ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍): ରାଜ୍ୟରେ ଦିନକୁ ଦିନ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ବଢିଚାଲିିଥିବା ବେଳେ ବିଜେବି କଲେଜର ଛାତ୍ରୀଙ୍କ ଆତ୍ମହତ୍ୟା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଏତିକି ବେଳେ ସାଂଘାତିକ ରିପୋର୍ଟ ସାମ୍ନାକୁ ଆଣିଛି ଓଡ଼ିଶା ପୋଲିସ । ୨୦୨୦ ମସିହାରେ ସାରା ଦେଶରେ ଛାତ୍ରଛାତ୍ରୀ ଆତ୍ମହତ୍ୟା ଘଟଣାରେ ଓଡ଼ିଶା ଦ୍ୱିତୀୟ ନମ୍ବରରେ ରହିଛି । ଏକ ନମ୍ବରରେ ରହିଛି ମହାରାଷ୍ଟ୍ର । ଦେଶର ଭବିଷ୍ୟତ କୁହାଯାଉଥିବା ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟାକୁ ନେଇ ଏଭଳି ତଥ୍ୟ ରାଜ୍ୟବାସୀକୁ ଚିନ୍ତାରେ ପକାଇଦେଇଛି । ୨୦୨୦ ମସିହାରେ ୧,୪୬୯ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିବା ଯୋଗୁ ଓଡ଼ିଶା ଦ୍ବିତୀୟ ସ୍ଥାନରେ ରହିଥିବାବେଳେ ପ୍ରଥମ ସ୍ଥାନରେ ରହିଛି ମହାରାଷ୍ଟ୍ର । ଏହି ରାଜ୍ୟରେ ୧,୬୪୮ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ତୃତୀୟ ସ୍ଥାନରେ ଥିବା ମଧ୍ୟପ୍ରଦେଶରେ ୧,୧୫୮ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି ।
ରିପୋର୍ଟ ମୁତାବକ, ୨୦୧୯ରେ ୩୭୯, ୨୦୧୮ରେ ୫୦୧, ୨୦୧୭ରେ ୩୬୧, ୨୦୧୬ରେ ୩୯୦ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ୨୦୨୦ରୁ ୨୦୧୬ ଭିତରେ ମୋଟ ୩,୧୦୦ ଜଣ ଆତ୍ମହତ୍ୟା କରିଥିବାବେଳେ ଛାତ୍ରଙ୍କ ସଂଖ୍ୟା ୧,୮୪୮ ଏବଂ ଛାତ୍ରୀଙ୍କ ସଂଖ୍ୟା ୧,୨୫୨ ଥିବା ଓଡ଼ିଶା ପୁଲିସ ରିପୋର୍ଟରୁ ସୂଚନା ମିଳିଛି । ଗଲା ଦୁଇବର୍ଷରେ ରାଜ୍ୟରେ ଚର୍ଚ୍ଚିତ ଛାତ୍ରଛାତ୍ରୀ ଆତ୍ମହତ୍ୟା ତାଲିକା ଅନୁଯାୟୀ, ୨୦୨୨ ଜୁନ୍ ୧ରେ ରେଭେନ୍ସା ବିଶ୍ବବିଦ୍ୟାଳୟର ଆଇଟିଏମ୍ ତୃତୀୟବର୍ଷ ଛାତ୍ର ଏସ୍. ଅମିତ କୁମାର ପ୍ରେମ ବ୍ୟାପାରକୁ ନେଇ ଛାତ୍ରାବାସରେ ବିଷ ପିଇ ଆତ୍ମହତ୍ୟା କରିଥିଲେ । ୨୦୨୨ ମେ ୧୦ରେ ଅନୁଗୁଳର ଏକ ଘରୋଇ ଶିକ୍ଷାନୁଷ୍ଠାନର ଯୁକ୍ତଦୁଇ ଶେଷବର୍ଷ ଛାତ୍ର ଅବିନାଶ ପ୍ରଧାନ ଢେଙ୍କାନାଳର ଏକ ଘରୋଇ କଲେଜ କ୍ୟାମ୍ପସ୍ରେ ପାଠପଢ଼ାକୁ ନେଇ ଫ୍ୟାନ୍ରେ ଝୁଲି ଆତ୍ମହତ୍ୟା କରିଥିଲେ । ୨୦୨୨ ଏପ୍ରିଲ୍ ୩୦ରେ କଟକ ସଦର ଶଙ୍ଖତ୍ରାସ ସରକାରୀ ଉଚ୍ଚ ବିଦ୍ୟାଳୟ ବାରଣ୍ଡାରେ ବ୍ରାହ୍ମଣଝରିଲୋ କଲେଜରେ ଯୁକ୍ତଦୁଇ ପ୍ରଥମବର୍ଷ ଛାତ୍ର ରୁଦ୍ରପ୍ରକାଶ ଭୋଇ ଓ ଖଲର୍ଦ୍ଦାର ସୋନାଲି ବାରିକ ବେକରେ ଶାଢ଼ି ବାନ୍ଧି ଆତ୍ମହତ୍ୟା କରିଥିଲେ । ୨୦୨୨ ଏପ୍ରିଲ୍ ୨୨ରେ ବଲାଙ୍ଗୀର ଭୀମଭୋଇ ମେଡିକାଲ୍ କଲେଜ ଏବଂ ହସପିଟାଲ୍ର ପଞ୍ଚମବର୍ଷ ଏମ୍ବିବିଏସ୍ ଛାତ୍ର ହରିଆନାର ନିଶାନ୍ତ କୁମାର ସିନିୟର୍ଙ୍କ ରାଗିଂ ଯୋଗୁଁ ହଷ୍ଟେଲ କୋଠାରୁ ଡେଇଁ ଆତ୍ମହତ୍ୟା କରିଥିଲେ। ଆଉ ଏବେ ରାଗିଂ ଯୋଗୁ ବିଜେବି କଲେଜର ଛାତ୍ରୀଙ୍କ ଆତ୍ମହତ୍ୟା କରିଛିନ୍ତି ।