୭୦ ଲକ୍ଷ ଟଙ୍କାର ଗହଣା ଦିଲ୍ଲୀରୁ ଲୁଟ; ସୋରରୁ ଉଦ୍ଧାର ଅଭିଯୁକ୍ତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦିଲ୍ଲୀ ପୋଲିସକୁ ବଡ ସଫଳତା। ତିନିଦିନ ବର୍ଷାରେ ବିଲରେ ଶୋଇ ଲୁଟେରାକୁ ଧରିଲା ଦିଲ୍ଲୀ ପୋଲିସ| ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ସୋର ଥାନା ରଘୁନାଥପୁର ଗ୍ରାମର ଗଣେଶ ଦାସ ଉତ୍ତର ପ୍ରଦେଶର ଜଣେ ସାଧୁଙ୍କ ଦିଲ୍ଲୀ ସିଆର ପାର୍କସ୍ଥିତ ବାସଭବନରେ କାର୍ଯ୍ୟ କରିବାକୁ ନିୟୋଜିତ ହୋଇଥିଲା।ଗତ ୬ଦିନ ପୂର୍ବରୁ ଗଣେଷ ନିଜର ଜଣେ ସହଯୋଗୀ ସହ ମିଶି ସାଧୁଙ୍କ ଘରୁ ବିଭିନ୍ନ ସୁନାମୂର୍ତ୍ତି ସହ ନଗଦ ୩୦ଲକ୍ଷ ଟଙ୍କା ଚୋରି କରି ଫେରାର ହୋଇଯାଇଥିଲେ।

ଚୋରି ଜିନିଷ ମଧ୍ୟରେ ୯ଶହ ଗ୍ରାମ ଓଜନର ଦୁଇଟି, ୮ ଶହ ଗ୍ରାମର ଗୋଟିଏ ସୁନା ସ୍ୱସ୍ତିକ ଓ ସୂର୍ଯ୍ୟ ମୂର୍ତ୍ତି, ସୁନା ହୀରା କାନ ଫୁଲ ଦୁଇ ହଳ, ୧ ଶହ ଗ୍ରାମର ସୁନା ହାର ରହିଥିବା ଜଣାଯାଇଛି। ସମସ୍ତ ଗହଣାର ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କା ହେବ ବୋଲି ଜଣାଯାଇଥିବା ବେଳେ ନଗଦ ୩୦ ଲକ୍ଷ ଟଙ୍କା ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା। ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଧରିବାରେ ଦିଲ୍ଲୀ ପୋଲିସ ସୋର ପହଞ୍ଚିଥିଲା।ବହୁ କଷ୍ଟ ପରେ ଦିଲ୍ଲୀ ପୋଲିସ ସୁନା ଗହଣା ଓ ମୂର୍ତ୍ତି ଉଦ୍ଧାର କରି ସଫଳତା ପାଇଥିବା ନଗଦ ୩୦ ଲକ୍ଷ ଟଙ୍କା ଉଦ୍ଧାର କରିବାରେ ବିଫଳ ହୋଇଛି | ଦୀର୍ଘ ଚାରିଦିନ ଦିଲ୍ଲୀ ପୋଲିସ ରଘୁନାଥପୁର ବିଲରେ ଲୁଚିରହି ଗଣେଶକୁ ଅପେକ୍ଷା କରିଥିଲା | ଗତ ମଙ୍ଗଳବାର ବୁଧୁବାର ରାତିରେ ପ୍ରବଳ ବର୍ଷା ସତ୍ତ୍ଵେ ଦିଲ୍ଲୀ ପୋଲିସ ବିଲ ହିଡ଼ମୂଳରେ ଲୁଚିରହି ଗଣେଶକୁ ଧରିବାକୁ ଅପେକ୍ଷା କରିଥିଲା |

ପରଦିନ ବାଗୁଡ଼ିର ହାଣ୍ଡିଆ ଭାଟିରୁ ଦିଲ୍ଲୀ ପୋଲିସ ଗଣେଶକୁ ଧରିବାକୁ ସକ୍ଷମ ହୋଇଥିଲା ବେଳେ ଗଣେଶର ସହଯୋଗୀ ଖସି ଯାଇଥିଲା | ଆଜି ସୋର ପୋଲିସ ଓ ଦିଲ୍ଲୀ ପୋଲିସ ମିଳିତ ଚଢ଼ାଉ କରି ଔପଦା ବ୍ଲକ ଭୀମେଇ ଗ୍ରାମର ପପୁ ନାମକ ଗହଣା ଦୋକାନୀ ଠାରୁ ଚୋରୀ ମୂର୍ତ୍ତି ଓ ଗହଣା ଉଦ୍ଧାର କରିଥିବା ଜଣାଯାଇଛି | ଅଭିଯୁକ୍ତକୁ ସ୍ଥାନୀୟ ଅଦାଲତରେ ହାଜର କରାଇ ଦିଲ୍ଲୀ ନେବାକୁ ବନ୍ଦୋବସ୍ତ କରୁଛି ଦିଲ୍ଲୀ ପୋଲିସ।

Leave A Reply

Your email address will not be published.