ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ରଥ ଯାତ୍ରାରେ ଶ୍ରୀକ୍ଷେତ୍ରକୁ ଜଗିବେ ୧୮୦ ପ୍ଲାଟୁନ୍ ପୋଲିସ ଫୋର୍ସ । ଏଥର କଡ଼ା ସୁରକ୍ଷା ବଳୟରେ ରହିବ ପୁରୀ ସହର । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଜନ ଗହଳି ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା ଦାୟିତ୍ଵରେ ରହିବେ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ । ନବଦିନାତ୍ମକ ଯାତ୍ରା ସମୟରେ ପୁରୀ ସହରକୁ ଜଗିବେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ । ରଥ ଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥା ନେଇ ପୁରୀ ପୋଲିସ ପକ୍ଷରୁ ପ୍ରସ୍ତୁତ ହୋଇଛି ବ୍ଲୁପ୍ରିଣ୍ଟ । ଜୁନ୍ ୨୦ରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ଅନୁଷ୍ଠିତ ହେବାକୁ ଥିବା ବେଳେ ଆଜି ପୋଲିସ ଏଡିଜି ଅମିତାଭ୍ ଠାକୁରଙ୍କ ଅଧ୍ୟକ୍ଷତାରେ ପୁରୀ ଏସପିଙ୍କ କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠି ହୋଇ ଯାଇଛି । ବୈଠକରେ ଜନ ଗହଳି ନିୟନ୍ତ୍ରଣ ସହ ଟ୍ରାଫିକ ସୁପରିଚାଳନା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ଘୋଷଯାତ୍ରା ସମୟରେ ଭୁବନେଶ୍ୱରରୁ ପୁରୀ, କୋଣାର୍କରୁ ପୁରୀ ଏବଂ ବ୍ରହ୍ମଗିରିରୁ ପୁରୀ ଆସୁଥିବା ଭକ୍ତ ଶ୍ରଦ୍ଧାଳୁମାନଙ୍କ ଯେଭଳି କୌଣସି ଅସୁବିଧା ନହେବ ଏବଂ କେଉଁ ସ୍ଥାନରେ ନିଜ ନିଜ ଗାଡ଼ି ପାର୍କିଂ କରି ପାରିବେ ସେ ନେଇ ଏକ ଭିଡିଓ ପୋଲିସ ପକ୍ଷରୁ ଜାରି କରାଯିବ ବୋଲି କହିଛନ୍ତି ଏଡିଜି ।
କେବଳ ଜନ ଗହଳି ନିୟନ୍ତ୍ରଣ ଓ ଟ୍ରାଫିକ ସୁପରିଚାଳନା ପାଇଁ ସ୍ୱତନ୍ତ୍ର ଭାବେ ୪୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହେବେ । ଏଥିସହ ପୁରୀ ସହର, ଶ୍ରୀମନ୍ଦିର ଭିତର, ବାହାର ଓ ଏହାର ଚତୁଃପାର୍ଶ୍ଵ ସହ ବିଭିନ୍ନ ସ୍ଥାନରେ ପର୍ଯ୍ୟାପ୍ତ ସିସିଟିଭି କ୍ୟାମେରା, ପୋଲିସ କଣ୍ଟ୍ରୋଲ ରୁମ୍ ସହ ଅନ୍ୟାନ୍ୟ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଥିବା କହିଛନ୍ତି ଏଡିଜି । ଆଜି ଅନୁଷ୍ଠିତ ବୈଠକରେ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ, ଆଡିସନାଲ୍ ସିପି ଉମାଶଙ୍କର ଦାସ, ଡିଆଇଜି ଅଖିଳେଶ୍ୱର ସିଂ ପ୍ରମୁଖ ଉପସ୍ଥିତ ଥିଲେ ।