ପ୍ରଣବ ପ୍ରକାଶ ଦାସଙ୍କ ଟ୍ୱିଟର କଡ଼ା ପ୍ରତିକ୍ରିୟା ରଖିଲେ ସୁରଜ ସୂର୍ଯ୍ୟବଂଶୀ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ମୂଳ ବିଷୟରେ ଉତ୍ତର ନରଖି ରାଜ୍ୟର ଯୁବ ସମାଜକୁ ଭ୍ରମିତ କରୁଛନ୍ତି । ରାଜ୍ୟରେ ଶିଶୁ ଓ ମାତୃ ମୃତ୍ୟୁହାର ଚିନ୍ତାଜନକ ଥିବା ବେଳେ ଯାଜପୁରର ନଗଡା ଏହାର ଏକ ଜ୍ୱଳନ୍ତ ଉଦାହରଣ ବୋଲି ଟ୍ୱିଟ୍ କରି କହିଛନ୍ତି ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ। ସେହିପରି ଶାସକ ଦଳର ୪୦ ଜଣ ବିଧାୟକ ଓ ମନ୍ତ୍ରୀମାନଙ୍କ ନାଁରେ ଅପରାଧିକ ମାମଲା ନେଇ ଶ୍ରୀ ଦାସ ଚୁପ୍ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ବିଧାୟକ ସୂର୍ଯ୍ୟବଂଶୀ ସୂରଜ ।

ଶ୍ରୀ ମହାଲିଙ୍ଗ୍ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ଯେ ବାବୁ, ଆମ ବକ୍ତବ୍ୟକୁ ଆପଣ ଠିକ ଭାବେ ଶୁଣିନଥିଲା ଭଳି ମନେହେଉଛି । ଯେଉଁ ସମ୍ବେଦନଶୀଳ କଥା ଉଠିଛି, ତାର ଉତ୍ତର ନରଖି ଆପଣ କଥାକୁ ବୁଲେଇ ରାଜ୍ୟର ଯୁବ ସମାଜକୁ ଭ୍ରମିତ କରୁଛନ୍ତି । ରାଜ୍ୟରେ ମହିଳା, ଗର୍ଭବତୀ ମହିଳା, ବାଳିକା, ନବଜାତ ଶିଶୁ ତଥା ଅନାହାର ଏବଂ ଅପପୃଷ୍ଟି ବିଷୟରେ ବର୍ଣ୍ଣନା କରାଯାଇଥିଲା । ତାକୁ ନିଜ ସୁବିଧା ଅନୁସାରେ ଏଡାଇ ଦେବା ପାଇଁ ଆପଣ ଚତୁରତାର ସହ ପ୍ରୟାସ କରିଛନ୍ତି । ଆପଣଙ୍କ ଜିଲ୍ଲା ଯାଜପୁରର ନଗଡା ହେଉଛି ଏହାର ଜ୍ୱଳନ୍ତ ଉଦାହରଣ । ବବି ବାବୁ ଦିନରେ ଲଣ୍ଠନ ଦେଖାଇବାର ଚେଷ୍ଟା କରୁଛନ୍ତି ।

ରାଜନୀତିରେ ହାରିବା ଜିତିବା ଲାଗି ରହେ । ଗତ ୨୦୧୯ ନିର୍ବାଚନରେ ଦିଲ୍ଲୀର ଚାବିକାଠି ରଖିବା ଦମ୍ଭ ଦେଖାଇ ୨୧ ରୁ ୨୧ ଲୋକସଭା ଆସନ ହାତେଇବା ପାଇଁ ପ୍ରଚାର କରିଥିଲେ । କିନ୍ତୁ ଭୋଟରମାନେ ବିଜେପିକୁ ୮ ଟି ଲୋକସଭା ଆସନରେ ଜିତାଇଥିଲେ । ଆପଣଙ୍କୁ ମନେ ପକାଇବା ପାଇଁ ଚାହୁଁଛି ବିଜେପି ୨୦୧୯ ନିର୍ବାଚନରେ ୯୧ ଲକ୍ଷ ୨୯ ହଜାର ୭୭୩ ଖଣ୍ଡ ଭୋଟ ପାଇଥିଲା । ଆପଣଙ୍କ ବାପା ମଧ୍ୟ ଶେଷ ନିର୍ବାଚନ କିପରି ଭାବରେ ହାରିଥିଲେ ଆପଣଙ୍କର ମନେ ଥିବ ବୋଲି ଆଶା କରୁଛି ।

