ବିଜେପି ଛାଡିଲେ ଭୃଗୁ ବକ୍ସିପାତ୍ର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବିଜେପି ଛାଡିଲେ ଦଳର ଜଣେ ଟାଣୁଆ ନେତା ଭୃଗୁ ବକ୍ସିପାତ୍ର । ବହୁ ଦିନର ଚର୍ଚ୍ଚାରେ ଆଜି ସେ ବିରାମ ଲଗାଇଛନ୍ତି । ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ସେ ଆଜି ଇସ୍ତଫା ଦେଇଛନ୍ତି । ଭୃଗୁ ନିଜ ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଅତ୍ୟନ୍ତ ଦୁଃଖର ସହିତ ଭାରତୀୟ ଜନତାପାର୍ଟିର ପ୍ରାଥମିକ ସଭ୍ୟ ପଦରୁ ମୁଁ ଇସ୍ତଫା ଦେଉଛି।

ଗତ ୨୩ ବର୍ଷ ଧରି ଜଣେ ସଭ୍ୟ ଭାବରେ ରାଜ୍ୟ ପାର୍ଟିର ଉନ୍ନତି ପାଇଁ ସମସ୍ତ ପ୍ରୟାସ କରିଛି। ପାର୍ଟି ଦେଇଥିବା ସମସ୍ତ ଦାୟିତ୍ୱ ଅତ୍ୟନ୍ତ ନିଷ୍ଠା, ପରିଶ୍ରମ ଏବଂ ସ୍ଥିରତାର ସହିତ ତୁଲାଇଛି। ବିଭିନ୍ନ ସାଙ୍ଗଠନିକ ଓ ରାଜନୈତିକ କାର୍ଯ୍ୟ ବୃଦ୍ଧି କରିବାରେ ପାର୍ଟି ମୋ ଉପରେ ଆସ୍ଥା ରଖିଥିବାରୁ ମୁଁ କୃତଜ୍ଞ। କିନ୍ତୁ ଗତ କିଛି ଦିନ ହେଲା ଦଳରେ ମୋର କିମ୍ବା ମୋ ସେବାରେ ଆବଶ୍ୟକତା ଆଉ ନାହିଁ ବୋଲି ଉପଲବ୍ଧି କଲି। ତେଣୁ ଆଗକୁ ବଢ଼ିବାକୁ ସ୍ଥିର କଲି। ଲୋକଙ୍କ ସେବା ଏବଂ ଓଡ଼ିଶାର ବିକାଶରେ ନିଜର କାର୍ଯ୍ୟକୁ ବଜାଇ ରଖିବି। ମୋର ଇସ୍ତଫାପତ୍ରକୁ ପାର୍ଟି ଗ୍ରହଣ କରିନେବାକୁ ଅନୁରୋଧ କରୁଛି। 2019ରେ ବିଜେପି ଲୋକସଭା ପ୍ରାର୍ଥୀ ହୋଇଥିଲେ ।

ହେଲେ ଚଳିତ ଥର ତାଙ୍କୁ ଟିକେଟ ଦେଇନି ଦଳ । ତାଙ୍କ ବଦଳରେ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ବିଜେପି ଆସ୍ଥା ପ୍ରକଟ କରିଛି । ଏହି କାରଣ ପାଇଁ ସେ ଅସନ୍ତୋଷ ଜାହିର କରିଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ବ୍ରହ୍ମପୁର ଲୋକସଭା ଆସନରୁ ବିଜେପି ପ୍ରଦୀପ ପାଣିଗ୍ରାହୀକୁ ଟିକେଟ ଦେଇଥିବା ବେଳେ କଂଗ୍ରେସ ରଶ୍ମିରଞ୍ଜନ ପଟ୍ଟନାୟକକୁ ଟିକେଟ ଦେଇଛି । ତେବେ ବର୍ତ୍ତମାନ ସୁଦ୍ଧା ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇନାହିଁ । ତେବେ ଏଭଳି ସ୍ଥଳେ ଭୃଗୁ ବିଜେପି ଛାଡିଥିବା ବେଳେ ବିଜେଡିରେ ଯୋଗ ଦେଇପାରନ୍ତି ଏବଂ ବିଜେଡି ପକ୍ଷରୁ ଟିକେଟ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.