ଜାତୀୟ ଯୁବ ଉତ୍ସବରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ କୃତିତ୍ୱ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗର ଛାତ୍ରୀ ସୁଶ୍ରୀ ବିଷ୍ଣୁପ୍ରିୟା ବେହେରା ଲୁଧିଆନାସ୍ଥିତ ପଞ୍ଜାବ କୃଷି ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଆନ୍ତଃ-ବିଶ୍ୱବିଦ୍ୟାଳୟ ଯୁବ ଉତ୍ସବ “ହୁନର-୨୪” ରେ ମେହେନ୍ଦୀ କଳା ପ୍ରତିଯୋଗିତାରେ ସର୍ବଭାରତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରି ଫେରି ଆସିଛନ୍ତି । ଏହି କୃତିତ୍ୱ ପାଇଁ ଆଜି ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ବିଷ୍ଣୁପ୍ରିୟାଙ୍କୁ ସମ୍ବର୍ଦ୍ଧିତ କରିବା ସହ ଆଶୀର୍ବାଦ କରିଥିଲେ ।

ଏହି ଅବସରରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ, ଛାତ୍ର ମଙ୍ଗଳ ଅଧିକାରୀ ପ୍ରଫେସର ମିନତୀ ମଲ୍ଲିକ, କୁଳସଚିବ ଶ୍ରୀ ସହଦେବ ସମାଧିଆ, ବିତ୍ତ ନିୟନ୍ତ୍ରକ ଶ୍ରୀ ଶୁକଦେବ ତରେଇ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମ ପର୍ଯ୍ୟାୟରେ ସେ କମ୍ପ୍ୟୁଟର ବିଜ୍ଞାନ ବିଭାଗର ଅଧ୍ୟାପିକା ଡ. ଶର୍ମିଳା ସୁବୁଦ୍ଧିଙ୍କ ତତ୍ତ୍ୱାବଧାନରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଆୟୋଜିତ ପୂର୍ବାଞ୍ଜଳ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ଜାତୀୟସ୍ତରକୁ ଯିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ସର୍ବଭାରତୀୟ ସ୍ତରରେ ଭାଗ ନେବାପାଇଁ ବିଶ୍ୱବିଦ୍ୟାଳୟର ଅନ୍ୟ ଏକ ଛାତ୍ରୀ ସସ୍ମିତା ମହାନ୍ତ (ମଡେଲ୍‌ ପ୍ରତିଯୋଗିତା ନିମନ୍ତେ) ଓ ଅଧ୍ୟାପିକା ସୁଜାତା ମହାକୁଡ଼ଙ୍କ ସହ ଲୁଧିଆନା ଯାତ୍ରା କରିଥିଲେ ।

ବିଶ୍ୱବିଦ୍ୟାଳୟ ଛାତ୍ର ମଙ୍ଗଳ ଅଧିକାରୀ ପ୍ରଫେସର ମିନତୀ ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ତିନି ସଦସ୍ୟ ବିଶିଷ୍ଟ କ୍ଷୁଦ୍ର ଦଳ ସାଂସ୍କୃତିକ ଶୋଭାଯାତ୍ରାରେ ଶ୍ରୀଜଗନ୍ନାଥଙ୍କ ପ୍ରତିମା ଧାରଣ କରି ଓଡ଼ିଶୀ ନୃତ୍ୟ ପରିବେଷଣ କରି ପଞ୍ଚମ ସ୍ଥାନ ଅଧିକାର କରିଥିଲେ । ଜାତୀୟ ସ୍ତରରେ ଏହି କୃତିତ୍ୱ ପାଇଁ ବିଶ୍ୱବିଦ୍ୟାଳୟରେ ଆନନ୍ଦର ଲହରୀ ଖେଳିଯାଇଛି । ଆରମ୍ଭରୁ ପଞ୍ଜୀକରଣ, ଯାତାୟତ ବ୍ୟବସ୍ଥା ଆଦି କାର୍ଯ୍ୟରେ ସହାୟତା କରିଥିବାରୁ ଡ. ମଲ୍ଲିକ ଅଧ୍ୟାପିକା ଶର୍ମିଳା ସୁବୁଦ୍ଧି ଓ ଅଣଶିକ୍ଷକ କର୍ମଚାରୀ ଶ୍ରୀ ଶିଲୁ ମାରାଣ୍ଡିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.