କଟକରେ ଚାଞ୍ଚଲ୍ୟ। ସ୍ୱତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀଙ୍କ ଆତ୍ମହତ୍ୟା। CDA ସେକ୍ଟର-୯ ସ୍ଥିତ ସରକାରୀ ଘରେ ସେ ଆତ୍ମହତ୍ୟା କରିଥିବା ଜଣାପଡିଛି। ଫ୍ୟାନରେ ଫସି ଦେବା ଅବସ୍ଥାରେ ବିଚାରପତିଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ବିଚାରପତିଙ୍କ ଆତ୍ମହତ୍ୟାର କାରଣ ଏଯାବତ ଅସ୍ପଷ୍ଟ ରହିଛି। ମିଳିଥିବା ସୂଚନା ଅନୁଯାୟୀ ବିଚାରପତି ଜଣକ ଦୁଇଦିନ ହେବ ଛୁଟିରେ ଥିଲେ। ଆଜି ସେ କାର୍ଯ୍ୟରେ ଯୋଗ ଦେବାର ଥିଲା। କିନ୍ତୁ ଆଜି ସକାଳେ ସେ ଷ୍ଟେନୋଙ୍କୁ ଫୋନ କରି ଛୁଟି ବଢାଇବା କଥା କହିଥିଲେ। ତେବେ ଦୁଃଖର ବିଷୟ ଯେ ସେ ଆତ୍ମହତ୍ୟା ଭଳି ଚରମ ନିଷ୍ପତି ନେଇଥିଲେ ଏବଂ କାହିଁକି ଓ କଣ ପାଇଁ ସେ ନେଇ ତଦନ୍ତ ଚାଲିଛି। କଟକର ଏକ ବେସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା ଓ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ | ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଥିବାବେଳେ ସାଇଣ୍ଟିଫିକ ଟିମ ପହଞ୍ଚିଛି। ତାଜା ସୂଚନା ଅନୁସାରେ ବର୍ତ୍ତମାନ ବିଚାରପତିଙ୍କ ମୃତଦେହକୁ କଟକ ବଡ଼ ଡାକ୍ତରଖାନାକୁ ନିଆଯାଇଥିବାବେଳେ ସେଠାରେ ପୋର୍ଷ୍ଟମର୍ଟମ୍ କରାଯିବ। ଏହାପରେ ତାଙ୍କ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।