ଜମ୍ମୁକାଶ୍ମୀରର ପୁଲଓ୍ବାମାରେ ଏନକାଉଣ୍ଟର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜମ୍ମୁକାଶ୍ମୀରର ପୁଲଓ୍ବାମାରେ ଏନକାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି।  ସୂଚନା ମୁତାବକ, ଏହି ଅଞ୍ଚଳରେ କିଛି ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ସୁରକ୍ଷାବାହିନୀକୁ ବିଶ୍ବସ୍ତ ସୂତ୍ରରୁ ଖବର ମିଳିଥିଲା । ସୂଚନା କ୍ରମେ ସକାଳୁ ସୁରକ୍ଷାକର୍ମୀ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ।

ଏହି ସମୟରେ ପ୍ରଥମେ ଆତଙ୍କବାଦୀମାନେ ସେନା ଉପରକୁ ଗୁଳିମାଡ କରିଥିଲେ । ଯାହାପରେ ଦୁଇ ପକ୍ଷ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ତେବେ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଥିବା ଖବର ମିଳିଛି । କିନ୍ତୁ ଏ ଯାଏଁ ତା’ର ମୃତଦେହ ଉଦ୍ଧାର କରାଯାଇନି । ସୂଚନା ଅନୁଯାୟୀ, ପୁଲୱାମାର ଅର୍ଶିପୋରା ଅଞ୍ଚଳରେ ୨ରୁ ୩ ଜଣ ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା । ଏହାପରେ ଆଜି ଭୋର୍‌ରୁ ସେନାର ୫୫ ରାଷ୍ଟ୍ରୀୟ ରାଇଫଲ୍ସ, ସିଆରପିଏଫ ଏବଂ ପୋଲିସର ମିଳିତ ସହଯୋଗରେ ସମଗ୍ର ଅଞ୍ଚଳରେ ନାକାବନ୍ଦୀ କରି ସର୍ଚ୍ଚ ଅପରେସନ ଚଳାଇଥିଲେ ।

ଏହି ସମୟରେ ପ୍ରଥମେ ଆତଙ୍କବାଦୀଙ୍କ ପକ୍ଷରୁ ଗୁଳିମାଡ ପରେ ସୁରକ୍ଷାବଳ ପାଲଟା ଗୁଳିଚାଳନା କରିଥିଲେ । ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା କୁହାଯାଉଛି । ସେହିପରି ଜଣେ ଆତଙ୍କବାଦୀକୁ ସୁରକ୍ଷାକର୍ମୀ ଘେରିଥିବା ଜଣାପଡିଛି । ହେଲେ ଏନେଇ ସେନା ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନି । ସେଠି ଏବେ ବି ଏନକାଉଣ୍ଟର ଜାରି ରହିଛି ।

Leave A Reply

Your email address will not be published.