ଓଡିଶାର କୃଷିମନ୍ତ୍ରୀଙ୍କୁ ଭେଟିଲେ କୃଷି ମନ୍ତ୍ରୀ ତାମିଲନାଡ଼ୁ ଅଲ୍ ଫାର୍ମସ୍ ଅର୍ଗାନାଇଜେସନ୍ କୋ-ଅଡ଼ିନେସନ୍ କମିଟିର ପ୍ରତିନିଧି ମଣ୍ଡଳ
ଓଡ଼ିଆ ନ୍ୟୁଜ(ବ୍ୟୁରୋ): ତାମିଲନାଡ଼ୁ ଅଲ ଫାର୍ମସ ଅର୍ଗାନାଇଜେସନ୍ କୋ-ଅର୍ଡ଼ିନେସନ୍ କମିଟିର ଏକ ପ୍ରତିନିଧି ମଣ୍ଡଳ ସଂଗଠନର ମୁଖ୍ୟ ସଂଯୋଜକ ଶ୍ରୀ ପି.ଆର୍. ପାଣ୍ଡିଆନ୍ଙ୍କ ନେତୃତ୍ୱରେ ଆଜି କୃଷିଭବନଠାରେ କୃଷି ଓ କୃଷକ ସଶକ୍ତିକର, ମତ୍ସ୍ୟ ଓ ପ୍ରାୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ସାକ୍ଷାତ କରି କୃଷକମାନଙ୍କର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଛନ୍ତି । ପ୍ରତିନିଧି ମଣ୍ଡଳ କନ୍ୟାକୁମାରୀଠାରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ କିଷାନ୍ ଯାତ୍ରା ସମୟରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ମନ୍ତ୍ରୀଙ୍କୁ ସାକ୍ଷାତ କ୍ରମରେ ଆଜି କୃଷି ଭବନଠାରେ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କୁ ଭେଟିଥିଲେ ।
ପ୍ରତିନିଧି ମଣ୍ଡଳଙ୍କ ସହିତ ଆଲୋଚନା ସମୟରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ କୃଷି ଓ କୃଷକଙ୍କ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ସର୍ବଦା ପ୍ରତିବଦ୍ଧତା ରହିଆସିଥିବା କଥା କହିଥିଲେ । ରାଜ୍ୟର ୬୦ ପ୍ରତିଶତରୁ ଊଦ୍ଧ୍ୱର୍ ଲୋକ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ସହିତ ଜଡ଼ିତ ହୋଇଥିବାବେଳେ ରାଜ୍ୟ ସରକାର କୃଷିକୁ ପ୍ରାଥମିକତା ପ୍ରଦାନ କରି ସ୍ୱତନ୍ତ୍ର କୃଷି ବଜେଟ ଓ କୃଷି କ୍ୟାବିନେଟ୍ ଗଠନ କରି କୃଷି କ୍ଷେତ୍ର ପାଇଁ ଅଧିକ ଅର୍ଥର ବ୍ୟବସ୍ଥା କରୁଛନ୍ତି ।
ଚଳିତ ବର୍ଷ କୃଷି ବଜେଟ୍ରେ ଅର୍ଥରାଶି ପ୍ରାୟ ୨୦ ପ୍ରତିଶତ ବୃଦ୍ଧି କରାଯାଇଛି । ୨୦୧୩-୧୪ ଆର୍ଥିକ ବର୍ଷରେ କୃଷି ବଜେଟ ୭ ହଜାର ୧୬୨ କୋଟି ଟଙ୍କା ଥିବାବେଳେ ଏହା ବୃଦ୍ଧି ପାଇ ୨୦୨୩-୨୪ରେ ୨୪ ହଜାର ୮ ଶହ ୨୯ କୋଟି ଟଙ୍କାରେ ପହଞ୍ଚିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରତିନିଧି ମଣ୍ଡଳଙ୍କୁ କହିଥିଲେ । କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଆୟବୃଦ୍ଧି ନିମନ୍ତେ ରାଜ୍ୟ ସରକାର କାଳିଆ, ବଳରାମ ପରି ଐତିହାସିକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । କୃଷକମାନଙ୍କୁ ଜଳସେଚନର ସୁବିଧା ସହିତ ଉନ୍ନତ ମାନର ବିହନ, ସାର, କୀଟନାଶକ ଠିକ୍ ସମୟରେ ପହଞ୍ଚାଇବା ସହିତ ବିନା ସୁଧରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ଯୋଗାଇ ଦିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ।
ଚାଷୀମାନେ ଯେପରି ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ପାଇପାରିବେ ସେଥି ନିମନ୍ତେ ବଜାର ସଂଯୋଗୀକରଣ କରିବା ସହିତ ମଣ୍ଡିଗୁଡ଼ିକର ଭିତ୍ତିଭୂମିର ବିକାଶ କରାଯାଉଛି ବୋଲି ମନ୍ତ୍ରୀ କହିଥିଲେ । ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଜଳବାୟୁ ଅନୁକୂଳ କୃଷି କାର୍ଯ୍ୟ କରିବା ପାଇଁ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ସହିତ ଫସଲର ବିବିଧିକରଣ ଉପରେ ଗୁରୁତ୍ୱ ଦିଆଯାଉଛି । ପୁଷ୍ଟିଶସ୍ୟ ମିଲେଟ ଜାତୀୟ ଫସଲର ପ୍ରଚାରପ୍ରସାର ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଓଡ଼ିଶା ମିଲେଟ ମିଶନ ଅପାର ସଫଳତା ଯୋଗୁଁ ଏହା ଅନ୍ୟ ରାଜ୍ୟ ପାଇଁ ମାର୍ଗଦର୍ଶକ ହୋଇପାରିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରତିନିଧି ମଣ୍ଡଳଙ୍କୁ କହିଥିଲେ । ଏହି ଅବସରରେ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିବା ଏକ ପତ୍ରକୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରତିନିଧି ମଣ୍ଡଳଙ୍କଠାରୁ ଗ୍ରହଣ କରିଥିଲେ ।