ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କଳାହାଣ୍ଡି ଜିଲା ନର୍ଲା ରେଞ୍ଜର ଜାମପଡା ଗାଁରେ ଥିବା ଏକ ପରିତ୍ୟକ୍ତ କୂଅରେ ପଡ଼ିଥିବା ଦନ୍ତା ହାତୀ ଉଦ୍ଧାର ହୋଇଛି। କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ କମେ ବିଟ୍ ଅଧିନ ଜାମପଡାର ଏକ ପରିତ୍ୟକ୍ତ କୂଅରେ ଏକ ଦନ୍ତାହାତୀ ପଡି ରହିଥିବା ସ୍ଥାନୀୟ ଲୋକେ ଗୁରୁବାର ସକାଳୁ ଦେଖିବାକୁ ପାଇଥିଲେ।
ପରେ ବନ ବିଭାଗ ଏସମ୍ପର୍କରେ ଖବର ପାଇବା ପରେ ନର୍ଲା ଫରେଷ୍ଟର୍ ଭବାନୀ ନାଏକ, ବିଭାଗୀୟ କର୍ମଚାରୀ ତଥା ନର୍ଲା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଦନ୍ତାକୁ ଉଦ୍ଧାର କରିବାକୁ ପ୍ରୟାସ ଆରମ୍ଭ କରିଥିଲେ। ତେବେ ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ହାତୀଟି କୂଅରେ ପଡ଼ିଯାଇଥିଲା | ପରେ ଜେସିବି ସାହାଯ୍ୟରେ ମାଟି ଖୋଳିବା ପରେ କୂଅରୁ ଦନ୍ତା ବାହାରି ଜଙ୍ଗଲ ଅଭିମୁଖେ ଚାଲି ଯାଇଥିଲା।
ନର୍ଲା ଫରେଷ୍ଟର୍ ଭବାନୀ ନାଏକଙ୍କ ସୂଚନା ମୁତାବକ ପାଞ୍ଚ ଟିକିଆ ହାତୀପଲ ମଧ୍ୟରୁ ଗୋଟିଏ ହାତୀ ଉକ୍ତ କୂଅରେ ପଡି ଯାଇଥିଲା । ସୂଚନାଯୋଗ୍ୟ ଉକ୍ତ ଅଞ୍ଚଳରେ ଦୁଇବର୍ଷ ତଳେ ବିଦ୍ୟୁତ୍ ଆଘାତରେ ଗୋଟିଏ ହାତୀର ମୃତ୍ୟୁ ହୋଇଥିବା ବେଳେ ଠିକ୍ ଦିନକ ପରେ ହାତୀ ହାତୀଙ୍କ ଲଢେଇରେ ଗୋଟିଏ ହାତୀର ଜୀବନ ଯାଇଥିଲା, ସେହିପରି କିଛିଦିନ ତଳେ ନର୍ଲା ନବୋଦୟ ବିଦ୍ୟାଳୟ ନିକଟରେ ମଧ୍ୟ ବିଦ୍ୟୁତ୍ ଆଘାତରେ ଗୋଟିଏ ମାଈହାତୀର ମୃତ୍ୟୁ ହୋଇଥିଲା।