ଓଡ଼ିଆ ନ୍ୟୁଜ୍: ୨୪ଟି ଜିଲ୍ଲାରେ ସ୍ଥାପନ ହେବ ୭୦୭ଟି ନୂଆ ୪ଜି ମୋବାଇଲ୍ ଟାୱାର। ରାଜ୍ୟର ଦୁର୍ଗମ ଅଞ୍ଚଳରେ ଥିବା ଗାଁଗୁଡ଼ିକରେ ଖୁବ୍ଶୀଘ୍ର ହାଇସ୍ପିଡ୍ ୱାୟରଲେସ୍ ଇଣ୍ଟରନେଟ୍ ଓ ଉନ୍ନତ ମୋବାଇଲ୍ ସେବା ପହଞ୍ଚିବାକୁ ଯାଉଛି। ୨୪ଟି ଜିଲ୍ଲାରେ ୭୦୭ଟି ନୂଆ ୪ଜି ମୋବାଇଲ୍ ଟାୱାର ସ୍ଥାପନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସେଥିପାଇଁ ଆବଶ୍ୟକ ସରକାରୀ ଜମି ଚିହ୍ନଟ କରି ଯୋଗାଇ ଦେବାକୁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ପ୍ରତ୍ୟେକ ସ୍ଥାନରେ ଅତିକମ୍ରେ ୨୦୦୦ ବର୍ଗଫୁଟ ଜମି ଯୋଗାଇଦେବାକୁ କୁହାଯାଇଛି।
ଜମି ମିଳିବା ପରେ ମୋବାଇଲ୍ ଟାୱାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।ଏ ସଂକ୍ରାନ୍ତରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ବିଶାଲ କୁମାର ଦେବ ୨୪ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି। ସେହି ଜିଲ୍ଲାଗୁଡ଼ିକ ହେଉଛି ଅନୁଗୁଳ, ବଲାଙ୍ଗୀର, ବାଲେଶ୍ବର, ବରଗଡ଼, ଭଦ୍ରକ, ବୌଦ୍ଧ, ଦେବଗଡ଼, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଯାଜପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ଼, ପୁରୀ, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼।
ଚିଠିରେ ଶ୍ରୀ ଦେବ ଉଲ୍ଲେଖ କରିଛନ୍ତି ଯେ ଭାରତ ସରକାରଙ୍କ ଇଲେକ୍ଟ୍ରୋ ନିକ୍ସ ଓ ଆଇଟି ମନ୍ତ୍ରଣାଳୟର ଡିଜିଟାଲ ଭାରତ ନିଧି ଦ୍ବାରା ୪ଜି ସାଚୁରେସନ ପ୍ରକଳ୍ପ ପାଇଁ ନୂୂଆ ମୋବାଇଲ୍ ଟାୱାର ସ୍ଥାପନ କରିବାକୁ ୭୦୭ଟି ନୂଆ ସ୍ଥାନ ଚିହ୍ନଟ କରାଯାଇଥିବା କେନ୍ଦ୍ର ଟେଲିକମ ମନ୍ତ୍ରୀ ଅବଗତ କରିଛନ୍ତି। ଯଥାଶୀଘ୍ର ସେହି ଟାୱାରଗୁଡ଼ିକୁ ସ୍ଥାପନ କରିବା ପାଇଁ ନୋ ଅବଜେକ୍ସନ ସାର୍ଟିଫିକେଟ (ଏନ୍ଓସି) ହାସଲ କରିବା ସହିତ ବିଏସ୍ଏନ୍ଏଲ୍କୁ ଜମି ହସ୍ତାନ୍ତର କରିବାକୁ ସେ ଜିଲ୍ଲାପାଳମାନଙ୍କୁ କହିଛନ୍ତି। ଜମି ମିଳିବା ପରେ ବିଏସ୍ଏନ୍ଏଲ୍ ତରଫରୁ ଟାୱାର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ। ଶ୍ରୀ ଦେବ ଏହା ମଧ୍ୟ ସୂଚିତ କରିଛନ୍ତି ଯେ କିଛି ଜିଲ୍ଲା ତ୍ବରିତ ପଦକ୍ଷେପ ଗ୍ରହଣ କରିଥିବାରୁ ୨୯୪ଟି ସ୍ଥାନ ପାଇଁ ଏନ୍ଓସି ମିଳିସାରିଛି। ଫଳରେ ସେହି ସବୁ ସ୍ଥାନରେ ଟାୱାର ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ହୋଇଛି।
ରାଜ୍ୟର ଦୁର୍ଗମ ଓ ଉପେକ୍ଷୀତ ଅଞ୍ଚଳଗୁଡ଼ିକରେ ଡିଜିଟାଲ ସେବାରେ ଉନ୍ନତି ଆଣିବା ପାଇଁ ଏହି ପ୍ରକଳ୍ପ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ କ୍ଷେତ୍ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇ ତୁରନ୍ତ ଜମି ଚିହ୍ନଟ କରି ହସ୍ତାନ୍ତର କରିବାକୁ ସେ ଜିଲ୍ଲାପାଳମାନଙ୍କୁ କହିଛନ୍ତି। ଉଲ୍ଲେଖଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୬୦୨ଟି ଟାୱାର କାର୍ଯ୍ୟକ୍ଷମ ହୋଇଛି। ଆଉ ୬୮୩ଟି ଟାୱାରର ନିର୍ମାଣ କାର୍ଯ୍ୟ ଜାରି ରହିଛି। ୮୩୪ଟି ନୂଆ ଟାୱାର ସ୍ଥାପନ କରିବାକୁ ଅନୁମୋଦନ ହୋଇଛି।