ବର୍ଷାରେ ଭିଜିବ ରଜ

0

ଓଡ଼ିଆ ନ୍ୟୁଜ୍: ଆଗାମୀ ୨-୩ ଦିନରେ ମୌସୁମୀ ଓଡ଼ିଶା ଛୁଇଁବା ନେଇ ପାଣିପାଗ ବିଭାଗ ଆକଳନ କରିଥିଲା। ହେଲେ ଏ ଅପେକ୍ଷା ସାମାନ୍ୟ ଲମ୍ବିପାରେ। ପାଣିପାଗ ବିଭାଗର ତାଜା ପୂର୍ବାନୁମାନ କହୁଛି, ମୌସୁମୀ ଓଡ଼ିଶା ଛୁଇଁବାକୁ ଆହୁରି ୪-୫ ଦିନ ସମୟ ଲାଗିପାରେ। ଅର୍ଥାତ୍ ୧୩ ୧୪ ତାରିଖ ବେଳକୁ (ରଜ ସମୟରେ) ଆସିପାରେ ମୌସୁମୀ ।

ପାଣିପାଗ ବିଭାଗ କହିଛି, ମୌସୁମୀ ଆଗକୁ ବଢ଼ିବା ପାଇଁ ପାଗ ଅନୁକୂଳ ଅଛି। ୪-୫ ଦିନ ଭିତରେ ମହାରାଷ୍ଟ୍ର, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶର କିଛି ଅଂଶ ସହ ତାମିଲନାଡ଼ୁର ବାକି ଅଂଶ ଏବଂ ଛତିଶଗଡ଼, ବିହାର, ଝାଡ଼ଖଣ୍ଡ, ଓଡ଼ିଶାର କେତେକ ଅଞ୍ଚଳକୁ ମୌସୁମୀ ପ୍ରବେଶ କରିବ। ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଉପକୂଳ ଓଡ଼ିଶାରେ ଗରମ ସହ ଗୁଳୁଗୁଳି ପ୍ରକୋପ ରହିପାରେ। ପ୍ରତିଦିନ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ଥିବାବେଳେ ୧୧ରୁ ବର୍ଷା ବଢ଼ିପାରେ। ୧୧ ଓ ୧୨ରେ ରାଜ୍ୟର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି। ଆସନ୍ତା ୩ ଦିନ ପରେ ରାଜ୍ୟରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ କମିପାରେ।ରାଜ୍ୟରେ ବର୍ଷା ଆରମ୍ଭ ହୋଇଥିଲେ ମଧ୍ୟ ଗରମ ଓ ଗୁଳୁଗୁଳି ଜାରି ରହିଛି। ମଙ୍ଗଳବାର ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଏବଂ ତା’ଠାରୁ ଅଧିକ ରହିଥିଲା। ତେବେ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରଭାବ ଏବଂ ୧୫ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବ ରହିବ ବୋଲି ପୂର୍ବାନୁମାନ କରାଯାଇଛି। ପାଣିପାଗ କେନ୍ଦ୍ରର ତଥ୍ୟ ଅନୁଯାୟୀ, ବୁଧବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲାକୁ କାଳବୈଶାଖୀ ନେଇ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲାରେ ଗରମ ଓ ଗୁଳୁଗୁଳି ନେଇ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।

 

Leave A Reply

Your email address will not be published.