ଅପରାଧିକ କାର୍ଯ୍ୟକଳାପ ଓ ଦୁର୍ନୀତିକୁ ପ୍ରୋତ୍ସାହନ ଦେଉଛନ୍ତି ରାଜ୍ୟ ସରକାର: ପୁଣି ବର୍ଷିଲା ବିଜେପି

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ): ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାରେ ବାଟବଣା ତଦନ୍ତ ପ୍ରକ୍ର୍ରିୟାରେ ଅଭିଯୁକ୍ତ ଗୋପାଳ ଦାସଙ୍କୁ ପାଗଳ ସଜାଇବାର ଉଦ୍ୟମ ପ୍ରସଙ୍ଗ ଓ ଦୁର୍ନୀତିଗ୍ରସ୍ତ ଅଧିକାରୀ ରାଜନେତା ଲିଙ୍କ୍ ପ୍ରସଙ୍ଗକୁ ନେଇ ପୁଣି ବର୍ଷିଛି ବିଜେପି । ଶାସକ ବିଜୁ ଜନତା ଦଳର ବିଧାୟକ ଓ ନେତାମାନେ ଭାରତୀୟ ଜନତା ପାର୍ଟିର ସମ୍ମାନୀୟ ବ୍ୟକ୍ତିତ୍ୱମାନଙ୍କୁ ଆକ୍ଷେପ କରିବା ପରିବର୍ତେ ନିଜ ଦଳର ବିଧାୟକ, ମନ୍ତ୍ରୀ, ପୂର୍ବତନମନ୍ତ୍ରୀ କାର୍ଯ୍ୟକୁ ସମୀକ୍ଷା କରନ୍ତୁ ବୋଲି ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ରାଜ୍ୟର ଅପରାଧୀକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ସହ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଦୌରାତ୍ମ୍ୟ ବଢ଼ିଚାଲିଛି । ଆଜି କୋରାପୁଟ ଜିଲ୍ଲାର ଜଣେ ବନଖଣ୍ଡ ଅଧିକାରୀଙ୍କ ଗାଡିରୁ ବିପୁଳ ପରିମାଣର ଟଙ୍କା ଜବତ କରି ତଦନ୍ତ କରୁଛି ଭିଜିଲାନ୍ସ । କିଛିଦିନ ତଳେ ଭୁବନେଶ୍ୱର ଆର୍‌ଡବ୍ଲ୍ୟୁଏସ୍‌ଏସ୍ ସୁପରିଟେଣ୍ଡେଂଟ ଇଞ୍ଜିନିୟର ବିଜୟାନନ୍ଦ ସାହୁ ଆୟବର୍ହିଭୁତ ସମ୍ପତିଠୁଳ ଅଭିଯୋଗରେ ଗିରଫ ହୋଇଥିଲେ । ତାଙ୍କଠାରୁ କୋଟି କୋଟି ଟଙ୍କାର ସମ୍ପତି ମିଳିଛି ।

ପୁଣି କନ୍ଦର୍ପ ପ୍ରଧାନ, ଅତିରିକ୍ତ ମୁଖ୍ୟଯନ୍ତ୍ରୀ, ଏମଆଇ ଡିଭିଜନ, କେବିକେଙ୍କ ଉପରେ ଭିଜିଲାନ୍ସ ରେଡ୍ କରି ଭୁବନେଶ୍ୱର ସମେତ ଅନୁଗୁଳ କୋଟି କୋଟି ଟଙ୍କାର ସମ୍ପତି ଠାବ କରି ଗିରଫ କରିଛି । ଏହି ଦୁଇ ଅଫିସର ପରଜଙ୍ଗ ବିଧାୟକ ଓ ପୂର୍ବତନ ମନ୍ତ୍ରୀଙ୍କ ସମ୍ପର୍କ କଣ? ରାଜନୈତିକ ଛତ୍ରଛାୟାରେ ରହି ଏହି ଦୁଇ ଅଫିସର ଦୁର୍ନୀତି କରୁଥିଲେ କି? ଏ ସମ୍ପର୍କରେ ମଧ୍ୟ ଭିଜିଲାନ୍ସ ତଦନ୍ତ କରିବା ଜରୁରୀ । ନିକଟରେ ଧରାପଡିଥିବା ଖଣି ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନାଠାରୁ ମଧ୍ୟ ଭିଜିଲାନ୍ସ ବହୁ ଆୟବହିର୍ଭୁତ ସମ୍ପତି ଠାବ କରିଛି ।

