, ଝାରସୁଗୁଡା ଏବଂ ସମ୍ବଲପୁରକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଆସନ୍ତା ୧୭ ତାରିଖ ଯାଏ ରାଜ୍ୟର ଅଧିକାଂଶ ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ।
ଆସନ୍ତା ୧୯ ତାରିଖ ଯାଏ ଏହା ପଶ୍ଚିମବଙ୍ଗ ଓ ସଂଲଗ୍ନ ଝାଡଖଣ୍ଡ ଉପରେ ରହିପାରେ। ଏହା ମୌସୁମୀ ଟ୍ରଫର ଏକ ଅଂଶବିଶେଷ ହେବ। ଏହାଦ୍ୱାରା ଆସନ୍ତା ୫ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହେବ। ୧୬ ତାରିଖରେ ୫ ଜିଲ୍ଲା, ୧୭ ତାରିଖରେ ୬ଟି ଓ ୧୮ ତାରିଖରେ ୫ ଜିଲ୍ଲାକୁ ସତର୍କ କରାଯାଇଛି।
ବର୍ତ୍ତମାନ ରାଜ୍ୟରେ ମୌସୁମୀ ନିମ୍ନଚାପରେଖା ସକ୍ରିୟ ରହିଥିବା ବେଳେ ଉତ୍ତର-ପୂର୍ବ ମଧ୍ୟପ୍ରଦେଶ, ଉତ୍ତର-ପୂର୍ବ ରାଜସ୍ଥାନ ଦେଇ ବାଂଲାଦେଶ ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାସହ ଝାଡଖଣ୍ଡ ଏବଂ ଏହାର ଆଖପାଖରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ସାରା ରାଜ୍ୟରେ ମେଘୁଆ ପାଗ ରହିବା ସହ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି।