ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଜେଡି ଛାଡ଼ିଲେ ଅନୁଭବ ପଟ୍ଟନାୟକ। ଖଣ୍ଡପଡା ଆସନରୁ ଟିକେଟ ଆଶାୟୀ ଥିବା ଅନୁଭବ ପଟ୍ଟନାୟକ, ଟିକେଟ୍ ପାଇବାରୁ ବଞ୍ଚିତ ହେବା ପରେ ଦଳରୁ ଇସ୍ତଫା ଦେଇଛନ୍ତି। ସେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି। ୨୦୧୪ ସାଧାରଣ ନିର୍ବାଚନରେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ ଅନୁଭବ ପଟ୍ଟନାୟକ। ଆଉ ସେହି ନିର୍ବାଚନରେ ସେ ବିଜୟୀ ହୋଇ ଓଡ଼ିଶା ବିଧାନସଭାକୁ ଯାଇଥିଲେ।

ହେଲେ ୨୦୧୯ରେ ତାଙ୍କୁ ବିଜେଡି ପ୍ରାର୍ଥୀ କରିନଥିଲା। ତାଙ୍କ ସ୍ଥାନରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା। ଏହା ସତ୍ତ୍ୱେ ଅନୁଭବ ଦଳରେ ଥିଲେ ଓ ସଙ୍ଗଠନକୁ ସମ୍ଭାଳି ଥିଲେ। ନିଜ ଇସ୍ତଫା ପତ୍ରରେ ସେ ଲେଖିଛନ୍ତି, ଦୀର୍ଘ ୪୦ ବର୍ଷ ହେଲା ତାଙ୍କ ପରିବାର ଖଣ୍ଡପଡ଼ାରେ ଦଳର ସଙ୍ଗଠନକୁ ସୁଦୃଢ କରିବାକୁ ଚେଷ୍ଟିତ ରହିଛନ୍ତି। ପ୍ରତି ନିର୍ବାଚନରେ ମଧ୍ୟ ସେ ଦଳକୁ ଜିତାଇବାକୁ କାମ କରିଛନ୍ତି। ହେଲେ ଏହାସତ୍ତ୍ୱେ ମଧ୍ୟ ୨୦୧୯ରେ ତାଙ୍କୁ ଟିକେଟ୍ ଦିଆଯାଇନଥିଲା। ହେଲେ ତା ପରେ ବି ସେ ଦଳ ପାଇ ନିଜର କର୍ତ୍ତବ୍ୟ ପାଳନ କରିଆସୁଥିଲେ। ଖାଲି ସେତିକି ନୁହେଁ, ୨୦୨୪ରେ ମଧ୍ୟ ତାଙ୍କ ପ୍ରତି ପୁଣିଥରେ ଅନ୍ୟାୟ କରାଯାଇଛି। ଖଣ୍ଡପଡାରୁ ଦଳୀୟ ପ୍ରାର୍ଥୀ ଭାବେ ଲଢିବାରୁ ତାଙ୍କୁ ବଞ୍ଚିତ କରାଯାଇଛି। ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଖଣ୍ଡପଡ଼ାରେ ବିଜେଡିର ଦବ୍‌ଦବା ଦେଖିବାକୁ ମିଳିଥିଲା।

କୁହାଯାଉଥିଲା ଏଥିରେ ଅନୁଭବ ପଟ୍ଟନାୟକଙ୍କର ପ୍ରମୁଖ ଭୂମିକା ରହିଥିଲା। ଅନୁଭବଙ୍କ ରଣ କୌଶଳ ଯୋଗ ଖଣ୍ଡପଡ଼ାରେ ବିଜେଡି ବିଜୟ ହାସଲ କରିଥିଲା। ତେଣୁ ଅନୁଭବ ପଟ୍ଟନାୟକ ଆଶା ରଖିଥିଲେ ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ତାଙ୍କୁ ପ୍ରାର୍ଥୀ କରିଥିଲେ। ହେଲେ ଏଥର ତାଙ୍କୁ ନିରାଶ କରିଛି ଦଳ। ୨୦୧୯ ପରି ଏଥର ତାଙ୍କ ସ୍ଥାନରେ ସାବିତ୍ରୀ ପ୍ରଧାନଙ୍କୁ ବିଜେଡି ପ୍ରାର୍ଥୀ କରିଛି। ଟିକଟ ନମିଳିବାରୁ ଆଜି ଅନୁଭବ ବିଜେଡିରୁ ଇସ୍ତଫା ଦେଇଛନ୍ତି।

Leave A Reply

Your email address will not be published.