ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ

0

ଓଡ଼ିଆ ନ୍ୟୁଜ୍: କେରଳରେ କନ୍ଧମାଳ ଜିଲ୍ଲାରେ ପୁଣି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଶ୍ରମିକ ଜଣକ  ଘୁମୁସର ଉଦୟଗିରି ବ୍ଲକ୍‌ ଅନ୍ତର୍ଗତ ରଟିଙ୍ଗିଆ ଗ୍ରାମପଞ୍ଚାୟତର କଲିନାଜୁ ଗ୍ରାମର ଯୁବକ ସାଗର ପ୍ରଧାନ (୩୪) ବୋଲି ଜଣାଯାଇଛି।  ସାଗର କେରଳର ଏର୍ଣ୍ଣାକୁଲମ୍ ଜିଲ୍ଲା ଅନ୍ତର୍ଗତ ପେରୁମ୍ବାଭୁର ଅଞ୍ଚଳର ଏକ ନିର୍ମାଣ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଗତକାଲି (ସୋମବାର) ପୂର୍ବାହ୍‌ଣରେ କାର୍ଯ୍ୟ କରୁଥିବା ସମୟରେ ସେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ।

ସହକର୍ମୀମାନେ ତାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ।  ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  ସାଗରଙ୍କ ମୃତ୍ୟୁ ପରେ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି। ତାଙ୍କ ବୃଦ୍ଧା ବିଧବା ମା’ ପୂର୍ଣ୍ଣିମା ପ୍ରଧାନ (୬୮) ଓ ପତ୍ନୀ ନିଳୀମା କହଁରଙ୍କ ଆର୍ଥିକ ଅବସ୍ଥା ଅତ୍ୟନ୍ତ ଦୟନୀୟ ଥିବାରୁ କେରଳରୁ ମୃତଦେହ ଗ୍ରାମକୁ ଆଣିବା, ଶବଦାହ ଓ ଶୁଦ୍ଧିକ୍ରିୟା ସମ୍ପନ୍ନ କରିବା ସେମାନଙ୍କ ପକ୍ଷରେ ସମ୍ଭବ ହୋଇନଥିଲା।ଏହି ପରିସ୍ଥିତିରେ ପୂର୍ଣ୍ଣିମା ପ୍ରଧାନ କନ୍ଧମାଳ ଜିଲ୍ଲାପାଳଙ୍କ ନିକଟରେ ଏକ ଲିଖିତ ଆବେଦନ କରି ପୁଅଙ୍କ ମୃତଦେହକୁ କେରଳରୁ କଲିନାଜୁ ଗ୍ରାମକୁ ଆଣିବା ସହ ଶବଦାହ ଓ ଶୁଦ୍ଧିକ୍ରିୟା ପାଇଁ ସରକାରୀ ସହାୟତା ପ୍ରଦାନ କରିବାକୁ ନିବେଦନ କରିଛନ୍ତି।

Leave A Reply

Your email address will not be published.