ପୁଣି ଚର୍ଚ୍ଚାରେ ଷ୍ଟାର ଦ୍ରୁତ ବୋଲର ମହମ୍ମଦ ଶାମି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ପାଖେଇ ଆସୁଛି ଲୋକସଭା ନିର୍ବାଚନ । ବିଜେପି ଓ କଂଗ୍ରେସ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରି ସାରିଛନ୍ତି । ଏଥର ଲୋକସଭା ନିର୍ବାଚନ ଲଢିବା ନେଇ ଅନେକ ନୂଆ ଚେହେରା ମଧ୍ୟ ସାମ୍ନାକୁ ଆସିପାରନ୍ତି । ଆଉ ଆସନ୍ତା ସପ୍ତାହରେ ଘୋଷଣା ହୋଇପାରେ ଲୋକସଭା ନିର୍ବାଚନ ତାରିଖ।  ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି ବିଜେପି। ତେବେ ଏହାରି ମଧ୍ୟରେ ପଶ୍ଚିମବଙ୍ଗକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ବେଙ୍ଗଲର ଏକ ଲୋକସଭା ଆସନରେ ବିଜେପି ଭାରତୀୟ କ୍ରିକେଟର ଏକ ବଡ଼ ଚେହେରା ଉପରେ ବାଜି ଲଗାଇପାରେ ବୋଲି ଚର୍ଚ୍ଚା ହେଉଛି।  ଏହି ଖବର ନେଇ କୌଣସି ସ୍ପଷ୍ଟତା ମିଳିନଥିଲେ ମଧ୍ୟ ଜାତୀୟ ଗଣମାଧ୍ୟମରେ ଏଭଳି ଚର୍ଚ୍ଚା ହେଉଛି । ପଶ୍ଚମବଙ୍ଗ ପକ୍ଷରୁ ଶାମି ଘରୋଇ କ୍ରିକେଟ ଖେଳିଥିବାରୁ ଦଳ ଏଠାରୁ ତାଙ୍କୁ ପ୍ରାର୍ଥି କରିପାରେ ବୋଲି ଚର୍ଚ୍ଚା ହେଉଛି । ସୂଚନା ଅନୁସାରେ, ଲୋକସଭା ନିର୍ବାଚନ ଲଢିବାକୁ ବିଜେପି ଶାମିଙ୍କୁ ପ୍ରସ୍ତାବ ଦେଇଛି । କିନ୍ତୁ ଏନେଇ ସେ କିଛି ନିଷ୍ପତ୍ତି ନେଇନଥିବା କୁହାଯାଉଛି । ଏପରି ଖବର ପ୍ରସାରଣ ପରେ ମଧ୍ୟ ତାଙ୍କର କୌଣସି ପ୍ରତିକ୍ରିୟା ଆସିନାହିଁ । ବିଶ୍ବକପ ମ୍ୟାଚ୍‌ ପରଠାରୁ ଖେଳରୁ ଦୂରେଇ ରହିଛନ୍ତି ମହମ୍ମଦ ଶାମି ।

ନିକଟରେ ସେ ତାଙ୍କ ଗୋଇଠିର ଅସ୍ତ୍ରୋପଚାର କରିଥିଲେ । ବ୍ରିଟେନର ଏକ ହସ୍ପିଟାଲରେ ଅସ୍ତ୍ରୋପଚାର ହୋଇଥିବା ବେଳେ ତାଙ୍କୁ ଫିଟ୍ ହେବା ପାଇଁ ଆହୁରି ସମୟ ଲାଗିବ । ଏଥିପାଇଁ ସେ ଚଳିତ ମାସରେ ଆରମ୍ଭ ହେବାକୁ ଥିବା ଆଇପିଏଲ୍‌ ସିଜିନରୁ ମଧ୍ୟ ବାଦ ପଡ଼ିଛନ୍ତି । ଚିକିତ୍ସା ସମୟର କିଛି ଫଟୋ ଏକ୍ସରେ ସେୟାର କରିଥିଲେ ସାମି । ତେବେ କ୍ରିକେଟ ମୈଦାନରୁ ରାଜନୀତିକୁ ଶାମି ଓହ୍ଲାଇବେ ନା ନାହିଁ, ଏନେଇ ପ୍ରଶଂସକଙ୍କ ମନରେ ସସପେନ୍ସ ଲାଗି ରହିଛି । କେତେକ ଏହାକୁ ସ୍ବାଗତ କରିଥିବାବେଳେ କିଛି ଶାମିଙ୍କ ରାଜନୀତିକୁ ଆସିବା ଖବରକୁ ପସନ୍ଦ କରୁନାହାନ୍ତି ।

Leave A Reply

Your email address will not be published.