ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଦାନୀ-ହିଡେନବର୍ଗ ମାମଲା: ତଦନ୍ତ ସାରିବାକୁ ଆଉ ୬ ମାସ ମହଲତ ମାଗିଲା ସେବି(ସିକ୍ୟୁରିଟିଜ୍ ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ। ସୁପ୍ରିମ୍କୋର୍ଟରେ ବୁଧବାର ସେବି ପକ୍ଷରୁ ଏହି ଆବେଦନ ହୋଇଛି। ଏହି ତଦନ୍ତ ଶେଷ କରିବାକୁ ସେବି ୬ ମାସ ମାଗିଛି । ସେବି କୋର୍ଟଙ୍କୁ ଆହୁରି ଜଣାଇଛି ଯେ, ଏହି ମାମଲାରେ ପ୍ରାଥମିକ ଅନୁସନ୍ଧାନରୁ ମିଳିଥିବା ତଥ୍ୟ ଓ ଷ୍ଟାଟସ ରିପୋର୍ଟକୁ ବିଶେଷଜ୍ଞ କମିଟିକୁ ଦେଇଛି। ୮ଟି କ୍ଷେତ୍ରରେ ଅନିୟମିତତା ହୋଇଥିବା ନେଇ ଏହି ତଦନ୍ତ କରାଯାଉଛି। ସହାୟକ କମ୍ପାନୀ ସହିତ ସାତୋଟି ତାଲିକାଭୁକ୍ତ ଆଦାନୀ କମ୍ପାନୀ ତଦନ୍ତ ସ୍କାନରରେ ଅଛନ୍ତି। ଆଦାନୀ ଏଣ୍ଟରପ୍ରାଇଜେସ୍ ଲିମିଟେଡ୍ ସହିତ ଆଦାନୀ ପାୱାର ଲିମିଟେଡ୍, ଆଦାନୀ ଟ୍ରାନ୍ସମିସନ୍ ଲିମିଟେଡ୍, ଆଦାନୀ ଗ୍ରୀନ୍ ଏନର୍ଜି ଲିମିଟେଡ୍, ଆଦାନୀ ପୋର୍ଟ ଆଣ୍ଡ ସ୍ପେଶାଲ ଇକୋନୋମିକ୍ସ ଜୋନ୍ ଲିମିଟେଡ୍, ଆଦାନୀ ଟୋଟାଲ୍ ଗ୍ୟାସ୍ ଲିମିଟେଡ୍ ଏବଂ ଆଦାନୀ ୱିଲମାର ଲିମିଟେଡ୍କୁ ଡକ୍ୟୁମେଣ୍ଟ୍ ଏବଂ ସୂଚନା ଦାଖଲ କରିବାକୁ କୁହାଯାଇଛି। ସୁପ୍ରିମ୍ କୋର୍ଟ ଗତ ମାର୍ଚ୍ଚରେ ଏହି ମାମଲାର ଶୁଣାଣି କରି ୨ ମାସ ଭିତରେ ତଦନ୍ତ ରିପୋର୍ଟ ଦେବାକୁ ସେବିକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏବେ ସେବି ତଦନ୍ତ ପାଇଁ ଅଧିକ ସମୟ ମାଗିଛି ।
ସୂଚନାଯୋଗ୍ୟ, ଦେଶରେ ବହୁ ଚର୍ଚ୍ଚିତ ଆଦାନୀ-ହିଡେନବର୍ଗ ମାମଲରେ ବିରୋଧୀ ଲଗାତର ହଙ୍ଗାମା ଜରି ରହିଛି। ଏହି ବିବାଦର ତଦନ୍ତ ପାଇଁ ମିଳିତ ସଂସଦୀୟ କମିଟି (ଜେପିସି) ଗଠନ କରିବାକୁ ବିରୋଧୀ ଦାବି କରୁଛନ୍ତି। ଏବେ ଏହି ମାମଲାରେ ମୁହଁ ଖୋଳିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଅମିତ ଶାହ କହିଛନ୍ତି, ସୁପ୍ରିମକୋର୍ଟ ଏହି ଘଟଣାର ଅବଗତ ହୋଇସାରିଛନ୍ତି। କୋର୍ଟ ଏକ ତଦନ୍ତ କମିଟି ମଧ୍ୟ ଗଠନ କରିଛନ୍ତି। ସେ କହିଛନ୍ତି, ଯଦି କିଛି ଭୁଲ ହୋଇଛି ତେବେ କାହାକୁ ଛଡ଼ାଯିବ ନାହିଁ। ଯଦି ଏହି ଘଟଣାରେ କାହା ପାଖରେ କିଛି ପ୍ରମାଣ ଥାଏ ତେବେ ତାକୁ ସୁପ୍ରିମକୋର୍ଟ କମିଟି ନିକଟରେ ହାଜର କରାଯିବା ଉଚିତ। ଶାହ ଆହୁରି କହିଛନ୍ତି, ଏ ପ୍ରସଙ୍ଗର ଆମ ସରକାର ସହିତ କୌଣସି ସମ୍ପୃକ୍ତି ବା ଅନିଶ୍ଚିତତା ନାହିଁ। ଘଟଣା ତଦନ୍ତ କରିବା ଲାଗି ସୁପ୍ରିମ୍ କୋର୍ଟ କମିଟି ଗଠନ କରିଛନ୍ତି ଏବଂ ଜନସାଧାରଣ ବିଚାର ବ୍ୟବସ୍ଥା ଉପରେ ଆସ୍ଥା ରଖିବା ଉଚିତ। ସେପଟେ ବିରୋଧୀଙ୍କ ହଙ୍ଗାମା ଭିତରେ ସଂସଦ ଅଚଳ ହେଉଥିବା ନେଇ ମଧ୍ୟ ଶାହ ପ୍ରତିକ୍ରିୟା ରଖିଛନ୍ତି। ବିରୋଧୀ ଦଳ ଆଲୋଚନା କରି ବୁଝାମଣାରେ ଉପନୀତ ହେଲେ ଯାଇ ସମସ୍ୟାର ସମାଧାନ ହୋଇପାରିବ। ଦୁଇ ପକ୍ଷ ବାଚସ୍ପତିଙ୍କ ସମ୍ମୁଖରେ ବସି ଆଲୋଚନା କରନ୍ତୁ। ସେମାନେ ଦୁଇ ପାଦ ଆଗକୁ ବଢ଼ିଲେ ଆମେ ବି ଦୁଇ ପାଦ ଆଗକୁ ବଢ଼ିବୁ। ତେବେ ଯାଇ ସଂସଦ ଚାଲିବ। କିନ୍ତୁ, ସେମାନେ ଖାଲି ସାମ୍ବାଦିକ ସମ୍ମିଳନୀ ଛଡ଼ା କିଛି କରୁ ନାହାନ୍ତି। ଏମିତିରେ କାର୍ଯ୍ୟ ହେବ ନାହିଁ ବୋଲି କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି।