୧୭ ଲକ୍ଷ ଟଙ୍କାର ଲୁହାଛଡ ଗିଳିବାକୁ ଉଦ୍ୟମ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ୧୭ ଲକ୍ଷ ଟଙ୍କାର ଲୁହାଛଡ ଗିଳିବାକୁ ଉଦ୍ୟମ | ଲୁହାଛଡ ଚୋରି ଅଭିଯୋଗରେ ଆଦିତ୍ୟପୁରରୁ ୨ ଗିରଫ, ନଗଦ ଦେଢ ଲକ୍ଷ ଟଙ୍କା ସହ ଲୁହାଛଡ ବୋଝେଇ ପିକଅପ୍ ଓ ଟ୍ରଲର ଜବତ୍ | ବଡବିଲ କାରାଖେଣ୍ଡରାସ୍ଥିତ ରୁଙ୍ଗଟା ପ୍ଲାଣ୍ଟରୁ କାନପୁର ଅଭିମୁଖେ ଯାଉଥିବା ୩୪ ମେଟ୍ରିକ ଟନ ଲୁହାଛଡକୁ ଚୋରି କରି ଜାଲ କାଗଜପତ୍ର ଜରିଆରେ ଅନ୍ୟତ୍ର ବିକ୍ରି ପାଇଁ ଉଦ୍ୟମ କରୁଥିବା ବେଳେ ଝାଡଖଣ୍ଡ ରାଜ୍ୟର ଆଦିତ୍ୟପୁରରୁ ଚୋରା ଲୁହାଛଡ ଲୋଡ ଗୋଟିଏ ୪୦୭ ପିକଅପ, ଗୋଟିଏ ଟ୍ରଲର ଏବଂ ନଗଦ ଦେଢ ଲକ୍ଷ ଟଙ୍କା ସହ ୨ ଅଭିଯୁକ୍ତଙ୍କୁ ବଡବିଲ ପୋଲିସ ଗିରଫ କରିବାରେ ସଫଳ ହୋଇଛି।

ଅଭିଯୁକ୍ତ ମାନେ ହେଲେ ହଜାରିବାଗ ଅଞ୍ଚଳର ରାଜେନ୍ଦ୍ର ରାଣା ଓ ଆଦିତ୍ୟପୁର ଧିରଜଗଞ୍ଜ ଅଞ୍ଚଳର ରଞ୍ଜିତ କୁମାର ସିହ୍ନା। ସୂଚନାନୁସାରେ କିଛିଦିନ ପୂର୍ବରୁ କାରାଖେଣ୍ଡରାସ୍ଥିତ ରୁଙ୍ଗଟା ପ୍ଲାଣ୍ଟରୁ NL-01-L-7082 ନମ୍ବର ବିଶିଷ୍ଟ ଏକ ଟ୍ରଲରରେ ୩୪ ମେଟ୍ରିକ୍ ଟନ୍ ରୁଙ୍ଗଟା ଟିଏମଟି ଲୁହାଛଡ଼ ଲୋଡ ହୋଇ କାନପୁର ଅଭିମୁଖେ ବାହାରିଥିଲା। ମାତ୍ର ଉକ୍ତ ଟ୍ରଲର ଝାଡଖଣ୍ଡ ରାଜ୍ୟର ଆଦିତ୍ୟପୁରରେ ଅଟକି ଯାଇଥିଲା। ଟ୍ରଲର ମାଲିକ ରଞ୍ଜିତ ଓ ରାଜେନ୍ଦ୍ର ପ୍ରାୟ ୧୭ ଲକ୍ଷ ଟଙ୍କା ମୂଲ୍ୟର ଉକ୍ତ ଲୁହାଛଡ଼କୁ ଜାଲ କାଗଜପତ୍ର ଜରିଆରେ ଅନ୍ୟତ୍ର ବିକ୍ରି କରିବାକୁ ଉଦ୍ୟମ କରିଥିଲେ।

ଅନ୍ୟ ପକ୍ଷରେ ଉକ୍ତ ଟ୍ରଲରର ନିର୍ଦ୍ଦିଷ୍ଟ ସୂଚନା ନ ପାଇ ସନ୍ଦେହ ହେବାରୁ ଏନେଇ ମିଲନ ଟ୍ରାନ୍ସପୋର୍ଟ ପକ୍ଷରୁ ବଡବିଲ ଥାନାରେ ଏକ ଅଭିଯୋଗ ହୋଇଥିଲା। ପୋଲିସ ଏନେଇ ତଦନ୍ତ ଆରମ୍ଭ କରିବା ସହ ଝାଡଖଣ୍ଡ ରାଜ୍ୟ ଆଦିତ୍ୟପୁର ଅଞ୍ଚଳରେ ଚଢାଉ କରି ଚୋରା ଲୁହାଛଡ ଲୋଡ ଗୋଟିଏ ୪୦୭ ପିକଅପ, ଉକ୍ତ ଟ୍ରଲର ଏବଂ ନଗଦ ଦେଢ ଲକ୍ଷ ଟଙ୍କା ସହ ୨ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ଗିରଫ ଉଭୟ ଅଭିଯୁକ୍ତଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିବା ବଡବିଲ ଥାନା ଆଇଆଇସି ଶ୍ରୀ ରମାକାନ୍ତ ମୁଦୁଲି ସୂଚନା ଦେଇଛନ୍ତି।

Leave A Reply

Your email address will not be published.