ଓଡ଼ିଆ ନ୍ୟୁଜ, କଟକ : ଓଡିଶାର ପ୍ରସିଦ୍ଧ ପର୍ବ ଦୁର୍ଗାପୂଜା । ଓଡିଶାର ସିଲଭର୍ ସିଟି କଟକରେ ଦୁର୍ଗାପୂଜା ବଡ ଧୁମଧାମରେ ପାଳନ କରିଥାନ୍ତି କଟକୀଆ ମାନେ । ଦୁର୍ଗା ମାଙ୍କ ପୂଜାରେ ରହିଛି ଅନେକ ବେଶଷତ୍ୱ । ଏହି ପର୍ବର ଶେଷଦିନକୁ ଦଶହରା ବା ବିଜୟା ଦଶମୀ ବୋଲି କୁହାଯାଏ । ଦୁର୍ଗାପୂଜା ଶକ୍ତି ଉପାସନାର ପର୍ବ । ୯ଦିନ ବ୍ୟାପୀ ଏହି ପୂଜାରେ ଦେବୀଙ୍କ ଷୋଡଶ ଉପଚାର କରାଯାଏ । ଶରତ ଋତୁର ଅଶ୍ୱିନ ଶୁକ୍ଲପକ୍ଷ ପ୍ରତିପଦାଠାରୁ ନବମୀ ପର୍ଯ୍ୟନ୍ତ ବିଶେଷ ଭାବେ ଦେବୀଙ୍କ ପୂଜା କରାଯାଏ ।
ଦେବୀ ପୁରାଣ ଓ କାଳିକା ପୁରାଣରେ ଦୁର୍ଗାପୂଜାକୁ ଶାରଦୀୟ ପାର୍ବଣ କୁହାଯାଉଥିବା ବେଳେ ମାର୍କଣ୍ଡେୟ ପୁରାଣରେ ବାର୍ଷିକୀ ଶାରଦ ପୂଜା କୁହାଯାଏ। ଶାରଦୀୟ ନବରାତ୍ରୀ କାଳରେ ବ୍ରହ୍ମାଣ୍ଡର ସମସ୍ତ ଗ୍ରହ ସକ୍ରିୟ ଥିବାରୁ ଶକ୍ତି ଉପାସକଙ୍କର କୌଣସି ଅନିଷ୍ଟ ହୁଏ ନାହିଁ। ଦୁର୍ଗାଙ୍କର ଏହି ନବଶକ୍ତି ଜାଗ୍ରତ କରିବା ପାଇଁ ନବାକ୍ଷରୀ ମନ୍ତ୍ର ଜପ କରିବା ପାଇଁ ପରାମର୍ଶ ଦିଆଯାଏ। ଏହି ନବାକ୍ଷରୀ ମନ୍ତ୍ରଟି ହେଉଛି – ‘ଐଂ ହ୍ଲୀଂ କ୍ଲୀଂ ଚାମୁଣ୍ଡାୟୈ ବିଚ୍ଚେ।’ ଏହି ମନ୍ତ୍ରର ପ୍ରତ୍ୟେକ ଅକ୍ଷର ଦୁର୍ଗାଙ୍କ ଗୋଟିଏ ଗୋଟିଏ ଶକ୍ତିର ପରିଚାୟକ। ତେବେ ଆସନ୍ତୁ ଜାଣବା କଟକରେ କେବେ ଆଉ କିଏ ଆରମ୍ଭ କରିଥିଲେ ଦଶହରା ପର୍ବ । ମାର୍କଣ୍ଡେୟ ପୁରାଣ ଅନୁସାରେ ଚେଦି ସାମ୍ରାଜ୍ୟର ରାଜା ଖ୍ରୀ:ପୂ ୩୦୦ରେ ଦୁର୍ଗାପୂଜା ଆରମ୍ଭ କରିଥିଲେ। ଇତିହାସରୁ ଜାଣିବାକୁ ମିଳେ ଯେ, ଚୈତନ୍ୟ ମହାପ୍ରଭୁ ପ୍ରାୟ ୪୦୦ ବର୍ଷ ପୂର୍ବେ କଟକରେ ଏହି ପୂଜା ଆରମ୍ଭ କରିଥିଲେ।
ଚୈତନ୍ୟଦେବ ନଦିଆଠାରୁ ବାହାରି ବାଟରେ ରହି ରହି ଆସୁଥିଲେ। କଟକ ରହଣି କାଳରେ ସେ ସ୍ଥାନୀୟ ବିନୋଦବିହାରୀ ପୀଠରେ ରହି ୧୫୦୯ ମସିହାରେ ପ୍ରଥମେ ମାଙ୍କ ଘଟପୂଜା ଆରମ୍ଭ କରିଥିଲେ। ଚୈତନ୍ୟ ଦେବଙ୍କ ସହିତ ଆସିଥିବା ଅନୁଗାମୀମାନଙ୍କ ମଧ୍ୟରୁ କେତେଜଣ ଏହି ପୂଜାକୁ ସାର୍ବଜନୀନ କରିବା ପାଇଁ ମା’ଙ୍କ ମୂର୍ତ୍ତି ପୂଜା ଆରମ୍ଭ କଲେ। ୧୮୩୨ ମସିହାରେ କାଜିବଜାରର କେତେକ ଓଡ଼ିଆ ଓ ବେଙ୍ଗଲା କର୍ମଜୀବୀ ଯେଉଁମାନେ ଇଂରେଜ ସରକାରଙ୍କ ଇଷ୍ଟ୍ ଇଣ୍ଡିଆ କମ୍ପାନୀରେ କାମ କରୁଥିଲେ ସାର୍ବଜନୀନ ଭାବେ ମାଙ୍କ ମୂର୍ତ୍ତି ପୂଜାକଲେ। ଦେବୀ ପୁରାଣ ଓ କାଳିକା ପୁରାଣରେ ଦୁର୍ଗା ପୂଜାକୁ ବିଜୟାଦଶମୀ କୁହାଯାଉଥିବା ବେଳେ ମାର୍କଣ୍ଡେୟ ପୁରାଣରେ ଦଶହରା ବୋଲି କୁହାଯାଏ।ଜନ୍ମାଷ୍ଟମୀ ଅବସରରେ ନଦୀରୁ ମାଟି ଅଣାଯାଏ, ଯାହା ଦଶହରାର ପ୍ରଥମ ବିଧି। ଏହା ପରେ କାରିଗରମାନେ ମୂର୍ତ୍ତି ତିଆରିରେ ବ୍ୟସ୍ତ ରୁହନ୍ତି। ପବିତ୍ର ମହାଳୟା ଅବସରରେ ମା’ଙ୍କ ମୃଣ୍ମୟ ମୂର୍ତ୍ତିରେ ଖଡ଼ି ଚଢ଼ାଯାଏ। ମହାଳୟା ଠାରୁ ପ୍ରକୃତ ଦୁର୍ଗାପୂଜା ଆରମ୍ଭ ହୁଏ। ପ୍ରକୃତ ପୂଜାବିଧି ଷଷ୍ଠୀ ଠାରୁ ଦଶମୀ ପର୍ୟ୍ୟନ୍ତ ଦେଖିବାକୁ ମିଳେ।