ଗାଁ ପଡ଼ିଆରୁ ମୃତଦେହ ଉଦ୍ଧାର; ପରକିୟା ପ୍ରୀତିକୁ ନେଇ ହତ୍ୟାକାଣ୍ଡ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ସ୍ତ୍ରୀର ପରକୀୟା ପ୍ରୀତି ପାଇଁ ଗଲା ସ୍ୱାମୀର ଜୀବନ। ପରକୀୟା ପ୍ରୀତିକୁ କେନ୍ଦ୍ର କରି ବାରିପଦା ସଦର ଥାନା ଅନ୍ତର୍ଗତ କେନ୍ଦୁଆ ଠାରେ ହୋଇଥିବା ହତ୍ୟାକାଣ୍ଡ ଘଟଣାର ହତ୍ୟାକାରୀକୁ ସପ୍ତାହକ ମଧ୍ୟରେ ଗିରଫ କରିବାରେ ପୁଲିସ ସଫଳ ହୋଇଛି। ଏନେଇ ବାରିପଦା ସଦର ଥାନାରେ ଶୁକ୍ରବାର ଆହୁତ ସାମ୍ବାଦିକ ସମ୍ମିଳନୀରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସୁଜିତ କୁମାର ପ୍ରଧାନ ସବିଶେଷ ସୂଚନା ପ୍ରଦାନ କରିଛନ୍ତି।

ଅଭିଯୁକ୍ତ ହତ୍ୟାକାରୀ ଜଣକ ହେଲେ ବାରିପଦା ସଦର ଥାନା ଅନ୍ତର୍ଗତ କେନ୍ଦୁଆ ଗ୍ରାମର କେରମଘୁଟୁ ସାହିର ସୁଶୀଲ ମାଝୀ(୩୫)। ସୂଚନା ଅନୁଯାୟୀ, ଉକ୍ତ କେନ୍ଦୁଆ ଗ୍ରାମର ଶିବ ଶଙ୍କର ମହାନ୍ତ ତାଙ୍କ ପତ୍ନୀ ଓ ପରିବାର ଲୋକଙ୍କ ସହିତ ଗତ ଫେବ୍ରୁଆରୀ ୯ତାରିଖରେ ଗାଁ ନିକଟସ୍ଥ ଶରତଚନ୍ଦ୍ରପୁର ଗ୍ରାମର ବଙ୍ଗଳାସାହିକୁ ଢ଼ାବୁଲ ନାଚ ଦେଖିବାକୁ ଯାଇଥିଲେ। ତେବେ ପତ୍ନୀ ଓ ପରିବାର ଲୋକେ ଘରକୁ ଫେରି ଆସିଥିବା ବେଳେ ଶିବ ଶଙ୍କର ସେଠାରେ ରହି ଯାଇଥିଲେ। ରାତିରେ ଘରକୁ ପ୍ରତ୍ୟାବର୍ତ୍ତନ କରିନଥିବା ବେଳେ ତହିଁ ପରଦିନ ସକାଳୁ ଶିବ ଶଙ୍କରଙ୍କ ମୃତ୍ୟ ଦେହ ଗାଁ ନିକଟସ୍ଥ ଯାତ୍ରା ପଡ଼ିଆରେ ପଡିଥିବାର ସ୍ଥାନୀୟ ଲୋକେ ଦେଖି ପତ୍ନୀଙ୍କୁ ଖବର ଦେଇଥିଲେ।