ଯୋଡାରେ ଖଣି ବିଭାଗର ଉପନିର୍ଦ୍ଦେଶକ ଥିବାବେଳେ ତାଙ୍କ ଭୂମିକା ବିବାଦୀୟ ହୋଇଥିଲା । ବହୁଚର୍ଚ୍ଚିତ ଉଲିବୁରୁ, ହିସାବୁରୁ ଖଣି ଦୁର୍ନୀତିରେ ବହୁ ଲୋକ ଗିରଫ ହୋଇଛନ୍ତି, ଅଥଚ ତତ୍‌କାଳୀନ ଖଣି ଅଧିକାରୀଙ୍କୁ କାହିଁକି ତଦନ୍ତ ପରିସରକୁ ଅଣାଯାଇନଥିଲା । ଏବେ ଭିଜିଲାନ୍ସ ଏହି ଅଭିଯୁକ୍ତ ଅଧିକାରୀଙ୍କ ଖଣି ମାଫିଆ, ଖଣି ମାଫିଆଙ୍କ ଲିଙ୍କ୍ ଉପରେ ତଦନ୍ତ କଲେ ଆହୁରି ତଥ୍ୟ ପଦାକୁ ଆସିବ । ବର୍ତମାନର ଅନିୟନ୍ତ୍ରଣାଧିନ ଦୁର୍ନୀତି ପ୍ରସଙ୍ଗରେ ରାଜ୍ୟ ସରକାର ଦୃଢ଼ ପଦକ୍ଷେପ ନେବା ଉଚିତ । ବିଭିନ୍ନ ଦୁର୍ନୀତି ଗ୍ରସ୍ତ ଉଚ୍ଚପଦସ୍ତ ଅଧିକାରୀଙ୍କ ବିରୋଧରେ ଭିଜିଲାନ୍ସ କେସ୍ କରି ଚାର୍ଜସିଟ୍ ଦେବା ସହ ସାଧାରଣ ପ୍ରଶାସନ ବିଭାଗର ଅନୁମତି ମାଗିଥିଲେ ମଧ୍ୟ କାହିଁକି ଅନୁମତି ଦେଉନାହାନ୍ତି ରାଜ୍ୟ ସରକାର ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି ।

