ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେଲା ଅଶୋକାଝରି ରଥଯାତ୍ରା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାର ଶ୍ରୀ ଶ୍ରୀ ହରିବଳଦେବ ଜୀଉ ବିଜେ ମହାପ୍ରଭୁଙ୍କ ବଡ଼ଦାଣ୍ଡରେ ଅଶୋକାଷ୍ଟମୀ ଉପଲକ୍ଷେ ଅଶୋକାଝରି (ରୁକୁଣା) ରଥଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ମୟୂରଭଞ୍ଜ ଗଡ଼ଜାତ ରାଜ୍ୟରେ ମହାରାଜୀ ମାନଙ୍କ ଶାସନ ସମୟରୁ ପାଳିତ ହୋଇ ଆସୁଛି ଏହି ଅଶୋକଝରି ରଥଯାତ୍ରା। ଚଳିତ ବର୍ଷ ଆଡ଼ମ୍ବର ମଧ୍ୟରେ ପାଳିତ ହୋଇଛି ଏହି ରଥଯାତ୍ରା। ପରମ୍ପରା ଅନୁଯାୟୀ ଏହି ରଥକୁ କେବଳ ବାଳକ ବାଳିକା ମାନେ ମିଳିମିଶି ଟାଣିଥାନ୍ତି।

ଉକ୍ତ ରୀତି ପାଳନ ପୂର୍ବକ ଅଶୋକାଷ୍ଟମୀ ତିଥିରେ ମଙ୍ଗଳବାର ଅପରାହ୍ନରେ ରଥଯାତ୍ରା ପାଳିତ ହୋଇଛି। ସ୍ଥାନୀୟ ଶ୍ରୀଶ୍ରୀହରିବଳଦେବ ଜୀଉ ବିଜେଙ୍କ ମନ୍ଦିରରୁ ମହାପ୍ରଭୁ ଶ୍ରୀରାମ, ଅନୁଜ ଲକ୍ଷ୍ମଣ ଓ ଦେବୀ ସୀତା ଚୈତ୍ର ଶୁକ୍ଳପକ୍ଷ ରଥାରୂଢ଼ ହୋଇ ଅଶୋକବନକୁ ପରମ୍ପରା ବା ବିଧି ଅନୁଯାୟୀ ଯାତ୍ରା କରିଛନ୍ତି। ବାରିପଦା ବଡ଼ ଜଗନ୍ନାଥ ମନ୍ଦିରର ରୀତିନୀତି ଓ ପ୍ରଚଳିତ ପରମ୍ପରା ଅନୁସାରେ ମହାପ୍ରଭୁମାନଙ୍କ ନିକଟରେ ପହଡ଼, ପଣା ଓ ଠା କାର୍ଯ୍ୟ ସମାପନ ହେବାପରେ ପରିଛା ମହାପ୍ରଭୁଙ୍କ ନିକଟରୁ ଆଜ୍ଞାମାଳ ପାଇବା ପରେ ମନ୍ଦିରର ତିନି ପୂଜାପଣ୍ଡା ପହଣ୍ଡିରେ ମହାପ୍ରଭୁ ଶ୍ରୀରାମ, ଲକ୍ଷ୍ମଣ ଓ ମାତା ସୀତାଦେବୀଙ୍କୁ ମନ୍ଦିରର ବେଢ଼ା ପହଣ୍ଡିରେ ଠାକୁର ମାନଙ୍କୁ ତିନିଥର ପରିକ୍ରମା କରାଇବା ପରେ ସିଂହଦ୍ବାର ନିକଟରେ ଅପେକ୍ଷା କରିଥିବା ଅଶୋକାଝରି ରଥରେ ରଥାରୂଢ଼ ହୋଇଥିଲେ।

ଏହାପରେ ସୁସଜ୍ଜିତ ରଥକୁ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ମାନଙ୍କ ଉପସ୍ଥିତି ଏବଂ ମନ୍ଦିରର ସେବାୟତ ମାନେ ଶଙ୍ଖ ଘଣ୍ଟ-ଘଣ୍ଟା-ମୃଦଙ୍ଗ ସହିତ ହରିବୋଲ ସଂକୀର୍ତ୍ତନ ଓ ହୁଳହୁଳିରେ ବଡ଼ ଜଗନ୍ନାଥ ମନ୍ଦିରରୁ ବଡ଼ଦାଣ୍ଡରେ ଥିବା ମାଉସୀ ମା’ ମନ୍ଦିର ନିକଟକୁ ବାଳକ ବାଳିକା ମାନେ ଟାଣି ଆଣିଥିଲେ। ସେଠାରେ ସମସ୍ତ ସେବାୟତ ମାନେ ମୟୂରଭଞ୍ଜ ରାଜ ଦରବାରର ଅମଳର ପରମ୍ପରା ଅନୁଯାୟୀ ଅଶୋକ ଫୁଲର କଢ଼ି ସଂଗ୍ରହ କରି ରଥ ନିକଟକୁ ଆଣିବା ପରେ ରଥରେ ବିଧିବିଧାନ ଅନୁସାରେ ପୂଜାର୍ଚ୍ଚନାରେ ଅଶୋକ କଢ଼ି ଲାଗି ହୋଇଥିଲା। ଏହାପରେ ଉକ୍ତ ଅଶୋକ କଢ଼ିକୁ ପ୍ରସାଦ ରୂପେ ବଣ୍ଟନ କରାଯାଇଥିଲା। ପ୍ରକାଶ ଥାଉକି ଏହି ଅଶୋକାଷ୍ଟମୀ ତିଥିରେ ଅଶୋକ ଗଛର ଫୁଲକୁ ସେବନ କଲେ ସମସ୍ତ ପ୍ରକାରର ଦୁଃଖ ଦୂର ହେବା ସାଙ୍ଗକୁ ଶରୀର ସମସ୍ତ ରୋଗ ବୈରାଗ୍ୟରୁ ମୁକ୍ତି ମିଳିଥାଏ ବୋଲି ବିଶ୍ବାସ ରହିଆସିଛି।

Leave A Reply

Your email address will not be published.