ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲୁକା ଶିଳ୍ପୀ ଦଶରଥ ମହାନ୍ତଙ୍କୁ ସର୍ବସାଧାରଣ ସ୍ଥାନରେ ଠାକୁରମୁଣ୍ଡା ଥାନା ଅଧିକାରୀଣି ସାବିତ୍ରୀ ଦଳେଇ ଅପମାନିତ କରି ଗାଳି ଗୁଲଜ କରିବା ନେଇ ଅଭିଯୋଗ ହୋଇଛି। ଏନେଇ ସେ ବାରିପଦା ସ୍ଥିତ ପୁଲିସ ମୁଖ୍ୟାଳୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷୀକା ଏସ ସୁଶ୍ରୀଙ୍କୁ ଗୁରୁବାର ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ବାଲୁକା ଶିଳ୍ପୀ ଦଶରଥ ମହାନ୍ତଙ୍କ ମୟୁରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ବାଉଁଶଡିହା ଅଞ୍ଚଳରେ ଘର ଅଟେ।
ଠାକୁରମୁଣ୍ଡା ଅଞ୍ଚଳର ଦାସ ସାହିର ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରତିବାଦ କରି ଗତ ୫/୦୮/୨୦୨୪ରେ ଠାକୁରମୁଣ୍ଡା ବଜାରରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ। ଯୁବକଙ୍କୁ ହତ୍ୟା କରାଯାଇଥିବା ବେଳେ ଠିକ ଭାବେ ଏହାର ତଦନ୍ତ ହେଉନାହିଁ ବୋଲି ଅଭିଯୋଗ କରିଥିଲେ। ତେବେ କିଛି ଲୋକ ରୁଣ୍ଡ ହୋଇଥିବାର ଦେଖି ଶ୍ରୀ ମହାନ୍ତ ଉକ୍ତ ସ୍ଥାନକୁ ଯାଇଥିଲେ। ଉକ୍ତ ସମୟରେ ଠାକୁରମୁଣ୍ଡା ଥାନା ଅଧିକାରୀଣି ସାବିତ୍ରୀ ଦଳେଇ ଘଟଣାସ୍ଥଳରେ ପହଁଚି ଥିଲେ। ଲୋକଙ୍କୁ ବୁଝାସୁଝା କରିବା ପରିବର୍ତେ ଏହା ଦୁର୍ଘଟଣା ଜନିତ ମୃତ୍ୟୁ ଅଟେ, ହତ୍ୟା ନୁହେଁ। ରାସ୍ତା ଅବରୋଧ ନକରିବାକୁ ଚେତାବନୀ ଦେଇଥିଲେ ବୋଲି ଶ୍ରୀ ମହାନ୍ତ ଅଭିଯୋଗ କରିଛନ୍ତି। ଏହାକୁ ନେଇ ସେ ଥାନା ଅଧିକାରୀଣିଙ୍କୁ ତଦନ୍ତ କରିବାକୁ କହିଥିଲେ। ତେବେ ଥାନା ଅଧିକାରୀଣି ଶ୍ରୀମତୀ ଦଳେଇ ଉତକ୍ଷିପ୍ତ ହୋଇ ତାଙ୍କୁ ସର୍ବସାଧାରଣ ସ୍ଥାନରେ ଅପମାନିତ କରି ଗାଳିଗୁଲଜ କରିଥିଲେ।
ଏହାର ଶ୍ରୀ ମହାନ୍ତ ପ୍ରତିବାଦ କରିବାରୁ ଥାନା ଅଧିକାରୀଣି କିଛି ବି ଭ୍ରୁକ୍ଷେପ କରିନଥିବାର ନେଇ ଅଭିଯୋଗ କରିଛନ୍ତି। ଜିଲ୍ଲାର ଗୌରବ ଜାତୀୟ ତଥା ଅନ୍ତର୍ଜାତୀୟସ୍ତରର ବାଲୁକା ଶିଳ୍ପୀକୁ ଏହିପରି ଅସମ୍ମାନ କରିବା ଅତ୍ୟନ୍ତ ନିନ୍ଦନୀୟ ଅଟେ। ଥାନା ଅଧିକାରୀଣି ଭାବେ ଲୋକଙ୍କ ସେବା ପରିବର୍ତେ ତାଙ୍କୁ ଅସମ୍ମାନ କରିବା ସଠିକ ନୁହେଁ। ତେଣୁକରି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ଏସପି ଶ୍ରୀମତୀ ସୁଶ୍ରୀଙ୍କୁ ନିବେଦନ କରିଛନ୍ତି।ଉକ୍ତ ଅଭିଯୋଗକୁ ଥାନା ଅଧିକାରୀଣି ଶ୍ରୀ ମତି ଦଳେଇ ଖଣ୍ଡନ କରିଛନ୍ତି। ତେବେ ଏହା ତାଙ୍କ ବିରୁଦ୍ଧରେ ଜାଣିଶୁଣି ଏକ ଚକ୍ରାନ୍ତ କରାଯାଉଛି। ସେ ଏହିପରି ବ୍ୟବହାର କରିନାହାନ୍ତି ବୋଲି କହିଛନ୍ତି।