ଋଷର ରାଜଧାନୀ ମସ୍କୋରେ ହୋଇଛି ଆତଙ୍କୀ ହାମଲା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଋଷର ରାଜଧାନୀ ମସ୍କୋରେ ହୋଇଛି ଆତଙ୍କୀ ହାମଲା। ଶୁକ୍ରବାର ରାତିରେ କିଛି ଅସ୍ତ୍ରଶସ୍ତ୍ରଧାରୀ ଆତତାୟୀମାନେ ମସ୍କୋ କ୍ରୋକସ ସିଟି ହଲରେ ପଶି ଆଖିବୁଜା ଗୁଳିମାଡ ସହ ବୋମା ବିସ୍ଫୋରଣ କରିଛନ୍ତି । ଏଥିରେ ୬୦ ଜଣ ପ୍ରାଣ ହରାଇଥିବା ବେଳେ ୧୪୫ରୁ  ଅଧିକ ଆହତ ହୋଇଛନ୍ତି। ମସ୍କୋର ଉତ୍ତର-ପଶ୍ଚିମ କ୍ରସନଗୋରସ୍କ ସହରରେ ଥିବା କ୍ରୋକସ ସିଟି ହଲରେ ଏହି ଗୁଳିମାଡ ହୋଇଛି।

ଏହି ବିସ୍ଫୋରଣ ଯୋଗୁ କନସର୍ଟ ହଲରେ ନିଆଁ ଲାଗିଯାଇଥିଲା।  ଯେଉଁଥି ପାଇଁ ସ୍ଥିତି ଆହୁରି ଭୟଙ୍କର ହୋଇଯାଇଥିଲା । ଏହି ଆକ୍ରମଣ ନେଇ ଋଷିଆର ଏଫଏସବି ଫେଡେରାଲ ସିକ୍ୟୁରିଟି ସର୍ଭିସ ପକ୍ଷରୁ ସୂଚନା ଦିଆଯାଇଛି । ଋଷର ଫେଡେରାଲ ସିକ୍ୟୁରିଟି ସର୍ଭିସର ସୂଚନା ଅନୁସାରେ, ଋଷର ପ୍ରମୁଖ ରକ୍ ବ୍ୟାଣ୍ଡ ପିକନିକ୍ ପକ୍ଷରୁ ସେଠାରେ କାର୍ଯ୍ୟକ୍ରମ ଚାଲିଥିଲା। ୬ ହଜାରରୁ ଅଧିକ ଦର୍ଶକ ସେଠାରେ ଉପସ୍ଥିତ ଥିଲେ। ଏହି ସମୟରେ ୪ ଜଣ ଆତଙ୍କବାଦୀ ସେନା ପୋଷାକରେ ସେଠାରେ ପହଞ୍ଚି ଏଭଳି କାଣ୍ଡ ଭିଆଇଛନ୍ତି। ହଲରେ ଲାଗିଥିବା ନିଆଁକୁ ହେଲିକପ୍ଟର ମାଧ୍ୟମରେ ନିୟନ୍ତ୍ରଣ କରାଯାଇଛି। ତେବେ ଆତତାୟୀଙ୍କ ସମ୍ପର୍କରେ ଏଯାଏ କୌଣସି ସୂଚନା ମିଳିପାରିନାହିଁ।

ଆକ୍ରମଣ ସମୟର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓରେ ଲୋକମାନେ ଚିତ୍କାର କରି ପ୍ରାଣ ବିକଳରେ ଏଣେତେଣେ ଦୌଡୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି ଏବଂ ପଛ ପଟୁ ଗୁଳିଗୋଳ ଶବ୍ଦ ଶୁଣାଯାଉଛି । ଏହି ଆକ୍ରମଣ ପାଇଁ ଇସଲାମିକ ଆତଙ୍କ ସଂଗଠନ ISIS ନିଜକୁ ଦାୟୀ କରିଛି । ତେବେ ବିଗତ କିଛି ବର୍ଷରେ ଋଷିଆର ଘଟିଥିବା ଆକ୍ରମଣ ମଧ୍ୟରୁ ଏହା ସବୁଠୁ ଘାତକ ଆକ୍ରମଣ ବୋଲି କୁହାଯାଉଛି । ପୁଣିଥରେ ଋଷିଆ ରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ଭ୍ଲାଦମିର ପୁଟିନ ଅଧିକାରୀଙ୍କ ଠାରୁ ଆକ୍ରମଣ ଏବଂ ଘଟଣାସ୍ଥଳର ସ୍ଥିତି ସମ୍ପର୍କରେ ଲାଗାତାର ଅପଡେଟ୍ ନେଉଛନ୍ତି ।

Leave A Reply

Your email address will not be published.