ଓଡ଼ିଆ ନ୍ୟୁଜ୍: ଶୁଭାରମ୍ଭ ହେଲା ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ’ ଯୋଜନା।ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଗଞ୍ଜାମ ତାରାତାରିଣୀ ପୀଠରୁ ଶୁଭାରମ୍ଭ କଲେ। ୨ ଶହ ବର-କନ୍ୟାଙ୍କ ସାମୁହିକ ବିବାହ।ପ୍ରତ୍ୟେକ ବିବାହ ପାଇଁ ସରକାର ବ୍ୟୟ କରିବେ ୬୦ ହଜାର ଟଙ୍କା।ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ହିସାବରେ ନୁହେଁ, ମୁଁ ଜଣେ ପିତା ଏବଂ ଭାଇ ହିସାବରେ ଏଠାରେ ଉପସ୍ଥିତ ରହି ବିବାହ କାର୍ଯ୍ୟକ୍ରମରେ ସାମିଲ ହୋଇଛି । ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର ଶୁଭାରମ୍ଭ କରିବା ସରକାରଙ୍କ ସୌଭାଗ୍ୟ । ମହିଳାଙ୍କ ବିକାଶ ଦିଗରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି । ମହିଳାଙ୍କୁ ସମ୍ମାନ, ସାମାଜିକ ସୁରକ୍ଷା, ଯୌତୁକ ପ୍ରଥାକୁ ଲୋପ କରିବାରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ସହାୟକ ହେବ ବୋଲି ସିଏମ୍ ମାଝୀ କହିଛନ୍ତି ।
ରାଜ୍ୟର ସବୁ ଜିଲ୍ଲାକୁ ଏହି ଯୋଜନାରେ ସାମିଲ କରାଯିବ । ପ୍ରତ୍ୟେକ ପରିବାରର ଜଣେ ମହିଳାଙ୍କୁ ଏଥିରେ ସାମିଲ କରାଯିବ । ସେମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରାଯିବ । କନ୍ୟା ବିବାହ ଯୋଜନାରେ ସିଧାସଳଖ ସେମାନଙ୍କ ଆକାଉଣ୍ଟକୁ ୪୫ହଜାର ଟଙ୍କା ପଠା ଯିବ । ଏହା କେନ୍ଦ୍ର ସରକାରଙ୍କ ‘ବେଟି ବଞ୍ଚାଓ, ବେଟି ପଢ଼ାଓ’ ଯୋଜନାର ଏକ ନିଦର୍ଶନ । ଏହାଛଡ଼ା ଯୁନିୟନ ବଜେଟରେ ମହିଳା ବିକାଶ ଓ ସୁରକ୍ଷା ପାଇଁ ୯ ଲକ୍ଷ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବଜେଟ-୨୦୨୬ରେ ମହିଳାଙ୍କ ପାଇଁ ୯.୪ ପ୍ରତିଶତ ବ୍ୟୟ ଅଟକଳ ରହିଛି । କନ୍ୟା ସନ୍ତାନର ସୁରକ୍ଷା ନିମନ୍ତେ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ସିଏମ କହିଛନ୍ତି ।