କେତେ ବିସ୍ଫୋରଣ ପରେ ଚେତିବ ଆହ୍ଲୁୱାଲିଆ ପ୍ଲାଣ୍ଟ ?

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କେନ୍ଦୁଝର ଜିଲ୍ଲା ରୁଗୁଡ଼ି ଥାନା ଅନ୍ତର୍ଗତ ବରପଦାରେ ଥିବା କେ.ଜେ.ଏସ୍. ଆହ୍ଲୁୱାଲିଆ ପ୍ଲାଣ୍ଟରେ ଗୁରୁବାର ପୁଣି ଏକ ଭୟଙ୍କର ବିସ୍ଫୋରଣ ଘଟି ୧୦ ଜଣ ଶ୍ରମିକ ଆହତ ହୋଇଥିବା ବେଳେ ସେଥି ମଧ୍ୟରୁ ୪ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣା ପଡିଛି।

ସୂଚନା ମୁତାବକ ଗୁରୁବାର ଅପରାହ୍ନରେ ପ୍ଲାଣ୍ଟର ଇଣ୍ଡକ୍ସନ ଫର୍ନେସରେ ବିସ୍ଫୋରଣ ଘଟିବାରୁ ସେଥିରୁ ଉତ୍ତପ୍ତ ତରଳ ପଦାର୍ଥ ଛିଟିକି ଯାଇ କାର୍ଯ୍ୟରତ ଶ୍ରମିକଙ୍କ ଉପରେ ପଡିଥିଲା। ଫଳରେ ପ୍ରାୟ ୧୦ଜଣ ଶ୍ରମିକ ପୋଡ଼ିଯାଇ ଗୁରୁତର ଆହତ ହୋଇଥିଲେ। ପ୍ଲାଣ୍ଟ କର୍ତ୍ତୃପକ୍ଷ ସମସ୍ତ ଗୁରୁତରଙ୍କୁ ସେଠାରୁ ଉଦ୍ଧାର କରି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଥି ମଧ୍ୟରୁ ୪ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣା ପଡିଛି।

ପୂର୍ବ ସୂଚନା ମୁତାବକ, ସୁରକ୍ଷା ଅବହେଳା କାରଣରୁ ଏହି କେ.ଜେ.ଏସ୍. ଆହ୍ଲୁୱାଲିଆ ପ୍ଲାଣ୍ଟରେ ରେକର୍ଡ ସଂଖ୍ୟକ ବିସ୍ଫୋରଣ ଘଟି ସାରିଛି। ଗତ ୨୦୧୭ ମସିହାରେ ବିସ୍ପୋରଣ ଘଟି ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ନିକଟରେ ଗତ ଜାନୁୟାରୀ ମାସରେ ମଧ୍ୟ ଏହି ପ୍ଲାଣ୍ଟରେ ବିସ୍ଫୋରଣ ଘଟିଥିଲା। ବୋଧେ ପ୍ଲାଣ୍ଟ କର୍ତ୍ତୃପକ୍ଷଙ୍କ ପାଇଁ ଏହି ବିସ୍ଫୋରଣ ଦେହସୁହା ହୋଇ ଯାଇଥିବା ବେଳେ ବିଭାଗୀୟ ଅଧିକାରୀ ଶୋଇ ରହିଛନ୍ତି। ଏଭଳି ସ୍ଥିତିରେ କାରଖାନା ତଥା ସେଥିରେ କାର୍ଯ୍ୟରତ ଶ୍ରମିକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Leave A Reply

Your email address will not be published.