ଦିଲ୍ଲୀ ହାଇକୋର୍ଟରୁ ଅରବିନ୍ଦ କେଜ୍ରିୱାଲଙ୍କୁ ବଡ଼ ଝଟକା

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ): ଦିଲ୍ଲୀ ହାଇକୋର୍ଟରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ବଡ଼ ଝଟକା ଲାଗିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା କେଜ୍ରିଓ୍ବାଲଙ୍କ ଗିରଫଦାରୀକୁ ସଠିକ ଓ ଆଇନଗତ ଭାବେ ବୈଧ ବୋଲି ଦର୍ଶାଇ କୋର୍ଟ କେଜ୍ରିଓ୍ବାଲଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ।

କେନ୍ଦ୍ରୀୟ ସଂସ୍ଥାର ଗିରଫଦାରୀ ଓ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟଙ୍କ ରିମାଣ୍ଡ ରାୟ ବିରୋଧରେ କେଜ୍ରିଓ୍ବାଲ ଦିଲ୍ଲୀ ହୋଇକୋର୍ଟରେ ଏହି ମାମଲା କରିଥିଲେ ।  ଆମ୍ ଆଦମୀ ପାର୍ଟି (ଆପ୍)ର ରାଷ୍ଟ୍ରୀୟ ସଂଯୋଜକଙ୍କ ଆବେଦନ ର ଶୁଣାଣି କରି ଜଷ୍ଟିସ୍ ସ୍ୱର୍ଣ୍ଣା କାନ୍ତ ଶର୍ମା ଏହି ରାୟ ଶୁଣାଇଛନ୍ତି। ଗତ 3 ତାରିଖରେ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖାଯାଇଥିଲା । ଯାହା ଆଜି ପ୍ରକାଶ ପାଇବା ସହ କେଜ୍ରିଓ୍ବାଲଙ୍କୁ ଶକ୍ତ ଝଟକା ଲାଗିଛି । ମାତ୍ର ଆମ ଆଦମୀ ପାର୍ଟି ଏହା ବିରୋଧରେ ସର୍ବୋଚ୍ଚ କୋର୍ଟଙ୍କ ଦ୍ବାରସ୍ଥ ହେବ ବୋଲି ସୂଚନା ଦେଇସାରିଛି । କେଜ୍ରିଓ୍ବାଲ ଏବେ ବିଚାର ବିଭାଗୀୟ ଜେଲରେ ଅଛନ୍ତି ।

ଜଷ୍ଟିସ ଶର୍ମା କହିଛନ୍ତି ଏହା ଜାମିନ ଶୁଣାଣି ମାମଲା ନୁହେଁ, ବରଂ ଗିରଫଦାରୀର ବୈଧତା ପ୍ରତି ଏକ ଚ୍ୟାଲେଞ୍ଜ ଆବେଦନ ଥିଲା । ଇଡି ପକ୍ଷରୁ କୋର୍ଟରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ କେଜ୍ରିୱାଲ ଏହି ଦୁର୍ନୀତିର ଷଡ଼ଯନ୍ତ୍ରରେ ସମ୍ପୃକ୍ତ ଅଛନ୍ତି। ଇଡି ଏହା ମଧ୍ୟ କହିଛି ଯେ ଅରବିନ୍ଦ କେଜ୍ରିୱାଲ ଉଭୟ ବ୍ୟକ୍ତିଗତ ଏବଂ ଆପ୍ ଆବାହକ ଭାବରେ ମଦ ଦୁର୍ନୀତିର ଷଡ଼ଯନ୍ତ୍ରରେ ସମ୍ପୃକ୍ତ ଥିଲେ। ଶର୍ମା ଆହୁରି ମଧ୍ୟ କହିଛନ୍ତି ଯେ କେଜ୍ରିୱାଲ ସାକ୍ଷୀଙ୍କ ବୟାନକୁ ଖାରଜ କରିପାରିବେ ନାହିଁ, କିନ୍ତୁ ନିଶ୍ଚିତ ଭାବରେ ତାଙ୍କୁ ଜେରା କରିପାରିବେ। ଯଥେଷ୍ଟ ପ୍ରମାଣ ଆଧାରରେ ଇଡି କେଜ୍ରିୱାଲଙ୍କୁ ଗିରଫ କରିଛି ବୋଲି ସେ ତାଙ୍କ ରାୟରେ କହିଛନ୍ତି।

Leave A Reply

Your email address will not be published.