ପୁନଶ୍ଚ ପୂର୍ବତନମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସଙ୍କୁ ପାଗଳ ସଜାଇବାର ପ୍ରୟାସ କରୁଛି କ୍ରାଇମବ୍ରାଂଚ । ରାଜ୍ୟର ଏକ ପ୍ରତିଷ୍ଠିତ ଡାକ୍ତରଖାନାର ଡାକ୍ତରଙ୍କୁ ନେଇ ଗଠିତ ମେଡିକାଲ ଟିମ୍ ଅଭିଯୁକ୍ତର ମାନସିକ ସ୍ଥିତି ଯାଂଚ କରି ରିପୋର୍ଟ ଦେବା ପରେ ବାଙ୍ଗାଲୋର ନେବା ପାଇଁ ଆବେଦନ କରିବା କିମ୍ବା ଏଫବିଆଇ ସହଯୋଗ ଲୋଡିବା କେତେଦୂର ଯୁକ୍ତିଯୁକ୍ତ ବରଂ କ୍ରାଇମବ୍ରାଂଚ ହତ୍ୟାର କାରଣ, ଷଡଯନ୍ତ୍ରକାରୀମାନଙ୍କ ଷହଯନ୍ତ୍ର ପ୍ରସଙ୍ଗକୁ ନଯିବା ଦୁର୍ଭାଗ୍ୟଜନକ । ରାଜ୍ୟରେ ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କ ହତ୍ୟା ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଭାଜପା ଯୁବମୋର୍ଚ୍ଚା ଆନ୍ଦୋଳନରେ କାର୍ଯ୍ୟକର୍ତାଙ୍କ ବିରୋଧରେ ୩୦୭ଦଫା କେସ୍ କରି ଜେଲ୍ ପଠାଇବା ସରକାର ଓ ପୋଲିସର ଦମନମୂଳକ ପଦକ୍ଷେପ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ଆନ୍ଦୋଳନ କରିବା ଅପରାଧୀକ କାର୍ଯ୍ୟକଳାପ ନୁହେଁ । ବିରୋଧୀ ଦଳ ରାଜନୀତିରେ ରହିଲେ ସରକାର ପୋଲିସ ଲଗାଇ କେସ୍ କରିବାର ଅନେକ ନଜିର୍ ରହିଛି । କିନ୍ତୁ ଶାସକ ବିଜୁ ଜନତା ଦଳର ବିଧାୟକ ଓ ନେତାମାନେ ଭାରତୀୟ ଜନତା ପାର୍ଟିର ନେତାଙ୍କ ବିରୋଧରେ ରୂଚିହୀନ ମନ୍ତବ୍ୟ ଦେଉଛନ୍ତି । ବିଜେଡି ତାଙ୍କ ଦଳ ନେତାଙ୍କ କାର୍ଯ୍ୟକୁ ସମୀକ୍ଷା କରିବା ଉଚିତ୍ । ଯିଏ କହିଥିଲେ ରାଜ୍ୟରେ ଏବେ ଏଭଳି ଲୁଟ୍ ଚାଲିଛି ଯାହା ବ୍ରିଟିଶଶ କରିନଥିଲେ, ସେ କାର୍ଯ୍ୟାଳୟର ସାଧାରଣ ସମ୍ପାଦକ । ଯିଏ ବିଜୁ ଜନତା ଦଳ ଓ ନବୀନ ବାବୁଙ୍କୁ ବେଇମାନ କହିଥିଲେ ସେ ଜଣେ ରାଜ୍ୟସଭା ସାଂସଦ, ଜଣେ ଥାନାଧିକାରୀଙ୍କୁ ଅପହରଣ ଓ ସଂଘବଦ୍ଧ ମରଣାନ୍ତକ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ ରାଜ୍ୟ ସରକାରଙ୍କ ଜଣେ କ୍ୟାବିନେଟ୍ ମନ୍ତ୍ରୀ ।

୧୯୯୦ମସିହାରେ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ପରେ ତତ୍‌କାଳୀନ ଜନତା ଦଳର କେଉଁ ବିଧାୟକ, ମନ୍ତ୍ରୀ ଓ ନେତାଙ୍କ ବିରୋଧରେ ଥିବା ଅପରାଧୀକ ମକଦ୍ଦମା ଉଠାଇ ନେଇଥିଲେ, ତାହା ବିଜେଡି ନେତାମାନେ ସମୀାକ୍ଷା କରନ୍ତୁ । କିିଛି ଦିନର ମନ୍ତ୍ରୀମଣ୍ଡଳ ଗଠନ ବେଳେ କାହା କାହାକୁ ବାଦ୍ ଦିଆଯାଇଥିଲା ତାହାର କାରଣ ମଧ୍ୟ ରାଜ୍ୟବାସୀ ଜାଣନ୍ତି । ଜଣେ ନୀରିହ ଝିଅକୁ ମାରିବା, ପୋଡିବା ଓ ପୋତିବା ଭଳି ବର୍ବରଚିତ ଅମାନବୀୟ ହତ୍ୟାକାଣ୍ଡର ଷଡଯନ୍ତ୍ରକାରୀଭାବେ ସେହି ଝିଅର ପରିବାର କାହା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଥିଲେ ତାହା ରାଜ୍ୟବାସୀ ଜାଣନ୍ତି, କିନ୍ତୁ ବିଜୁ ଜନତା ଦଳର ନେତା ଓ ବିଧାୟକ ଭୁଲି ଯାଉଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଆଜି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଅନୀଲ ବିଶ୍ୱାଳ, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲ୍ଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

 

Leave A Reply

Your email address will not be published.