ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପ୍ରକୃତିର ଅନନ୍ୟ ଶୋଭାରାଜି ଶିମିଳିପାଳ ଅଭୟାରଣ୍ୟକୁ ବନାଗ୍ନି ଦାଉରୁ କିପରି ସୁରକ୍ଷା ପ୍ରଦାନ ହେବ ସେନେଇ ବନ ବିଭାଗ ପୁରା ପ୍ରସ୍ତୁତି ହୋଇ ରହିଛି। ମୁଣ୍ଡଫଟା ଖରାରେ ମଧ୍ୟରେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଆଧୁନିକ ଯନ୍ତ୍ରପାତି ସହ ବନ କର୍ମଚାରୀ ମାନେ ଜିରୋ ବନାଗ୍ନି ସ୍ଥିତି ନେଇ ଆପ୍ରାଣ ଚେଷ୍ଟା ଜାରି ରଖିଛନ୍ତି। ଏନେଇ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ ଜିଲ୍ଲା ଗସ୍ତରେ ଆସି ଶିମିଳିପାଳ ଅଭୟାରଣ୍ୟ ପରିଦର୍ଶନ କରି ପ୍ରସ୍ତୁତି ବ୍ୟବସ୍ଥାର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏଥି ସହିତ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡ଼ ପ୍ରକାଶ ଚାନ୍ଦ ଗୋଗିନେନି, ଉପ ନିର୍ଦ୍ଦେଶକ (ଦକ୍ଷିଣ) ସମ୍ରାଟ ଗୌଡା ଉପସ୍ଥିତ ଥିଲେ। ଶିମିଳିପାଳ ଅଭୟାରଣ୍ୟକୁ ନିଆଁ ଦାଉରୁ ସୁରକ୍ଷା ପ୍ରଦାନ ନେଇ ମାଷ୍ଟର ପ୍ଲାନ ଅନୁଯାୟୀ କାର୍ଯ୍ୟ ଜାରି ରହିଛି। ତେବେ କିପରି ବନାଗ୍ନି ନିୟନ୍ତ୍ରଣ ପାଇଁ କାର୍ଯ୍ୟ ହେଉଛି ସେନେଇ ଶ୍ରୀ ସାହୁ ଦୁଇ ଦିନ ଧରି ଜଙ୍ଗଲ ମଧ୍ୟରେ ରହି ନିଜେ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଗ୍ରାଉଣ୍ଡରେ ସ୍ଥିତି ପରଖିବା ସହ ଆବଶ୍ୟକତା ପୂରଣ ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି।
ଏଥିସହିତ ସ୍ଥାନୀୟ ଲୋକମାନଙ୍କୁ ଜରିଆରେ ସଚେତନ ସୃଷ୍ଟି କରିବା ମୁଖ୍ୟ ବିଷୟ ରହିଛି। ଏଥି ପ୍ରତି ଗୁରୁତ୍ୱ ଦେବାକୁ ବନ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ। ପୂର୍ବର ତଥ୍ୟକୁ ଦେଖିଲେ ଜାନୁଆରୀ ମାସର ଶେଷ କିମ୍ବା ଫେବୃଆରୀ ମାସର ଆରମ୍ଭ ବେଳକୁ ବନାଗ୍ନି ଘଟଣା ସମ୍ମୁଖକୁ ଆସିଥାଏ। ସାଧାରଣତଃ ଶିକାର ଉଦ୍ଧେଶ୍ୟରେ କିମ୍ବା ମହୁଲ ଫୁଲ ସଂଗ୍ରହ ପାଇଁ ଲୋକମାନେ ଅଗ୍ନି ସଂଯୋଗ ଦ୍ଵାରା ବନାଗ୍ନି ସ୍ଥିତି ଦେଖିବାକୁ ମିଳିଥାଏ। ରିପୋର୍ଟ ଅନୁଯାୟୀ, ୨୦୨୦ରେ ଶିମିଳିପାଳ ଅଭୟାରଣ୍ୟରେ ୮୨୪ଗୋଟି ଫାୟାର ପଏଣ୍ଟ ଦେଖିବାକୁ ମିଳିଥିବା ବେଳେ ୨୦୨୧ରେ ବୃଦ୍ଧି ପାଇ ୪୪୩୯ଗୋଟି ଫାୟାର ପଏଣ୍ଟ ଏବଂ ୨୦୨୨ରେ ୪୮୯ଗୋଟି ଫାୟାର ପଏଣ୍ଟ ଏବଂ ୨୦୨୩ରେ ମଧ୍ୟ ଅନେକ ଫାୟାର ପଏଣ୍ଟ ଦେଖିବାକୁ ମିଳିଥିଲା। ତେବେ ଚଳିତ ସିଜନ ଆରମ୍ଭରୁ କିଛି ଟା ବନାଗ୍ନି ଘଟଣା