ବିଦ୍ୟାଳୟ ପରିସରରୁ ବାସଗୃହ ଉଚ୍ଛେଦ ଦାବିରେ ଆନ୍ଦୋଳନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଚନ୍ଦୁଆର ହାତୀମଡା ସ୍ଥିତ ଏ.କେ.ବିଦ୍ୟାପିଠ ପରିସରରୁ ତିନି ଗୋଟି ବାସଗୃହକୁ ଉଛେଦ ଦାବିରେ ଗ୍ରାମବାସୀ ମାନେ ଆନ୍ଦୋଳନ କରିଛନ୍ତି। ଏନେଇ ବୁଧବାର ବିଦ୍ୟାଳୟ ସମ୍ମୁଖର ଫାଟକରେ ତାଲା ପକାଇ ଧାରଣାରେ ବସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଉକ୍ତ ଏ.କେ.ବିଦ୍ୟାପିଠ ପରିସର ମଧ୍ୟରେ ଗ୍ରାମର ତିନୋଟି ପରିବାର ସ୍ଥାୟୀ ବାସଗୃହ ନିର୍ମାଣ କରି ରହୁଛନ୍ତି।

ଯାହାକି ବିଦ୍ୟାଳୟର ପରିବେଶ ଉପରେ ପ୍ରଭାବ ପଡିବା ସହିତ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନଙ୍କର ମାନସିକ ସ୍ଥିତି ଉପରେ ଖରାପ ପ୍ରଭାବ ପକାଉଛି। ଉକ୍ତ ପରିବାର ଗୁଡିକ ବିସ୍ଥାପନ ନିମନ୍ତେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ, ହଳଦିଆ ବନ୍ଧର କ୍ଷତିଗ୍ରସ୍ତ ଓ ଅନୁଦାନ ରାଶି ପାଇଥିବା ପରିବାର ଅଟନ୍ତି। ତେବେ ଏଥିପରେ ଅନ୍ୟତ୍ର ନଯାଇ ବିଦ୍ୟାଳୟ ପରିସର ମଧ୍ୟରେ ରହିବା ସହ ଗାଈଗୋରୁ, ଛେଳି, ମେଣ୍ଡା ଆଦି ଅବାଧରେ ଚଳପ୍ରଚଳ କରାଉଛନ୍ତି। ଯାହାକି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଶିକ୍ଷାଗ୍ରହଣ ଉପରେ କୁପ୍ରଭାବ ପକାଉଛି। ବିଦ୍ୟାଳୟର ଉନ୍ନୟନ ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପକୁ କାର୍ଯ୍ୟକାରି କରିବାରେ ଆସୁବିଧା ସୃଷ୍ଟି ହେଉଛି।

ବିଦ୍ୟାଳୟକୁ ୫-ଟି ଯୋଜନାର ପର୍ଯ୍ୟାୟଭୁକ୍ତ କରାଯାଇଥିଲେ ମଧ୍ୟ ତିନୋଟି ପରିବାର ରହିବା କାରଣରୁ ଏହାର ପ୍ରଭାବରେ ପାଚେରୀ କାର୍ଯ୍ୟ ମଧ୍ୟ ସମ୍ପୂର୍ଣ ହୋଇପାରୁନାହିଁ। ଏନେଇ ବହୁବାର ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଫଳରେ ସ୍ଥାନୀୟ ଗ୍ରାମବାସୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ତେଣୁକରି ବୁଧବାର ଏସ୍.ଏମ୍.ସି. ସଭ୍ୟବୃନ୍ଦ ଓ ଜନସାଧାରଣଙ୍କ ସହଯୋଗରେ ବିଦ୍ୟାଳୟ ଫାଟକ ସମ୍ମୁଖରେ ଗଣଧାରଣା ପ୍ରଦାନ କରାଯାଇଥିଲା।

ତେବେ ଘଟଣାସ୍ଥଳରେ ସ୍ଥାନୀୟ ତହସିଲଦାର ଓ ବ୍ଲକ ଶିକ୍ଷା ଅଧିକାରୀ ପହଁଚି ଆଲୋଚନା କରିଥିଲେ। ବିଦ୍ୟାଳୟ ସମସ୍ୟାକୁ ହୃଦୟଙ୍ଗମ କରି ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଲୋକେ ଦାବି କରିଥିଲେ। ତେବେ ଆଗାମୀ ଏକ ମାସ ମଧ୍ୟରେ ଉକ୍ତ ପରିବାରକୁ ସ୍କୁଲ ପରିସରରୁ ଉଛେଦ କରିବା ନେଇ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଧାରଣାରେ କମିଟି ସଦସ୍ୟ ଶଙ୍କର ପ୍ରସାଦ ନାଥ, ବୁଦ୍ଧିଆ ବିନ୍ଧାଣି, ଭାଟୁଆ ନାଏକ, ଭରତ ଚନ୍ଦ୍ର ରାଜ, କାଳୁ ମଲ୍ଲିକ ଏବଂ ଅନ୍ୟାନ୍ୟ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.