ତେବେ ଶିବଶଙ୍କରଙ୍କୁ କେହି ଦୁର୍ବୁତ୍ତ ମାନେ ରାତିରେ ହତ୍ୟା କରି ପଡ଼ିଆରେ ପକାଇଦେଇଥିବାର ନେଇ ପତ୍ନୀ ସବିତା ମହାନ୍ତ ବାରିପଦା ସଦର ଥାନାରେ ଫେବୃଆରୀ ୧୦ତାରିଖରେ ଅଭିଯୋଗ କରିଥିଲେ। ଏହାକୁ ନେଇ ପୁଲିସ ପକ୍ଷରୁ ବାରିପଦା ସଦର ଥାନାରେ କେଶ ନମ୍ବର ୩୭/୨୪ରେ ଏକ ହତ୍ୟାକାଣ୍ଡ ମାମଲା ରୁଜୁ କରି ଥାନା ଅଧିକାରୀଣି ମଧୁସ୍ମିତା ମହାନ୍ତି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲେ। ପୁଲିସ ଟିମ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ପ୍ରକ୍ରିୟା କରିବା ସହ ନମୁନା ସଂଗ୍ରହ କରିଥିଲେ। ତେବେ ତଦନ୍ତରୁ ସୁଶୀଲ ମାଝୀ ହତ୍ୟା କରିଥିବାର ନେଇ ପୁଲିସ ଜାଣିବାକୁ ପାଇଥିଲା। ଶିବ ଶଙ୍କର ପତ୍ନୀ ସବିତା ମହାନ୍ତଙ୍କ ସହିତ ହତ୍ୟାକାରୀ ସୁଶୀଲ ମାଝୀର ଅନୈତିକ ପ୍ରେମ ସମ୍ପର୍କ ପୂର୍ବରୁ ଗଠି ଉଠିଥିଲା। ଶିବ ଶଙ୍କର ପୂର୍ବରୁ ନିଶାସକ୍ତ ଅବସ୍ଥାରେ ଆସି ପତ୍ନୀ ସବିତା ମହାନ୍ତକୁ ପିଟାମରା କରୁଥିଲା। ଏନେଇ ସୁଶୀଲ ମାଝୀକୁ ପୂର୍ବରୁ ସବିତା ବାରମ୍ବାର ଜଣାଇଥିଲେ।

ଯାହାକୁ ନେଇ ଦୁହିଁଙ୍କ ରାସ୍ତାରୁ ଶିବ ଶଙ୍କରଙ୍କୁ ହଟାଇ ଦେବାକୁ ସୁଶୀଲ ଯୋଜନା କରିଥିଲେ। ଆଉ ପୂର୍ବ ଯୋଜନା ମୁତାବକ ଫେବ୍ରୁଆରୀ ୯ତାରିଖରେ ଢ଼ାବୁଲ ନାଚ ଦେଖି ଫେରିବା ସମୟରେ ଶିବ ଶଙ୍କରଙ୍କୁ ସୁଶୀଲ ଅଟକାଇ ଥିଲେ। ଦୁହେଁ ମିଶି ରାତିରେ ଗାଁ ପଡ଼ିଆରେ ମଦ୍ୟପାନ କରିଥିଲେ। ଏଥିପରେ ନିଶାସକ୍ତ ଅବସ୍ଥାରେ ଥିବା ଶିବ ଶଙ୍କରଙ୍କୁ ବିଳମ୍ବିତ ରାତିରେ ତଣ୍ଟି ଚିପି ସୁଶୀଲ ମାଝୀ ହତ୍ୟା କରିଥିଲେ। ତେବେ ତହିଁ ପରଦିନ ଗାଁ ପଡ଼ିଆରୁ ଶିବ ଶଙ୍କରଙ୍କ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା। ଉକ୍ତ ମାମଲାରେ ସୁଶୀଲ ମାଝୀକୁ ଗିରଫ କରି ପୁଲିସ ପକ୍ଷରୁ ଘଟଣାସ୍ଥଳରେ ସିନ ରିକ୍ରିୟେସନ କରାଯାଇଛି। ଏଥିପରେ ଶୁକ୍ରବାର ଅଭିଯୁକ୍ତ ହତ୍ୟାକାରୀ ସୁଶୀଲ ମାଝୀକୁ ବାରିପଦା ସଦର ଥାନା ପୁଲିସ ଦ୍ୱାରା କୋର୍ଟ ଚାଲାଣ କରାଯାଇଛି ବୋଲି ସଦର ଥାନା ଅଧିକାରୀଣି ମଧୁସ୍ମିତା ମହାନ୍ତି କହିଛନ୍ତି।

Leave A Reply

Your email address will not be published.