ପଦାରେ ପଡ଼ିଲା କୃଷି ଅଧିକାରୀଙ୍କ କଳା କାରବାର ଧରାପଡିଲା ଚୋରାବିହନ ବୋଝେଇ ଟ୍ରକ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିହନ ବୋଝେଇ ହୋଇ ଚୋରା ଚାଲାଣ ହେଉଥିବା ଟ୍ରକକୁ ଅଟକାଇଲେ ସ୍ଥାନୀୟ ଲୋକମାନେ। ବେଶ ଚତୁରତାର ସହ ଟ୍ରକରେ ବୋଝେଇ କରି ବାହାରକୁ ଚୋରା ଚାଲାଣ କରୁଥିଲେ ସ୍ଥାନୀୟ କୃଷି ବିଭାଗ ଅଧିକାରୀ ମାନେ। ତେବେ ସରକାର ଚାଷୀଙ୍କ ପାଇଁ ମାଗଣାରେ ବିହନ ଯୋଗାଇ ଦେବାକୁ କୃଷି ଅଧିକାରୀମାନଙ୍କ ଦାୟିତ୍ବରେ ଦେଇଥିଲେ। ହେଲେ ମୋଟା ଅଙ୍କର ଅର୍ଥ ଲୋଭରେ ପଡି ଚାଷୀଙ୍କୁ ମାଗଣାରେ ଉପଲବ୍ଧ କରାଇବା ବଦଳରେ କଳାବଜାରୀଙ୍କୁ ବିକ୍ରି କରିଥିବା ଅଭିଯୋଗ ହୋଇଛି।

ଅନ୍ୟପଟେ ଓଡ଼ିଶା ଏକ କୃଷି ବହୁଳ ରାଜ୍ୟ ହୋଇଥିଲା ବେଳେ କୃଷି ବଞ୍ଚିଲେ ଦେଶ ବଞ୍ଚିବ । ଏକଥା କାହାକୁ ଅଛପା ନାହିଁ। ଯୋଉଥିପାଇଁ ସରକାର ଚାଷୀଙ୍କ ପାଇଁ ମାଗଣାରେ ସାର,ବିହନ, କୀଟନାଶକ ଭଳି କେତେ କଣ ଯୋଗାଇ ଦେଉଥିବା ବେଳେ କିଛି ଅସାଧୁ କୃଷି ଅଧିକାରୀମାନେ ବିହନକୁ ଆନ୍ତଃରାଜ୍ୟ ବେପାରୀଙ୍କୁ ଚୋରାଚାଲାଣ କରି ମାଲେମାଲ ହେଉଥିବା ବେଳେ ଚାଷୀ ବିହନ ନ ପାଇ ଠିକ ସମୟରେ ଚାଷ କରିନପାରି ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛି। କେତେବେଳେ ବିହନ ନେବାକୁ ଆସି ଚାଷୀମାନେ ହତାଶ ହୋଇ ଫେରି ଯାଉଛନ୍ତି ତୋ ଆଉ କେତେବେଳେ ବିହନ ଆସିଲେ ଦିଆଯିବ ବୋଲି ସ୍ଥାନୀୟ କୃଷିଅଧିକାରୀମାନଙ୍କ ଆଶ୍ବାସନା ପରେ ଅପେକ୍ଷାରେ ରହୁଛନ୍ତି।

ଏଭଳିସ୍ଥଳେ ଆଜି ପ୍ରାୟ ଦିନ ୧୨ ଟା ସମୟରେ ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକର କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ସାରସକଣାକୁ ଆସିଥିବା ଓଡ଼ିଶା ବିହନ ନିଗମ ଲିମିଟେଡ ବାରିପଦାରୁ 2023/2024 ମସିହାର ଚାଷୀଙ୍କୁ ବିନା ମୂଲ୍ୟରେ ବାଦାମ ବିହନ ଯୋଗାଇ ଦେବା ପାଇଁ ବିହନ ସାରସକଣା କୃଷି ଅଫିସକୁ ଆସିଥିବା ବେଳେ ତାହାକୁ କୃଷି ଅଧିକାରୀ ଓ ସ୍ଥାନୀୟ ଗ୍ରାମ ସେବକଙ୍କ ଛକାପଞ୍ଝା ଖେଳକରି ପୋଡ଼ଶୀ ରାଜ୍ୟ ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଥିବା ବେଳେ ସ୍ଥାନୀୟ ଜନସାଧାରଣ ବ୍ଲକ ସମ୍ମୁଖରେ ଗାଡିକୁ ଅଟକ ରଖି କୃଷି ଅଧିକାରୀଙ୍କୁ ଫୋନ କରି ଜଣାଇଥିଲେ। ତେବେ ସ୍ଥାନୀୟ କୃଷି ଅଧିକାରୀ ଏନେଇ କୌଣସି ଉତ୍ତର ଦେବା ଦୂରର କଥା ଫୋନକଲ ରିସିଭ କରିନଥିଲେ।

କୃଷି ଅଧିକାରୀଙ୍କ ଅସହଯୋଗରେ ଅସନ୍ତୁଷ୍ଟ ଲୋକମାନେ ପରେ ଝାରପୋଖରିଆ ଥାନାକୁ ଫୋନ କରି ଜଣାଇଥିଲେ। ଖବରପାଇ ଘଟଣାସ୍ଥଳରେ ଝାରପୋଖରିଆ ଥାନା ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ଲିଖିତ ଅଭିଯୋଗ କ୍ରମେ ବାଦାମ ବିହନ ବୋଝେଇ ଟ୍ରକକୁ ଅଟକ କରି ଥାନାକୁ ନେଇଛନ୍ତି । ତେବେ ଦେଖିବାକୁ ବାକିରହିଲା ସରକାରଙ୍କ ମହତ କୃଷି କାର୍ଯ୍ୟକ୍ରମକୁ ଲୁଟ କରୁଥିବା ଚାଷୀ ବିରୋଧୀ ସ୍ଥାନୀୟ କୃଷି ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି କି ଏହି ଚର୍ଚ୍ଚିତ ତଥା ବିବାଦୀୟ ଘଟଣାକୁ ଚାପି ଦିଆଯାଉଛି କିମ୍ବା ପୂର୍ବଭଳି ସଲାସୁତରା କରି ଆନ୍ତଃରାଜ୍ୟ ବିହନ ଚୋରାଚାଲାଣ କରିବାରେ ନୀରବ ସହଯୋଗ କରାଯାଉଛି । ତାଉପରେ ଏବେ ସ୍ଥାନୀୟ ଲୋକଙ୍କ ନଜର।

Leave A Reply

Your email address will not be published.