ଗତକାଲି ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କର ଜୟନ୍ତୀକୁ ବିଜୁ ଜନତା ଦଳ ଧୂମଧାମରେ ପାଳନ କଲା । ସେ ମଧ୍ୟ ୧୯୭୧ ମସିହାରେ ଗୋଟିଏ ଥର ୫ଟି ଯାଗାରେ ନିର୍ବାଚନ ଲଢି ହାରିଥିଲେ । କଣ ତାଙ୍କ ପ୍ରତି ଜନସମର୍ଥନ ନଥିଲା ନା ସେ ଲୋକପ୍ରିୟ ନଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେହିପରି ବିଧାୟକ ସୂର୍ଯ୍ୟବଂଶୀ ସୂରଜ ଟ୍ୱିଟ୍ କରି କହିଛନ୍ତି ଯେ ବବି ଭାଇ, ଆପଣଙ୍କ ପୂଜ୍ୟ ପିତା ଶ୍ରୀ ଅଶୋକ ଦାସ ଛାତ୍ରାବସ୍ଥାରେ ଯେତେବେଳେ ରାଜନୀତିକୁ ଆସିଥିଲେ, ସେତେବେଳେ ତାଙ୍କ ବିରୁଦ୍ଧରେ ମଧ୍ୟ ତତ୍କାଳୀନ ସରକାର ଅନେକ ସଙ୍ଗୀନ ଅପରାଧିକ ମାମଲା ରୁଜୁ କରିଥିଲା । ତାମାନେ ସେ କଣ ଅପରାଧି ହୋଇଯାଇଥିଲେ ? ଏ ବିଷୟରେ ଆପଣ ଘରର ଗୁରୁଜନମାନଙ୍କୁ ପଚାରି ବୁଝିଲେ ଉଚିତ୍ ହେବ । ଆପଣ ଏବଂ ଆପଣଙ୍କ ମୁଖ୍ୟମନ୍ତ୍ରୀ ରାଜନୈତିକ ସଂଘର୍ଷ ବିନା କ୍ଷମତାକୁ ଉପଭୋଗ କରୁଛନ୍ତି ।

ବବି ଭାଇ, ଆପଣ ମୂଳ କଥାର ଉତ୍ତର ନଦେଇ ଯେଉଁ କଥା ଗୁଡିକ କହିଛନ୍ତି ଓଡିଶାବାସୀ ତା’ର ସତ୍ୟତା ଭଲ ଭାବେ ଜାଣିଛନ୍ତି । ଆମର ବିରୋଧୀ ଦଳର ନେତା, ରାଜ୍ୟ ଯୁବମୋର୍ଚ୍ଚା ସଭାପତିଙ୍କୁ ଆପଣଙ୍କ ସରକାର ମିଛ କେସରେ ଫସାଇ ଅପରାଧୀ କହୁଛନ୍ତି । ଆଉ ଆପଣଙ୍କ ଦଳର ୪୦ ଜଣ ବିଧାୟକ ଓ ମନ୍ତ୍ରୀମାନଙ୍କ ନାଁରେ ହତ୍ୟା, ଧର୍ଷଣ, ଡକାୟତୀ, ଅପହରଣ ଭଳି ସଙ୍ଗୀନ ଅପରାଧୀକ ମାମଲା ରହିଛି । ଏହା ଉପରେ ଆପଣ କିଛି କହୁନାହାନ୍ତି କାହିଁକି ?

ସମଗ୍ର ଓଡିଶାରେ ଡ୍ରଗସ/ଧଳାଜହର ଆଜି ଏକ ଚିନ୍ତାର କାରଣ ହୋଇଛି, ଯେଉଁଥିରେ ଆପଣଙ୍କର ପ୍ରିୟ ନେତା ମୁଖ୍ୟମନ୍ତ୍ରୀଙ୍କ ସରକାରର ଗୃହ ବିଭାଗରେ ଥିବା ପୋଲିସର କିଛି ବଡ ଅଧିକାରୀମାନଙ୍କ ଛତ୍ରଛାୟାରେ ଧଳାଜହର କାରବାର ଆଜି ବଢି ଚାଲିଛି । ଏହି କାରଣରୁ ଓଡ଼ିଆ ଯୁବକମାନେ ଆଜି ନିଶାଗ୍ରସ୍ତ ହୋଇ ପଥଭ୍ରଷ୍ଟ ହେବାର ଦେଖାଯାଉଛି । ଆଗକୁ ଉଡ୍‌ତା ପଂଜାବର ରାସ୍ତାରେ ଉଡ୍‌ତା ଓଡିଶା ଯାଉଛି ବୋଲି ସେ ଟ୍ୱିଟ୍ କରିଛନ୍ତି।

Leave A Reply

Your email address will not be published.