ଓଡ଼ିଆ ନ୍ୟୁଜ୍: ଶେଷ ପର୍ଯ୍ୟାୟରେ ଅଛି ସିଏମଓ ଫାଇଲ ନିଖୋଜ ଘଟଣାର ତଦନ୍ତ । ଏହି ମାମଲାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଫାଇଲ ନେବା ବେଳେ ଯେଉଁ ଅଧିକାରୀ ଦସ୍ତଖତ କରିଥିଲେ, ତାଙ୍କୁ ଚିହ୍ନଟ କରାଯାଇଥିବାବେଳେ ଫାଇଲ କେଉଁ କେଉଁ ପର୍ଯ୍ୟାୟ ଦେଇ ଯାଇଛି, ସେନେଇ ଅନୁସନ୍ଧାନ ଚାଲିଛି । ସିଏମଓରୁ ଫାଇଲ ହଜିବା ଘଟଣାକୁ ନେଇ ତଦନ୍ତ ଜୋରଦାର ହୋଇଛି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଫାଇଲ ଗ୍ରହଣ ସମୟରେ ଦସ୍ତଖତ କରିଥିବା ଅଧିକାରୀଙ୍କୁ ଚିହ୍ନଟ କରାଯାଇଛି ।
ବର୍ତ୍ତମାନ ସେହି ଫାଇଲ କାହା ପାଖକୁ ଯାଇଥିଲା ଏବଂ କେଉଁ କେଉଁ ପର୍ଯ୍ୟାୟ ଦେଇ ଗତି କରିଥିଲା, ତାହାର ଖୋଳତାଡ଼ ଚାଲିଛି । ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ଏହି ଘଟଣାରେ ଯେଉଁ ଅଧିକାରୀ କିମ୍ବା ବ୍ୟକ୍ତିଙ୍କ ସମ୍ପୃକ୍ତି ମିଳିବ, ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ । ତଦନ୍ତ ଏବେ ଶେଷ ସୋପାନରେ ପହଞ୍ଚିଥିବା ବେଳେ କୌଣସି ଦୋଷୀଙ୍କୁ ଛାଡ଼ ଦିଆଯିବ ନାହିଁ ବୋଲି ସେ କହିଛନ୍ତି । ସୁରେଶ ପୂଜାରୀ କହିଛନ୍ତି, ତଦନ୍ତ ସମ୍ପୂର୍ଣ୍ଣ ନିରପେକ୍ଷ ଓ ଆଇନ ଅନୁଯାୟୀ କରାଯିବ । ଯେଉଁମାନେ ଏପର୍ଯ୍ୟନ୍ତ ତଦନ୍ତରେ ସହଯୋଗ କରିବାକୁ ଆସିନାହାନ୍ତି, ସେମାନଙ୍କୁ ପରବର୍ତ୍ତୀ ପର୍ଯ୍ୟାୟରେ ଡକାଯିବ ।
ଆବଶ୍ୟକ ପଡ଼ିଲେ ବିଦେଶରେ ଥିବା ବ୍ୟକ୍ତିଙ୍କୁ ମଧ୍ୟ ଆଇନଗତ ପ୍ରକ୍ରିୟାରେ ତଦନ୍ତରେ ସାମିଲ କରାଯିବ ବୋଲି ସେ କହିଛନ୍ତି । ସିଏମଓରୁ ଫାଇଲ ହଜିବା ଭଳି ସମ୍ବେଦନଶୀଳ ଘଟଣାକୁ ନେଇ ସରକାରଙ୍କ କଠୋର ଆଭିମୁଖ୍ୟ ସାମ୍ନାକୁ ଆସିଛି।