ସମ୍ମୁଖକୁ ଆସିଥିବା ବେଳେ ସମ୍ପୂର୍ଣ୍ଣ ମାତ୍ରାରେ ତାହାକୁ ବନ କର୍ମଚାରୀ ମାନେ ନିୟନ୍ତ୍ରଣ କରିଛନ୍ତି। ଏହାକୁ ରୋକିବା ପାଇଁ ବନ ବିଭାଗ ପକ୍ଷରୁ ଜିଲ୍ଲା ପ୍ରଶାସନ, ସ୍ୱୟଂ ସହାୟକ ଗୋଷ୍ଠୀ ଓ ସ୍ଥାନୀୟ ଜନ ପ୍ରତିନିଧି ମାନଙ୍କ ସହାୟତାରେ ବ୍ୟାପକ ସଚେତନତା ସୃଷ୍ଟି କରିବା ନେଇ ସଚେତନତା କାର୍ଯ୍ୟକ୍ରମ ହେଉଛି। ଫାୟାର ପଏଣ୍ଟ ଗୁଡିକୁ ନେଇ ଏକ ପ୍ଲାନିଂ ମ୍ୟାପ ପ୍ରସ୍ତୁତ ହୋଇଛି। ଯାହାକୁ ପ୍ରତି ରେଞ୍ଜ ଅନୁଯାୟୀ କର୍ମଚାରୀଙ୍କୁ ଫାୟାର ପଏଣ୍ଟ ବାବଦରେ ଜଣାଇବା ସହ ଉକ୍ତ ସ୍ଥାନ ପ୍ରତି ସଜାଗ ରହିବାକୁ କୁହାଯାଇଛି। ଜଙ୍ଗଲ ଅଞ୍ଚଳର ଅଧିବାସୀ ମାନେ ମହୁଲ ସଂଗ୍ରହ ପାଇଁ ଶୁଖିଲା ପୋଡିବା ସ୍ଥାନ ପରିଷ୍କାର ପାଇଁ ଅଗ୍ନି ସଂଯୋଗ କରିଥିବା ବେଳେ ତାହା ଜଙ୍ଗଲ ବ୍ୟାପିଥାଏ। ତେଣୁକରି ସ୍ଥାନୀୟ ଲୋକଙ୍କୁ ସଚେତନ କରିବା ସହ ଫାୟାର ଲାଇନ କରିବା ନେଇ ସ୍ଥିରୀକୃତ ହୋଇଛି।
ମୟୁରଭଞ୍ଜ ଜିଲ୍ଲାର ବନଖଣ୍ଡ ଗୁଡ଼ିକରେ ବନାଗ୍ନି ନିୟନ୍ତ୍ରଣ ପାଇଁ ୫୦୫ଜଣ ଫାୟାର କର୍ମଚାରୀ ନିୟୋଜିତ ହୋଇଛନ୍ତି। ସେଥିମଧ୍ୟରେ ପ୍ରତି ଦିନ ମଜୁରୀ ଅନୁଯାୟୀ ଠିକା କର୍ମଚାରୀ ମଧ୍ୟ ନିୟୋଜିତ କରାଯାଇଛି। ବନାଗ୍ନି ନିୟନ୍ତ୍ରଣ ପାଇଁ ମୟୁରଭଞ୍ଜ ଜିଲ୍ଲାରେ ସମୁଦାୟ ୫ହଜାର କିଲୋମିଟର ଫାୟାର ଲାଇନ ସୃଷ୍ଟି ହେଉଛି। ସେଥି ମଧ୍ୟରେ ବାରିପଦା ବନଖଣ୍ଡରେ ୧ହଜାର କିଲୋମିଟର, ରାଇରଙ୍ଗପୁର ବନଖଣ୍ଡରେ ୬୦୦ କିଲୋମିଟର, କରଞ୍ଜିଆ ବନଖଣ୍ଡରେ ୧୧୦୦ କିଲୋମିଟର ସହିତ ଅନ୍ୟାନ୍ୟ ସ୍ଥାନର ଫାୟାର ଲାଇନ ରହିଛି। ବନାଗ୍ନି ସ୍ଥିତି ଅନୁଧ୍ୟାନ ପାଇଁ ମୟୁରଭଞ୍ଜ ଜିଲ୍ଲା ପାଇଁ ସମୁଦାୟ ୪୦ଗୋଟି ପେଟ୍ରୋଲିଂ ଭ୍ୟାନ ନିୟୋଜିତ କରାଯାଇଛି। ମୟୁରଭଞ୍ଜ ଜିଲ୍ଲାରେ ବନାଗ୍ନି ନିୟନ୍ତ୍ରଣ ପାଇଁ ଫାୟାର ଲାଇନ ସୃଷ୍ଟି କରିବା ନିମନ୍ତେ ମୋଟ ୭୩୩ଗୋଟି ଏୟାର ବ୍ଳୟର ମେସିନ ପ୍ରଦାନ କରାଯାଇଛି। ସେଥି ମଧ୍ୟରେ ବାରିପଦା ବନଖଣ୍ଡ ପାଇଁ ୧୦୬, ରାଇରଙ୍ଗପୁର ପାଇଁ ୧୧୨, କରଞ୍ଜିଆ ପାଇଁ ୧୦୬, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉତ୍ତର ଡିଭିଜନ ୧୯୨, ଦକ୍ଷିଣ ଡିଭିଜନ ୨୧୭ ଗୋଟି ଫାୟାର ବ୍ଳୟର ରହିଛି। ପ୍ରତି ସପ୍ତାହରେ ଉକ୍ତ ଫାୟାର ଲାଇନ ଗୁଡିକର ରକ୍ଷଣାବେକ୍ଷଣ ହେଉଛି। ଏଥି ସହିତ ଅଗ୍ନି ନିର୍ବାପକ ଯନ୍ତ୍ର, ନୂତନ କର୍ମଚାରୀ ନିଯୁକ୍ତ, ସତନ୍ତ୍ର ଜୋତା ଓ ପୋଷାକ ପ୍ରଦାନ କରିବା ସହ ବନାଗ୍ନି ରୋକିବା ନେଇ ପ୍ରତି ରେଞ୍ଜରେ ମକଡ୍ରିଲ କରାଯାଉଛି।