ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଓଡିଶାର କୃଷିଭିତ୍ତିକ ଜାତୀୟ ପର୍ବ ହେଉଛି ରଜ । ରଜପର୍ବ ଚାରି ଦିନ ଧରି ପାଳନ କରାଯାଏ। ରଜର ପୂର୍ବ ଦିନକୁ ମାସନ୍ତ ବା ସଜବାଜ ଓ ପ୍ରଥମ ଦିନକୁ ପହିଲି ରଜ, ମଝି ରଜ ସଂକ୍ରାନ୍ତି, ଶେଷ ରଜ ବା ବସୁମତୀ ସ୍ନାନ ବା ବାସି ରଜ କୁହାଯାଏ । ଯେପରି ଏକ ରଜସ୍ଵଳା ନାରୀ ମୋଟ ୪ ଦିନ ପାଇଁ ଅଛୁତ ରୁହେ ସେପରି ବସୁଧା ମାତା କୁ ଅକ୍ଷତ ଓ ଅସ୍ପୁର୍ଶ୍ୟ ରଖାଯାଏ । ଧରିତ୍ରୀ ନିଜେ ରଜସ୍ରାବିତ ହୋଇ ନିଜ ସନ୍ତାନ ପାଇଁ ଶସ୍ୟ ଉତ୍ପାଦନକ୍ଷମତା ବଢାଏ । ରଜ ହେଉଛି ଏକମାତ୍ର ପର୍ବ ଯାହା ୩ଦିନ ପାଳିତ ହେବା ସହ ପ୍ରଥମ ରଜର ପୂର୍ବ ଦିନ ଓ ଶେଷ ରଜର ପର ଦିନ ମଧ୍ୟ ଏହି ପର୍ବ ପାଳିତ ହୋଇଥାଏ । ଅନ୍ୟ କୌଣସି ପର୍ବପର୍ବାଣିରେ ପ୍ରାୟତଃ ଏପରି ହୋଇ ନଥାଏ । କିନ୍ତୁ ଏହି ପର୍ବକୁ ନେଉ ଭିନ୍ନ ଏକ ପରମ୍ପରା ରହିଛି ।
କିମ୍ବଦନ୍ତୀ ବହୁଳ ରଜ ମହୋତ୍ସବ ବିଷୟରେ ବିଭିନ୍ନ ପୌରାଣିକ ଓ ସାମାଜିକ ପୃଷ୍ଠଭୂମି ଥିବାର ଅନୁମାନ କରାଯାଏ । ଲଙ୍କାରେ ରାକ୍ଷସମାନଙ୍କର ମହା ପ୍ରତାପୀ ରାଜା ରାବଣ ରାଜୁତି କରୁଥିବାବେଳେ ମୟଦାନବ ନାମରେ ମଧ୍ୟ ଆଉ ଜଣେ ରାଜା ଅନ୍ୟ ଏକ ରାଜ୍ୟରେ ରାଜୁତି କରୁଥିଲେ । ଉଭୟେ ରାକ୍ଷସମାନଙ୍କର ରାଜା ହୋଇଥିବା କାରଣରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ଖୁବ ନିବିଡ଼ ଥିଲା । ରାବଣ ମୟଙ୍କ ଦରବାରକୁ ଯିବା ଆସିବା କରୁଥିଲା । ରାଜା ମୟଙ୍କର ମନ୍ଦୋଦରୀ ନାମରେ ଅତି ସୁନ୍ଦରୀ କନ୍ୟାଟିଏ ଥିଲା । ରାବଣ ସୁନ୍ଦର, ପ୍ରତିଭାବାନ ଓ ବୀରଥିବାରୁ ସେମାନେ ପରସ୍ପର ପ୍ରତି ଆକର୍ଷିତ ହେଲେ ଓ ମନ୍ଦୋଦରୀ ଅନ୍ତସତ୍ତ୍ୱା ହେଲେ । ମନ୍ଦୋଦରୀଙ୍କଠାରୁ ଅତି ସୁନ୍ଦରୀ କନ୍ୟାଟିଏ ଜନ୍ମ ନେବା ଫଳରେ ପିତା-ମାତାଙ୍କ ପାଇଁ ବଦନାମର କାରଣ ହେଲା । ଅବିବାହିତ କନ୍ୟା ଜନନୀ ହେବା ବାସ୍ତବିକ ଲୋକ ଲଜ୍ଜା ଓ କଳଙ୍କ । ଏଣୁ ରାଜା ମୟ ଉକ୍ତ ଶିଶୁ କନ୍ୟାକୁ ବିଳମ୍ବିତ ରାତ୍ରରେ ଦୂର ରାଇଜକୁ (ମିଥିଳା ନଗର)କୁ ନେଇ ଗୁପ୍ତ ଭାବରେ ଗାତ ଖୋଳି ପୋତି ଦେଇଥିଲେ । ଏହି ଶିଶୁ କନ୍ୟାଟିକୁ ମିଥିଳା ରାଜ୍ୟରେ ପୋତି ଦେଇଥିବା କାରଣରୁ ମିଥିଳାରେ ଅକାଳ ପଡ଼ିଲା । ବର୍ଷା ହେଲା ନାହିଁ । ମିଥିଳାବାସୀ ତ୍ରାହି ତ୍ରାହି କରିବାକୁ ଲାଗିଲେ । ମିଥିଳା ରାଜ୍ୟର ଜଣେ ପ୍ରଜାବତ୍ସଳ ରାଜାଥିଲେ ରାଜା ଥିଲେ ଜନକ ।
ପ୍ରଜାଙ୍କର ଦୁଃଖଦୁର୍ଦଶା ଦେଖି ରାଜା ଜନକ ପ୍ରଜାଙ୍କ ହିତ ପାଇଁ ଜ୍ୟୋତିଷମାନଙ୍କର ପରାମର୍ଶ ନେଲେ । ଜ୍ୟୋତିଷମାନଙ୍କର ମତ ଅନୁଯାୟୀ ରାଜା ନିଜେ ହଳ ଯୋଚିଲେ ଅକାଳ ଦୂର ହେବ । “ର’ ଅର୍ଥ ସଂସାର ଓ “ଜ’ ଅର୍ଥ ଯୋଚିବା । ସଂସାରର ହିତ ପାଇଁ ରାଜା ଜନକ ନିଜେ ହଳ ଯୋଚିବାରୁ ଇନ୍ଦ୍ର ଦେବତା ସନ୍ତୁଷ୍ଟ ହୋଇ ମୂଷଳ ଧାରାରେ ବର୍ଷା ହେବାକୁ ଲାଗିଲା । ମିଥିଳାବାସୀ ଆନନ୍ଦ, ଉଲ୍ଲାସରେ ଗୀତ ଗାଇ ନାଚିବାକୁ ଲାଗିଲେ । ସାରା ମିଥିଳା ରାଜ୍ୟରେ ନାଚଗୀତର ପର୍ବ ଖେଳିଗଲା । ପୌରାଣିକ ମତାନୁଯାୟୀ ସେହି ଦିନଠୁଁ ରଜ ପର୍ବର ଆରମ୍ଭ ବୋଲି ବିଶ୍ୱାସ କରାଯାଏ ।
ଏହି ପର୍ବ ମଧ୍ୟ ମାତୃ ଶକ୍ତି ଉପାସନା ପାଇଁ ଉଦ୍ଦିଷ୍ଟ । ଓଡ଼ିଶାର ବହୁ ପ୍ରାଚୀନ କାଳରୁ ଝଂକଡ଼ରେ ଦେବୀ ସାରଳା, ଯାଜପୁରରେ ଦେବୀ ବିରଜା, ବାଙ୍କୀରେ ଦେବୀ ଚର୍ଚ୍ଚିକା, ଚୌଷଠି ଯୋଗିନୀଙ୍କୁ ଏହି ଅବସରରେ ବିଶେଷ ପୂଜା କରାଯାଏ ।